ବର୍ଦ୍ଧିତ ବିଦ୍ୟୁତ୍‍ ଦର ପ୍ରତିବାଦରେ ଦଳିତ ମହାସଂଘର ଧାରଣା ଓ ଶୋଭାଯାତ୍ରା

ପିପିଲି:ବିଦ୍ୟୁତ୍‍ ବିତରଣକାରୀ ସଂସ୍ଥା ଟାଟା ପାୱାର କମ୍ପାନୀର ଗରୀବମାରଣ ନୀତିକୁ ବିରୋଧ କରି ବିଭିନ୍ନ ଦାବି ନେଇ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷର ସୋମବାର ପିପିଲିରେ ପ୍ରତିବାଦ ଶୋଭାଯାତ୍ରା ସହ ଧାରଣା ଦିଆଯାଇଥିଲା। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ମହାସଂଘର ୫ଶହରୁ ଉର୍ଦ୍ଧ ମହିଳାନେତ୍ରୀ ଓ ସଦସ୍ୟାମାନେ ପିପିଲି ପୌରାଞ୍ଚଳର ଦରଡାଗ୍ରାମ୍ୟ ଛକ ଠାରୁ ସୋମବାର ପୂର୍ବାହ୍ନରେ ଏକ ଶୋଭାଯାତ୍ରାରେ ବାହାରି ବର୍ଦ୍ଧିତ ବିଦ୍ୟୁତ୍‍ ଦରକୁ ନେଇ ରାଜ୍ୟ ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ପିପିଲି ଚାନ୍ଦୁଆ ବଜାର, ଥାନାଛକ, ହାଟଛକ, ମେଡିକାଲଛକ ଦେଇ ଶୋଭାଯାତ୍ରା ବ୍ଳକଛକ ଠାରେ ପହଞ୍ଚିଥିବା ବେଳେ ବ୍ଳକ କାର୍ଯ୍ୟାଳୟର ମୁଖ୍ୟଫାଟକ ସମ୍ମୁଖରେ ରାସ୍ତା ଉପରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ମହାସଂଘର ରାଜ୍ୟ ସଭାପତି ଶ୍ରୀ ସେଠୀ ଟାଟା ପାୱାର କମ୍ପାନୀର ଗ୍ରାହକଶୋଷଣ ନୀତିକୁ କଡା ସମାଲୋଚନା କରିବା ସହ ବର୍ଦ୍ଧିତ ବିଦ୍ୟୁତ୍‍ଦରକୁ କଡା ବିରୋଧ କରିଥିଲେ। ମାତ୍ରାଧିକ ତୃଟିପୂର୍ଣ୍ଣ ବିଦ୍ୟୁତ୍‍ ବିଲ୍‍ ଆଦାୟକୁ ବନ୍ଦ କରିବା, ବିଦ୍ୟୁତ୍‍ ବିଲ୍‍ ଆଦାୟ ନାମରେ ଗରୀବ ଲୋକଙ୍କୁ ଶୋଷଣ ବନ୍ଦ କରାଯିବା, ୟୁନିଟ୍‍ ପିଛା ବିଦ୍ୟୁତ ଦର ୨ଟଙ୍କା ୫୦ପଇସା କରାଯିବା ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାଇ ଜଗନ୍ନାଥପୁର ଗ୍ରାମର ସ୍ୱର୍ଗତ ଚକ୍ରଧର ସେଠୀଙ୍କ ଛାତ ଉପରେ ଯାଇଥିବା ୩୩କେଭି ଲାଇନକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମହାସଂଘର ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ପ୍ରଭାତୀ ମଲ୍ଲିକ, ମିନା ସେଠୀ, ଲକ୍ଷ୍ମୀପ୍ରୀୟା ବେହେରା, ମମତା ବେହେରା, ବରିଷ୍ଠନେତା ପ୍ରକାଶ ଭୋଇ ପ୍ରମୁଖ ଦାବି କରିଥିଲେ। ବର୍ଦ୍ଧିତ ବିଦ୍ୟୁତ୍‍ ଦର ପ୍ରତ୍ୟାହର ସହ ଅନ୍ୟାନ୍ୟ ୧୨ଟି ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ମହାସଂଘ ପକ୍ଷରୁ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ପିପିଲିର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

Comments are closed.