ଦୁର୍ଘଟଣାରେ ବାଇକ ଚାଳକ ମୃତ, ଆରୋହୀ ଗୁରୁତର

ପିପିଲି:ରବିବାର ରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ  ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍‍ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ  ବାଇକ ପଛରେ ବସିଥିବା ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କ ପରିଚୟ ଜଣାପଡିନାହିଁ।
ସୂଚନା ଅନୁଯାୟୀ  ଦୁଇଜଣ ଯୁବକ ଏକ ବାଇକ୍‍ରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବେଳେ ରାତି ୧୦ଟା ସମୟରେ ପିପିଲି ବାଇପାସ ରାସ୍ତାର ଡିହସାହି ଗ୍ରାମ୍ୟଛକ ଠାରେ କୌଣସି କାରଣରୁ ବାଇକ୍‍ଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା କଂକ୍ରିଟ୍‍ ଡିଭାଇଡ ସହ ଧକ୍କା ଲାଗିଥିଲା। ଫଳରେ ଉଭୟେ ବାଇକ୍‍ରୁ ଛିଟି ଯାଇ ଡିଭାଇଡରରେ ଖୁବ ଜୋର୍‍ରେ ପିଟି ହୋଇଯାଇଥିଲେ। ଏଥିରେ ବାଇକ୍‍ ଚାଳକ ଯୁବକଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲା। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଗୁରୁତର ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା।

ଖବର ପାଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଟ୍ରାଫିକ୍‍ ସମସ୍ୟା ଦୂର କରିବା ସହ ମୃତଦେହକୁ ଜବତ କରି ପିପିଲି ମେଡିକାଲକୁ ପଠାଇଥିବା ସୂଚନା ମିଳିଛି। ମୃତକ ଓ ଆହତଙ୍କ ପ୍ରକୃତ ପରିଚୟ ଜଣାପଡିନଥିବା ବେଳେ ଉଭୟଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ଅନୁମାନ କରାଯାଉଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‍କୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି।

Comments are closed.