ଶନିବାର ସୂର୍ଯ୍ୟଙ୍କ ନିକଟତର ହେବ ପୃଥିବୀ

ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨ ଶନିବାର ଦିନ ପୃଥିବୀ ସୂର୍ଯ୍ୟର ଅଧିକ ନିକଟତର ହେବ ବୋଲି ଗ୍ରହମାନଙ୍କର ଗତିବିଧି ଉପରେ ଗବେଷଣା କରୁଥିବା ପ୍ଲାନେଟାରୀ ସୋସାଇଟି ଅଫ୍ ଇଣ୍ଡିଆ କହିଛି। ଏହାର ନିର୍ଦ୍ଦେଶକ ଏନ. ଶ୍ରୀ. ରଘୁନନ୍ଦନ କୁମାର ଏକ ସୂଚନାପତ୍ରରେ କହିଛନ୍ତି ଯେ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ଘୂର୍ଣ୍ଣନ କରେ। ତେଣୁ ସୂର୍ଯ୍ୟ ଚାରିପଟେ ଯାତ୍ରା ସମୟରେ ପୃଥିବୀ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ସୂର୍ଯ୍ୟଙ୍କ ନିକଟତର ହୋଇଥାଏ ଯାହାକୁ ପେରିହେଲିଅନ୍ ଏବଂ ଗୋଟିଏ ସମୟରେ ଏହା ସୂର୍ଯ୍ୟଠାରୁ ସର୍ବାଧିକ ଦୂରତାରେ ରହିଥାଏ ଯାହାକୁ ଆପେଲିଅନ୍ କୁହାଯାଏ। ସେ କହିଛନ୍ତି ଯେ ଆସନ୍ତାକାଲି ସନ୍ଧ୍ୟା ୭ଟା ୨୭ ମିନିଟରେ ପୃଥିବୀ ସୂର୍ଯ୍ୟଙ୍କ ନିକଟତମ ସ୍ଥାନରେ ପହଞ୍ଚିବ। ସେହି ସମୟରେ ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ୧୪ କୋଟି ୭୦ ଲକ୍ଷ ୯୩ ହଜାର ୧୬୮ କିଲୋମିଟର ରହିବ। ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ ଏହି ଘଟଣା ‘ପେରିହେଲିଅନ୍’ ଭାବରେ ଜଣାଶୁଣା।
ସେହିଭଳି ୨୦୨୧ ଜୁଲାଇ ୬ ତାରିଖ ପୂର୍ବାହ୍ନ ୩ଟା ୪୬ ମିନିଟରେ ପୃଥିବୀ ସୂର୍ଯ୍ୟଙ୍କଠାରୁ ୧୫ କୋଟି ୨୧ ଲକ୍ଷ ୫୨୩ କିଲୋମିଟରରେ ଆପେଲିଅନ୍’ରେ ରହିବ। କହିବାକୁ ଗଲେ, ଜାନୁୟାରୀ ୨ରେ ପେରିହେଲିଅନ୍ ହେତୁ ଆସନ୍ତାକାଲି ଜୁଲାଇ ୬ ତୁଳନାରେ ସୂର୍ଯ୍ୟଙ୍କଠାରୁ ପୃଥିବୀ ୫୦ ଲକ୍ଷ ୭ ହଜାର ୩୫୫ କିଲୋମିଟର ନିକଟତର ହେବ ବୋଲି ଶ୍ରୀ କୁମାର କହିଛନ୍ତି। ତେବେ ଲୋକମାନେ ଏହି ଘଟଣାକୁ ଦେଖି ପାରିବେ ନାହିଁ ବୋଲି ପ୍ଲାନେଟାରୀ ସୋସାଇଟି ଅଫ୍ ଇଣ୍ଡିଆ କହିଛି।