ପିପିଲିରେ ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ

ପିପିଲି: ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‍ର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରା ପିପିଲିରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି। ଏଥିଯୋଗୁଁ ପିପିଲି ବ୍ଲକ ଓ ଏନ୍‍ଏସି ଅଞ୍ଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ୬ଘଣ୍ଟା କାଳ ରାସ୍ତାରେ ଗାଡିମୋଟର ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଥିଲା। ପିପିଲିର ସାପ୍ତାହିକ ହାଟ ଉପରେ ମଧ୍ୟ ଏହି ବନ୍ଦର ପ୍ରତିକୂଳ ପ୍ରଭାବ ପଡିଥିଲା।

ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ନେତାମାନେ ପିପିଲି ହାଟଛକ ଠାରେ ରାସ୍ତା ଅବରୋଧ କରିବା ସହ ହରତାଲ କରିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଶ୍ରୀମିଶ୍ର, ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମକର ପ୍ରଧାନ, ସେକ୍‍ ମେହେବୁବ, ଗୁଣନିଧି ପ୍ରଧାନ, ହରେକୃଷ୍ଣ ପାଇକରାୟ ପ୍ରମୁଖ ତୈଳ ଓ ଗ୍ୟାସ୍‍ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। ମଙ୍ଗଳପୁର ବଜାର ଠାରେ ପିପିଲି ବ୍ଲକ କଂଗ୍ରେସ କମିଟିର ସଭାପତି ଜିତୁପ୍ରକାଶ ପରିଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଶହ ଶହ ସଂଖ୍ୟାରେ ଗାଡିମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଜିଲା କଂଗ୍ରେସ କମିଟିର ସଭାପତି ଅଜିତ କୁମାର ମଙ୍ଗରାଜ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମାନସ ଦାଶ, ଶ୍ରୀନିବାସ ବାରିକ, ପଦ୍ମଲାଭ ଖଟେଇ, ଶୁଭେନ୍ଦୁ ମହାରଣା, ରଞ୍ଜିତ ମହାପାତ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଉତ୍ତରାବଜାର ଠାରେ ଯୁବନେତା ମହେନ୍ଦ୍ର ନାୟକଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ସାତଶଙ୍ଖ ଠାରେ ନରେନ୍ଦ୍ର ସାହାଣୀଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇ ତୈଳ ଓ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରାଯାଇଥିଲା।

Comments are closed.