ସିଫା ଓ ଖୋର୍ଦ୍ଧା କେଭିକେ ପକ୍ଷରୁ ସିଲେଇ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ପିପିଲି: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ କେନ୍ଦ୍ର ସରକାରଙ୍କ ଏସ୍‍ସିଏସ୍‍ପି ପ୍ରକଳ୍ପ ଅଧିନରେ ତଫସିଲଭୁକ୍ତ ଜାତିର ମହିଳାମାନଙ୍କର ଆର୍ଥିକ ବିକାଶ ପାଇଁ ବାଲିପାଟଣା ବ୍ଲକର ଅମଣାକୁଦ ଗ୍ରାମରେ କଲ୍ୟାଣୀ ସିଲେଇ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

ଏହାକୁ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଉଦ୍‍ଘାଟନ କରିବା ଅବସରରେ ତଫସିଲଭୁକ୍ତ ଜାତିର ମହିଳା ଓ ଯୁବକମାନଙ୍କର ଅର୍ଥନୈତିକ ବିକାଶ ପାଇଁ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଫାର ବିତ୍ତ ଓ ଲେଖା ଅଧିକାରୀ ଏସ୍‍. ଏସ୍‍. ମହାପାତ୍ର ଯୋଗଦେଇ ଉଚ୍ଚମାନର ଉତ୍ପାଦ ଓ ଏହାର ବିପଣନ ଉପରେ ଗୁରୁତ୍ୱାରୋପ କରିଥିଲେ। ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଏ.କେ. ଦାଶ ଉନ୍ନତ ପୋଷାକ ଡିଜାଇନ୍‍ କରିବା ସହ ଚାନ୍ଦୁଆ ଉତ୍ପାଦନ କରି ଅଧିକ ରୋଜଗାର କରିବାକୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରଶିକ୍ଷଣ ତଥା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୃହ ବିଜ୍ଞାନ ବିଭାଗର ଏସ୍‍ଏମ୍‍ଏସ୍‍ ଡଃ ହରପ୍ରିୟା ନାୟକ ମୁଖ୍ୟ ଭୂମିକା ନେଇଥିଲେ। ଏହି ଅବସରରେ ପ୍ରାୟ ୨୦ ଜଣ ମହିଳାଙ୍କ ଶିକ୍ଷାଦାନ ପାଇଁ ସିଲେଇ ମେସିନ, ଜିଗ୍‍ଜାଗ୍‍ ମେସିନ, ଆଇରନ୍‍, ଆସବାବପତ୍ର, ସିଲେଇ ସାମଗ୍ରୀ ସହ କପଡ଼ା ବିତରଣ କରାଯାଇଥିଲା। ଶେଷରେ ବୈଷୟିକ ଅଧିକାରୀ ସୁକାନ୍ତି ବେହେରା ଧନ୍ୟବାଦ ଅର୍ପଣ କରିବା ଅବସରରେ ଉକ୍ତ କେନ୍ଦ୍ରର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

Comments are closed.