ପିକେଡିଏ ମାମଲାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ପୁରୀ : ସମୁଦ୍ରକୂଳରେ ଗୃହ ନିର୍ମାଣ ଅନୁମତି ଏବଂ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପିକେଡିଏ ମୋକଦ୍ଦମାର ପୁନର୍ବିଚାର ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ)ର ରିଟ୍‌ ଅପିଲ ସମ୍ପର୍କରେ ଆଇନ ଅନୁଯାୟୀ ଶୀଘ୍ର ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ହାଇକୋର୍ଟ ୨୦୧୯ ଜୁଲାଇ ୨୬ରେ ଦେଇଥିବା ନିର୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କାରଣ ନ ଦର୍ଶାଇ ହାଇକୋର୍ଟ ରିଟ୍‌ ଅପିଲ ଖାରଜ କରିଥିବା ସୁପ୍ରିମକୋର୍ଟ ମତ ଦେଇଛନ୍ତି। ମୋକଦ୍ଦମାର ପୁନର୍ବିଚାର ସମୟରେ ବିଳମ୍ବରେ ଅପିଲ ଦାଖଲ ପ୍ରସଙ୍ଗ ଆଉ ଉଠାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ​ପୁରୀ ସମୁଦ୍ରକୂଳ ନିକଟରେ ଗୃହ ନିର୍ମାଣ ଅନୁମତି ଏବଂ ବେଆଇନ ନିର୍ମାଣ ଉଚ୍ଛେଦ ନିମନ୍ତେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ପିକେଡିଏ ପଦକ୍ଷେପ ଗ୍ରହଣ କରିପାରିବ କି ନାହିଁ ସେ ସମ୍ପର୍କରେ ହାଇକୋର୍ଟ ଡିଭିଜନ ବେଞ୍ଚ ବିଚାର କରିବେ। ହୋଟେଲ ଆସୋସିଏସନ ମୋକଦ୍ଦମାରେ ଜଷ୍ଟିସ୍‌ ବିଶ୍ବନାଥ ରଥ ୨୦୧୫ ମେ ୧୫ରେ ଦେଇଥିବା ନିର୍ଦେଶକୁ ପିକେଡିଏ କର୍ତ୍ତୃପକ୍ଷ ଡିଭିଜନ ବେଞ୍ଚରେ ଚାଲେଞ୍ଜ କରିଥିଲେ। ୪୨୨ଦିନ ବିଳମ୍ବରେ ପିକେଡିଏ ରିଟ୍‌ ଅପିଲ ଦାଖଲ କରିଥିବାରୁ ହାଇକୋର୍ଟ ତାହାକୁ ଖାରଜ କରି ଦେଇଥିଲେ। ଜଣିକିଆ ବିଚାରପତି ଦେଇଥିବା ନିର୍ଦେଶରେ ତ୍ରୁଟି କିମ୍ବା ବେଆଇନ ନଥିବା କୋର୍ଟ ଉଲ୍ଲେଖ କରିଥିଲେ। ପିକେଡିଏ ଦର୍ଶାଇଥିବା ଅନ୍ୟ ଯୁକ୍ତିଗୁଡିକୁ ଡିଭିଜନ ବେଞ୍ଚ ବିଚାରକୁ ନେଇନଥିଲେ। ତେଣୁ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସିଆରଜେଡ ବିଜ୍ଞପ୍ତି ଏବଂ ଓଡ଼ିଶା ପୌର ଆଇନ ଅନୁଯାୟୀ ନିର୍ମାଣ ମାମଲାର ପୁନର୍ବିଚାର ପାଇଁ ଜଷ୍ଟିସ୍‌ ରଥ ମୂଳ ମୋକଦ୍ଦମାରେ ନିର୍ଦେଶ ଦେଇଥିଲେ। ସେ ଉଲ୍ଲେଖ କରିଥିଲେଯେ ସମୁଦ୍ରକୂଳ ପାଇଁ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ କାର୍ଯ୍ୟକାରୀ ହେବନାହିଁ। ଏହି ଆଇନ ଅନୁଯାୟୀ ପିକେଡିଏ ଗ୍ରହଣ କରିଥିବା ନିଷ୍ପତ୍ତି ବେଆଇନ। ଜଷ୍ଟିସ୍‌ ରଥଙ୍କ ଏଭଳି ନିର୍ଦେଶକୁ ରିଟ୍‌ ଅପିଲ ମାଧ୍ୟମରେ ପିକେଡିଏ ଡିଭିଜନ ବେଞ୍ଚରେ ଚାଲେଞ୍ଜ କରିଥିଲା। ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଏବଂ ଜଷ୍ଟିସ୍‌ ପି. ପଟ୍ଟନାୟକଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ଗତବର୍ଷ ଜୁଲାଇ ୨୬ରେ ତାହାକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟ ପିକେଡିଏ ମୋକଦ୍ଦମାର ପୁନର୍ବିଚାର ପାଇଁ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିବା ଯୋଜନା ସଦସ୍ୟ ତଥା ରାଜ୍ୟ ସହର ଯୋଜନା ନିର୍ଦେଶକ ଶୁଭେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

 

Comments are closed.