ପିପିଲିରେ ‘ଜନତା କର୍ଫ୍ୟୁ’କୁ ପୂର୍ଣ୍ଣ ସମର୍ଥନ

ପିପିଲି : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମଗ୍ର ଦେଶବାସୀ ‘ଜନତା କର୍ଫ୍ୟୁ’ ପାଳନ କରିଛନ୍ତି। ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣ ଏହି ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ ଜଣାଇ ନିଜ ଆଡୁ କର୍ଫ୍ୟୁ ଜାରି କରି କେହି ଘରୁ ବାହାରକୁ ବାହାରିନଥିଲେ। ଲୋକେ ନିଜ ଘରେ ରହି ଜନତା କର୍ଫ୍ୟୁ ପାଳନ କରିଥିଲେ। ଏପରିକି କୌଣସି ଚାଷୀ ମଧ୍ୟ ନିଜ ଜମିକୁ ନଯିବା ଘଟଣା ଏହି ଜନତା କର୍ଫ୍ୟୁକୁ ସବୁଠୁ ବଡ ସମର୍ଥନ ଥିଲା। ଦିନ ମଜୁରିଆ ଓ ଶ୍ରମିକମାନେ ମଧ୍ୟ ଘରୁ ପଦାକୁ ବାହାରିନଥିବା ବେଳେ ଗୋପାଳକମାନେ ମଧ୍ୟ ସେମାନଙ୍କ ପଶୁଙ୍କ ସହ ଘରେ ରହିଥିବା ପରିଲକ୍ଷିତ ହୋଇଥିଲା। ଫଳରେ ଦୋକାନବଜାରଠାରୁ ଆରମ୍ଭ କରି ରାସ୍ତାଘାଟ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡିଥିଲା। ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଔଷଧ ଦୋକାନ ଓ ପେଟ୍ରୋଲ ଟାଙ୍କି ଆଦି ଖୋଲା ରହିଥିଲେ ମଧ୍ୟ ସେଠାରେ ଗ୍ରାହକ ନଥିବା ପରିଲକ୍ଷିତ ହୋଇଥିଲା। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ନିର୍ଜ୍ଜନ ହୋଇପଡିଥିବା ବେଳେ କୌଣସି ଗାଡିମୋଟର ଚଳାଚଳ କରିନଥିଲା। ସକାଳୁ ରାତି ପର୍ଯ୍ୟନ୍ତ ଦୋକାନ ବଜାର, ରାସ୍ତାଘାଟ ଖାଁ ଖାଁ ଲାଗିଥିଲା। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲିଠାରେ ଥିବା ଟୋଲ୍‍ ପ୍ଲାଜାରେ କୌଣସି ଗାଡି ଯାତାୟତ କରିନଥିବା ବେଳେ ତାହା ଖାଁ ଖାଁ ହୋଇପଡିଥିଲା। ପରିବହନ ସେବା ଯୋଗାଉଥିବା କୌଣସି ଯାନବାହାନ ରାସ୍ତାରେ ଗଡିନଥିବା ବେଳେ ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ସିଉଳା ବଜାର, ଜଇସପାଟଣା ଛକ, ପିପିଲି ଚାନ୍ଦୁଆ ବଜାର, ହାଟଛକ, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖବଜାର, ଭାରତୀପୁରଛକ, ଅକ୍‍ଟ୍ରାଇଛକ, ମାଧିପୁର ବଜାର, ମଠସାହି ବଜାର, କଣ୍ଟି ବଜାର, କାକୁଡିଆ ଛକ, ଜଗନ୍ନାଥପୁର ବଜାର ଆଦି ସ୍ଥାନ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡିଥିଲା। କରୋନା ଭୂତାଣୁ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପାଇଁ ପିପିଲି ପୌରାଞ୍ଚଳରେ ୨ଟି ଓ ପ୍ରତ୍ୟେକ ୨୫ଟି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଇସୋଲେସନ ସେଣ୍ଟର କରାଯାଇଥିବା ବେଳେ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସୋଲେସନ ୱାର୍ଡ କରାଯାଇଛି।

Comments are closed.