ଗାଈ ଗୋରୁଙ୍କ ପରଙ୍ଗଯାତ୍ରା

ପିପିଲି : ପାହାଡିଆ ଅଞ୍ଚଳ ଅଭିମୁଖେ ଗୋପାଳକ । ବର୍ଷାଋତୁରେ ଚାରଣଭୂମି ଜଳମଗ୍ନ ହେବା କାରଣରୁ ଗୋରୁ, ଗାଈଙ୍କର ଖାଦ୍ୟାଭାବ ଦେଖାଦେଇଥାଏ । ଚନ୍ଦନପୁର, ସତ୍ୟବାଦୀ, ବ୍ରହ୍ମଗିରି ଆଦି ଅଞ୍ଚଳରେ ଥିବା ଜଳମଗ୍ନ ଚାଷଜମି ଅଞ୍ଚଳର ଗୋପାଳକ ମାନେ ସେମାନଙ୍କ ଗୋରୁ, ଗାଈ, ଛେଳି, ମେଣ୍ଢା ଆଦିଙ୍କୁ ସାଙ୍ଗରେ ନେଇ ଜଟଣୀ, ଖୋର୍ଦ୍ଧା ଓ ଚନ୍ଦକା ଆଦି ପାହାଡିଆ ଅଞ୍ଚଳକୁ ଚାଲିଯାଇଥାନ୍ତି । ସେଠାରେ ସେମାନେ ଅସ୍ଥାୟୀ ଗୁହାଳଘର ନିର୍ମାଣ କରି ଗୋରୁ,ଗାଈଙ୍କୁ ପାଳନ କରିଥାନ୍ତି । ବିଶେଷ କରି କ୍ଷୀର ବିକ୍ରୀ କରି ସେମାନେ ନିଜର ଖର୍ଚ୍ଚ ତୁଳାଇବା ସହ ବଳକା ପଇସାକୁ ଘରକୁ ମଧ୍ୟ ପଠାଇଥାନ୍ତି । ବର୍ଷାଋତୁ ସରିଲା ପରେ ବୁଡି ଅଞ୍ଚଳର ଜମିରୁ ପାଣି ଶୁଖି ଘାସ କଅଁଳିବା ପରେ ପୁଣି ଗୋରୁ ଗାଈଙ୍କୁ ନେଇ ଏହି ଗୋପାଳକ ମାନେ ଘରକୁ ବାହୁଡିଥାନ୍ତି । ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଏହି ଗୋପାଳକ ମାନେ ଗୋରୁ, ଗାଈଙ୍କୁ ନେଇ ପାହାଡିଆ ଅଞ୍ଚଳ ଅଭିମୁଖେ ଯିବା ଓ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ଘରକୁ ବାହୁଡିବାର ଦୃଶ୍ୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳେ । ଏହାକୁ ଗାଉଁଲି ଭାଷାରେ ପରଙ୍ଗ ବା ପରଦେଶଯାତ୍ରା କୁହାଯାଏ ।

Comments are closed.