MEllora 950×100

ପିପିଲିରେ କ୍ଷୁଦ୍ର ନିଯୁକ୍ତି ମେଳା; ୨୨୧ ଜଣଙ୍କୁ ମିଳିଲା କର୍ମନିଯୁକ୍ତି

ପିପିଲି: ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ପୁରୀ ଜିଲା ପ୍ରଶାସନ ଓ ଜିଲା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପିପିଲି ମହାବିଦ୍ୟାଳୟ ପରିସରରେ ଗୁରୁବାର ଏକ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୨୧ ଜଣ ପ୍ରାର୍ଥୀଙ୍କୁ କର୍ମନିଯୁକ୍ତି ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ପୁରୀର ଉପଜିଲାପାଳ ଭବତାରଣ ସାହୁ ମେଳାର ଉଦ୍‍ଘାଟନ କରିବା ଅବସରରେ ଏହି ମେଳା ଦ୍ୱାରା ଆଶାୟୀ ପ୍ରାର୍ଥୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ନିୟୋଜନ ଅଧିକାରୀ ସୁବାଷ ବେହେରା, ପିପିଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଶିବପ୍ରସାଦ ମିଶ୍ର, ପ୍ରଫେସର ସଚ୍ଚିକାନ୍ତ ନାୟକ, ଏନ୍‍ସିସି ବିଭାଗର ଅଧ୍ୟାପକ କ୍ୟାପଟେନ୍‍ ଆଦିତ୍ୟ ପ୍ରସାଦ ରଥ ପ୍ରମୁଖ ଯୋଗଦେଇ ନିଯୁକ୍ତି ମେଳାର ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ କନିଷ୍ଠ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି ପରିଚାଳନା କରିଥିଲେ। ଏହି ମେଳାରେ ମୋଟ୍‍ ୬୫୦ ଜଣ ନାମ ପଞ୍ଜିକରଣ କରିଥିଲେ। ମେଳାରେ ଯୋଗଦେଇଥିବା ରାଜ୍ୟ ଓ ରାଜ୍ୟ ବାହାରର ୨୨ଟି ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତାମାନେ ୨୨୧ ଜଣ ପ୍ରାର୍ଥୀଙ୍କୁ ଚୟନ କରିଥିଲେ। ଏତଦ୍‍ ବ୍ୟତୀତ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାମାନେ ମଧ୍ୟ ୧୬୫ ଜଣ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ନିଯୁକ୍ତି ଦେବା ପାଇଁ ମନୋନୀତ କରିଥିଲେ।

 

Comments are closed.