ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ନିରାଡମ୍ବରରେ ସମ୍ପନ୍ନ

ପିପିଲି:ପିପିଲି ଅଞ୍ଚଳର ଆରାଧ୍ୟ ଠାକୁର ତଥା କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ମଙ୍ଗଳବାର ଅପରାହ୍ନରେ କେବଳ ନୀତିକାନ୍ତି ସହ ନିରାଡମ୍ବରରେ ସମ୍ପନ୍ନ ହୋଇଛି। କରୋନା କଟକଣା ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ବାବା ବାଲୁଙ୍କେଶ୍ୱର ଦେବ ପୂଜା କମିଟିର ସ୍ୱଳ୍ପ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତିରେ ଦେବବିବାହ ଉତ୍ସବ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ପ୍ରତ୍ୟୁଷରୁ ଠାକୁରଙ୍କ ମନ୍ଦିରରେ ସମସ୍ତ ପ୍ରକାର ଦେବନୀତି ସଂପନ୍ନ ହେବା ପରେ ମଧ୍ୟାହ୍ନରେ ଖଣ୍ଡିଆଗିରି ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱର ଦେବଙ୍କ ପୀଠରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ବିଧି ମୁତାବକ ସମ୍ପନ୍ନ ହୋଇଥିଲା। ଅପରାହ୍ଣରେ ମନ୍ଦିର ପରିସରରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ନିରାଡମ୍ବରରେ ସମ୍ପନ୍ନ ହୋଇଥିଲା।

 

ସମାଜସେବୀ ଶରତ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁକାନ୍ତି ପାଣିଗ୍ରାହୀ ବରପକ୍ଷ ହୋଇଥିବା ବେଳେ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ରାଜଲକ୍ଷ୍ମୀ ପଣ୍ଡା କନ୍ୟା ପକ୍ଷର ପିତାମାତା ଭାବେ ଦାୟିତ୍ୱ ତୁଳାଇଥିଲେ। ବାଲୁଙ୍କେଶ୍ୱର ଦେବ ପୂଜା କମିଟିର ଆଡ୍‍ଭୋକେଟ୍‍ ସୁଧିର କୁମାର ମହାନ୍ତି, ବିଭୂ ପ୍ରସାଦ ବୈରିଗଞ୍ଜନ, ଅକ୍ଷୟ କୁମାର ଦିକ୍ଷିତ, ସୁରେଶ କୁମାର ରଥ, ସମାଜସେବୀ ପ୍ରଭାକର ପଣ୍ଡା, ସମୀର ରଞ୍ଜନ ଦାଶ, ଶିକ୍ଷାବିତ୍‍ ପଦ୍ମନାଭ ପାତ୍ର, ସୁରେଶ ମହାରଣା, ସୁଶାନ୍ତ କୁମାର ସାହୁ, ସୀତାନାଥ ମହାନ୍ତି, ଓମ୍‍କାର ମିଶ୍ର, ପରିକ୍ଷିତ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

Comments are closed.