ଟଙ୍କା ଫେରସ୍ତ ଦାବିରେ ସାତଶଙ୍ଖ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ମହିଳାଙ୍କ ଧାରଣା

ପଞ୍ଚାୟତ ଓ ଜୀବିକା ମିଶନ ଆକାଉଣ୍ଟରୁ ଟଙ୍କା ଆତ୍ମସାତ ଘଟଣା

ପିପିଲି :ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ୩୮ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକାଉଣ୍ଟକୁ ଟଙ୍କା ଫେରସ୍ତ କରିବା ଦାବିରେ ବ୍ୟାଙ୍କ ଠକେଇର ଶିକାର ହୋଇଥିବା ୩ଟି ପଞ୍ଚାୟତସ୍ତରୀୟ ସଂଘର ଶତାଧିକ ମହିଳା ସଦସ୍ୟା ମଙ୍ଗଳବାର ଦିନ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ। ଫଳରେ ବ୍ୟାଙ୍କ ମଧ୍ୟକୁ କୌଣସି କର୍ମଚାରୀ କିମ୍ବା ଗ୍ରାହକ ଯାଇ ପାରିନଥିବା ବେଳେ ଗୋଟିଏ ଦିନ ପାଇଁ ବ୍ୟାଙ୍କ ସଂପୂର୍ଣ୍ଣ ଅଚଳ ହୋଇଯାଇଥିଲା। ଅପରାହ୍ନରେ ବ୍ୟାଙ୍କର ଏଜିଏମ୍‍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ମହିଳାମାନଙ୍କୁ ବୁଝାସୁଝା କରିଥିଲେ। ଏହି ବ୍ୟାଙ୍କ ଜାଲିଆତି ମାମଲାରେ ପିପିଲି ପୁଲିସ ଗତ ନଭେମ୍ବର ମାସରେ ଉକ୍ତ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କ ସମେତ ଅନ୍ୟ ୫ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ପ୍ରାପ୍ତ ସୂଚନା ଅନୁଯାଇ, ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ (ଏସ୍‍ଏଫ୍‍ସି) ଆକାଉଣ୍ଟରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କା ଆତ୍ମସାତ ହୋଇଥିବା ବେଳେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ସଂଘ କର୍ମକର୍ତ୍ତାଙ୍କ ଅଜାଣତରେ ୧୫ଲକ୍ଷ ୩୬ ହଜାର ଟଙ୍କା ଆତ୍ମସାତ ହୋଇଥିଲା। ଅନୁରୂପ ଭାବେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୭ଲକ୍ଷ ୭୯ହଜାର ୫୩୪ ଟଙ୍କା ଗାଏବ ହୋଇଯାଇଥିଲା। ସେହି ବ୍ୟାଙ୍କରେ ଥିବା ଓଡିଶା ଜୀବିକା ମିଶନର ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧ ଲକ୍ଷ ୯୫ ହଜାର ଟଙ୍କା ଓ ସିଆଇଏଫ୍‍ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ଏ ସଂପର୍କରେ ପିପିଲି ବିଡିଓ ରଶ୍ମିତା ନାଥ ସେପ୍ଟେମ୍ବର ୨ ତାରିଖରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପିପିଲି ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ଘଟଣାରେ ଉକ୍ତ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କ ସମେତ ଅନ୍ୟ ୫ଜଣ କର୍ମଚାରୀଙ୍କୁ ଗତ ନଭେମ୍ବର ୧୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ବ୍ୟାଙ୍କ ଠକେଇର ଶିକାର ହୋଇଥିବା ଓଡିଶା ଜୀବିକା ମିଶନର ଉପରୋକ୍ତ ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟକୁ ଟଙ୍କା ଫେରସ୍ତ କରିବାକୁ ସଂଘର କର୍ମକର୍ତ୍ତା ଓ ସଦସ୍ୟାମାନେ ଦାବି କରିଥିଲେ। ତେବେ ପୁଲିସର ତଦନ୍ତ ସରିନଥିବା ଓ ଦସ୍ତଖତର ସତ୍ୟାସତ୍ୟ ଜାଣିବା ପାଇଁ ଫରେନ୍‍ସିକ୍‍ ଟେଷ୍ଟ ରିପୋର୍ଟ ମିଳିନଥିବା ସଂପର୍କରେ ନଭେମ୍ବର ୧୬ ତାରିଖ ଦିନ ବ୍ୟାଙ୍କ ପକ୍ଷରୁ ଉପରୋକ୍ତ ପଞ୍ଚାୟତସ୍ତରୀୟ ସଂଘର କର୍ମକର୍ତ୍ତାଙ୍କୁ ଲିଖିତଭାବେ ଜଣାଯାଇଥିଲା। ଉକ୍ତ ଟଙ୍କା ଦେଣନେଣ ଠକେଇ ଜଣାପଡ଼ିବା ପରେ ୪୫ ଦିନ ମଧ୍ୟରେ ପ୍ରତିପୂରଣ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା।

 

ତେବେ ଦୀର୍ଘଦିନ ହେବ ଆକାଉଣ୍ଟକୁ ଟଙ୍କା ଫେରସ୍ତ ନଆସିବାରୁ ଉପରୋକ୍ତ ୩ଟି ଯାକ ସଂଘ ପକ୍ଷରୁ ଉଦ୍‍ବେଗ ପ୍ରକାଶ ପାଇଥିଲା। ୭ଦିନ ମଧ୍ୟରେ ସଂଘର ଜମାଖାତାକୁ ଟଙ୍କା ଫେରସ୍ତ ନଆସିଲେ ବ୍ୟାଙ୍କ ସମ୍ମୁଖରେ ଧର୍ମଘଟ କରାଯିବା ସହ ଜାତୀୟ ରାଜପଥ ଉପରେ ଆମରଣ ଅନଶନ କରାଯିବ ବୋଲି ସଂଘ ପକ୍ଷରୁ ଗତ ୧୦ ତାରିଖରେ ବ୍ୟାଙ୍କ ସମେତ ପିପିଲି ପୁଲିସକୁ ଲିଖିତ ଆକାରରେ ଅବଗତ କରାଯାଇଥିଲା। ସେହି ଅନୁଯାଇ ଉପରୋକ୍ତ ୩ଟି ଯାକ ପଞ୍ଚାୟତସ୍ତରୀୟ ସଂଘର କର୍ମକର୍ତ୍ତା ଓ ସଦସ୍ୟାମାନେ ଆଜି ସକାଳ ୯ଟାରୁ ବ୍ୟାଙ୍କ ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଦେଇଥିଲେ। ସେମାନଙ୍କ ସଂଘର ଜମାଖାତାରୁ ଆତ୍ମସାତ ହୋଇଥିବା ଟଙ୍କାକୁ ଜମାଖାତାକୁ ଫେରସ୍ତ କରାନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ବ୍ୟାଙ୍କ ମୁଖ୍ୟ ଫାଟକ ସମ୍ମୁଖରେ ମହିଳାମାନେ ଧାରଣା ଦେବା ଫଳରେ ବ୍ୟାଙ୍କ ମଧ୍ୟକୁ ଶାଖା ପରିଚାଳକଙ୍କ ସମେତ କୌଣସି କର୍ମଚାରୀ ଯାଇପାରିନଥିଲେ। ଏହାବାଦ୍‍ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଅନ୍ୟ ୨୬ ଜଣ ଗ୍ରାହକଙ୍କ ଜମାଖାତାରୁ ସେମାନଙ୍କ ଅଜାଣତାରେ ଲକ୍ଷ ଲକ୍ଷ ଟଙ୍କା ଉଠା ଯାଇଥିବା ଅଭିଯୋଗ କରି ଉକ୍ତ ଗ୍ରାହକମାନେ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ହୋଇ ହୋହଲ୍ଲା କରିଥିଲେ। ଏ ସଂପର୍କରେ ବ୍ୟାଙ୍କ ଶାଖା ପରିଚାଳକ ଆଦିତ୍ୟ କୁମାର ଉକ୍ତ ବ୍ୟାଙ୍କର ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ। ଅପରାହ୍ନରେ ବ୍ୟାଙ୍କର ଏଜିଏମ୍‍ ପବିତ୍ର କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନରତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଘଟଣାର ତଦନ୍ତ ଚାଲିଥିବାରୁ ଟଙ୍କା ପ୍ରତିପୂରଣ କରାଯିବା ସମୟସାପେକ୍ଷ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।। ବ୍ୟାଙ୍କ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ୟାଙ୍କ କାର୍ଯ୍ୟରେ ବାଧାନଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ତେବେ, ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟକୁ ତୁରନ୍ତ ଟଙ୍କା ଫେରସ୍ତ କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

Comments are closed.