ମଧ୍ୟସ୍ଥି ରାଜନୀତିକୁ ବନ୍ଦ କରି ଲୋକଙ୍କ ପାଇଁ କାମ କରିବି – ରୁଦ୍ରପ୍ରତାପ

ପିପିଲି: ପିପିଲିର ବିକାଶକୁ ନୂଆ କରି ଗଢିତୋଳିବି। ନିର୍ବାଚନମଣ୍ଡଳୀର ଜନସାଧାରଣମାନେ ଯେପରି କୌଣସି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ନହେବେ ସେଥିପ୍ରତି ଅଧିକ ଯତ୍ନବାନ ହେବି। ଅଞ୍ଚଳରେ ଶିକ୍ଷାର ଉନ୍ନତି ସହ ଗମନାଗମନ, ପାନୀୟଜଳ, ଜଳସେଚନ ଓ ସ୍ୱାସ୍ଥ୍ୟସେବାର ଉନ୍ନତିକୁ ପ୍ରାଥମିକତା ଦେବି। ଅଞ୍ଚଳରେ ଚାଲିଥିବା ମଧ୍ୟସ୍ଥି ରାଜନୀତିକୁ ସଂପୂର୍ଣ୍ଣ ବନ୍ଦ କରି ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚି ସେମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ କରିବି। ଅଞ୍ଚଳରେ ଶାନ୍ତି ଓ ପ୍ରଗତିକୁ ସର୍ବଦା ପ୍ରାଥମିକତା ଦେବି ବୋଲି ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପ୍ରକାଶ କରିଛନ୍ତି।

ଗୁରୁବାର ବ୍ରହ୍ମଗିରି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୀ ଜିଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପିପିଲି ବ୍ଲକ ପକ୍ଷରୁ ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ମୁଖ୍ୟମନ୍ତ୍ରୀଙ୍କ ଆଭାସି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଗୁରୁବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଆଭାସି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀମହାରଥୀ ଉପସ୍ଥିତ ରହି ପିପିଲି ବ୍ଳକର ୨ଶହ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡର ପ୍ରତୀକ ବଣ୍ଟନ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ଏହି ପରିପ୍ରେକ୍ଷିରେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବୁଧବାର ଅପରାହ୍ନରେ ଇନ୍ଦିରା ମଇଦାନ ଠାରେ ପହଞ୍ଚି ଏହି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ୪ଦିନ ଧରି ପିପିଲି ବ୍ଲକ ଓ ଏନ୍‍ଏସିର ସମସ୍ତ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ନିର୍ବାଚନମଣ୍ଡଳୀରେ ଚାଲିଥିବା ମଧ୍ୟସ୍ଥି ରାଜନୀତି (ମିଡିଏଟର) ପାଇଁ ଲୋକମାନଙ୍କ ପାଖରେ ବିଭିନ୍ନ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି। ଲୋକେ ସେମାନଙ୍କ ସମସ୍ୟାକୁ ନେଇ ସିଧାସଳଖ ଅଫିସର, ବିଧାୟକ, ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ ଆଦିଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ମୁଁ ସର୍ବପ୍ରଥମେ ସେହି ମଧ୍ୟସ୍ଥି ରାଜନୀତିକୁ ବନ୍ଦ କରିବି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ମାନି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବି ଓ ସେସବୁକୁ ସମାଧାନ କରିବା ଉପରେ ଗୁରୁତ୍ୱ ଦେବି। ପିପିଲି-ଡେଲାଙ୍ଗ ହେଉଛି ଏକ ସ୍ୱାଭିମାନ ଅଞ୍ଚଳ। ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣ ମୋ ପରିବାରର ଜଣେ ଜଣେ ସଦସ୍ୟ। ସେମାନଙ୍କ ସୁଖ, ଦୁଃଖରେ ଠିଆ ହୋଇ ସେମାନଙ୍କ ଉନ୍ନତି ପାଇଁ କାମ କରିବି। ନିର୍ବାଚନମଣ୍ଡଳୀବାସୀ ମୋ ଉପରେ ଯେଉଁ ଆଶାଭରସା ରଖିଛନ୍ତି ମୁଁ ତାହାକୁ ପୂରଣ କରିବା ଦିଗରେ ସର୍ବଦା ଉଦ୍ୟମ ଜାରି ରଖିବି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଥିବା ସ୍ୱତନ୍ତ୍ର ପ୍ୟାକେଜ୍‍ର ସମସ୍ତ ପ୍ରକଳ୍ପର ସଠିକ୍‍ଭାବେ ପୂର୍ଣ୍ଣାଙ୍ଗ ହେବା ଦିଗରେ ମୁଁ ଉଦ୍ୟମ କରିବି। ଅଞ୍ଚଳରେ ଅସଂପୂର୍ଣ୍ଣ ହୋଇ ପଡି ରହିଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ଅଞ୍ଚଳର ପ୍ରତ୍ୟେକ ସମସ୍ୟାର ସମାଧାନକୁ ମୁଁ ପ୍ରାଥମିକତା ଦେବି ବୋଲି ରୁଦ୍ରପ୍ରତାପ କହିଛନ୍ତି।

Comments are closed.