ଜଣେ ଅଧିକାରୀରେ ଚାଲିଛି ସାତଶଙ୍ଖ ପୁଲିସ ଫାଣ୍ଡି

ପିପିଲି:ପୁରୀ ଜିଲାର ପ୍ରମୁଖ ପୁଲିସ ଫାଣ୍ଡି ଭାବେ ପରିଚିତ ସାତଶଙ୍ଖ ଫାଣ୍ଡିରେ ଏବେ ଜଣେ ମଧ୍ୟ ପୁଲିସ କର୍ମଚାରୀ ନାହାନ୍ତି। କେବଳ ଜଣେ ମାତ୍ର ପୁଲିସ ଅଧିକାରୀଙ୍କ ଦ୍ୱାରା ଚାଲିଛି ଫାଣ୍ଡି। କର୍ମଚାରୀ ନଥିବାରୁ ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟରେ ବାହାରକୁ ଯିବାବେଳେ ବାଧ୍ୟହୋଇ ଫାଣ୍ଡିରେ ତାଲା ପକାଇ ଯାଉଛନ୍ତି। ଫଳରେ ଅନେକ ସମୟରେ ଏହି ଫାଣ୍ଡିରେ ତାଲା ଝୁଲୁଥିବା ବେଳେ ଏଥିଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି। ଫାଣ୍ଡିରେ କର୍ମଚାରୀ ନଥିବାରୁ ଏହା ଉପରେ ନିର୍ଭର କରୁଥିବା ୪ଟି ପଞ୍ଚାୟତବାସୀଙ୍କ ଧନ, ଜୀବନର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।
ପୁରୀ ଜିଲାର ପ୍ରମୁଖ ପୁଲିସ ଫାଣ୍ଡି କୁହାଯାଉଥିବା ପିପିଲି ଥାନା ଅନ୍ତର୍ଗତ ଯଶୁଆପୁର ଠାରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ସାତଶଙ୍ଖ ପୁଲିସ ଫାଣ୍ଡିରେ ଗତ ୨ ମାସ ହେଲା କୌଣସି ପୁଲିସ କର୍ମଚାରୀ ନାହାନ୍ତି। ଏହି ପୁଲିସ ଫାଣ୍ଡିରେ ଜଣେ ଓଆଇସି (ଏସ୍‍ଆଇ ପାହ୍ୟା ଅଧିକାରୀ), ଜଣେ ଏଏସ୍‍ଆଇ, ୮ଜଣ କନେଷ୍ଟବଳଙ୍କ ସମେତ ହୋମଗାର୍ଡ ରହିବାର ନିୟମ ଅଛି। ତେବେ ଦୀର୍ଘମାସ ଧରି ଜଣେ ଫାଣ୍ଡି ଅଧିକାରୀ ଏସ୍‍ଆଇ, ୪ଜଣ କନେଷ୍ଟବଳ ଓ ୨ଜଣ ହୋମାଗାର୍ଡଙ୍କୁ ନେଇ ଏହି ଫାଣ୍ଡି ଚାଲିଥିଲା। ଗତ ଦୁଇମାସ ହେବ ଏଠାରେ କୌଣସି କନେଷ୍ଟବଳ ନାହାନ୍ତି। ଜଣେ ହୋମ୍‍ଗାର୍ଡ ଓ ଫାଣ୍ଡି ଅଧିକାରୀଙ୍କୁ ନେଇ ୨ମାସ କାଳ ଏହି ଫାଣ୍ଡି ଚାଲିଥିବା ବେଳେ ହୋମାଗାର୍ଡ ଜଣକ ଛୁଟିରେ ଯିବାପରେ ଗତ ୧୪ଦିନ ହେବ କେବଳ ଫାଣ୍ଡି ଅଧିକାରୀ ଏସ୍‍ଆଇ ପ୍ରଫୁଲ୍ଲ ଭୂୟାଁ ଏହି ଫାଣ୍ଡିରେ ଅଛନ୍ତି। ଫାଣ୍ଡିରେ କୌଣସି କର୍ମଚାରୀ ନଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଥିବା ସୂଚନା ମିଳିଛି। ବିଭିନ୍ନ ମାମଲାର ତଦନ୍ତ କରିବାକୁ ବାହାରକୁ ଯିବାବେଳେ ଓ କୌଣସି କାର୍ଯ୍ୟନେଇ ପିପିଲି ଥାନାକୁ ଯିବା ବେଳେ ବାଧ୍ୟହୋଇ ଫାଣ୍ଡି ଅଧିକାରୀ ଏହି ପୁଲିସ ଫାଣ୍ଡିରେ ତାଲା ପକାଇ ଯାଉଛନ୍ତି।

 

ଏପରିକି ପରିସ୍ରା କରିବାକୁ ଯିବାବେଳେ ମଧ୍ୟ ଫାଣ୍ଡିରେ ତାଲା ପକାଇବାକୁ ସେ ବାଧ୍ୟ ହେଉଥିବା ସୂଚନା ମିଳିଛି। ଏଥିଯୋଗୁଁ ସାଧାରଣ ଲୋକେ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି। କୌଣସି ଅଭିଯୋଗ ନେଇ ଫାଣ୍ଡିକୁ ଆସିବାବେଳେ ତାଲା ପଡିଥିବାରୁ ଲୋକେ ବହୁ ସମୟ ଧରି ସେଠାରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଫାଣ୍ଡିରେ କୌଣସି କର୍ମଚାରୀ ନଥିବାରୁ ଅଭିଯୁକ୍ତଙ୍କୁ ପିପିଲି ଥାନାରେ ରଖାଯାଉଛି। ବିଭିନ୍ନ ମାମଲାରେ ଜବତ ହୋଇ ପଡି ରହିଥିବା ଗାଡିମୋଟରକୁ ଜଗିବାକୁ ମଧ୍ୟ ସେଠାରେ କେହି ନାହାନ୍ତି। ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଏହି ଫାଣ୍ଡିରେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏହି ଫାଣ୍ଡି ଉପରେ ତେଇସିପୁର, ସହଜପୁର, ବୀରପୁରୁଷୋତ୍ତମପୁର ଓ ଯଶୁଆପୁର ଆଦି ୪ଟି ପଞ୍ଚାୟତର ୬୦ ହଜାରରୁ ଉର୍ଦ୍ଧ ଅଧିବାସୀ ନିର୍ଭର କରିଥାନ୍ତି। ଜାତୀୟ ରାଜପଥର ୧୫ କିଲୋମିଟର ଅଞ୍ଚଳ ଏହି ଫାଣ୍ଡି ଅଧିନରେ ରହିଥିବା ବେଳେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଏହି ରାସ୍ତାଦେଇ ଯିବାଆସିବା କରେ। ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଏହି ରାସ୍ତାଦେଇ ପୁରୀକୁ ଯାଉଥିବା ବେଳେ କୌଣସି ସମସ୍ୟାରେ ପଡିଲେ ପର୍ଯ୍ୟଟକମାନେ ଏହି ଫାଣ୍ଡି ଉପରେ ନିର୍ଭର କରିଥାନ୍ତି। ଏଭଳି ପରିସ୍ଥିତିରେ ଏହି ଫାଣ୍ଡିରେ କୌଣସି କର୍ମଚାରୀ ନରହିବା ଓ ଜଣେ ମାତ୍ର ଫାଣ୍ଡି ଅଧିକାରୀଙ୍କ ଦ୍ୱାରା ଫାଣ୍ଡି ଚାଲିବା ଘଟଣା ବୁଦ୍ଧିଜୀବୀଙ୍କୁ ଚକିତ କରିଛି। ସତ୍ୟବାଦୀ, ଡେଲାଙ୍ଗ ଓ ବଳଙ୍ଗା ଥାନାର ସୀମାରେ ଥିବା ଏହି ସାତଶଙ୍ଖ ଅଞ୍ଚଳ ହେଉଛି ଏକ ପ୍ରମୁଖ ବ୍ୟବସାୟ ଅଞ୍ଚଳ। ସପ୍ତାହର ଦୁଇଦିନ ହେଉଥିବା ସାତଶଙ୍ଖ ସାପ୍ତାହିକ ହାଟ ଉପରେ ଜିଲାର ବିଭିନ୍ନ ବ୍ଳକର ଚାଷୀ ଓ ବ୍ୟବସାୟୀମାନେ ନିର୍ଭର କରିଥାନ୍ତି। ସେଠାରେ ପ୍ରବଳ ଜନଗହଳି ଲାଗୁଥିବା ବେଳେ ଏଥିଯୋଗୁଁ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥାଏ। ଏସୁବୁକୁ ନିୟନ୍ତ୍ରଣ କରିବାକୁ ଏବେ ଫାଣ୍ଡିରେ କର୍ମଚାରୀ ନାହାନ୍ତି। ଏହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏଠାରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି । ତେବେ ଏବାବଦରେ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯାଇଛି ଓ ଖୁବ୍‍ ଶିଘ୍ର ସେଠାରେ ଖାଲି ପଡିଥିବା ପଦବୀକୁ ପୂରଣ କରାଯିବ ବୋଲି ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।

Comments are closed.