ପିପିଲି ଉପନିର୍ବାଚନ: ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ପାର୍ଟି

ପିପିଲି:ବହୁ ପ୍ରତିକ୍ଷିତ ପିପିଲି ବିଧାନସଭା ଆସନରେ ଆଉ ଦିନକ ପରେ ଅର୍ଥାତ ୩୦ତାରିଖ ଗୁରୁବାର ଦିନ ଭୋଟ୍‍ ଗ୍ରହଣ ଅନୁଷ୍ଠିତ ହେବ। ଭୋଟ୍‍ ଗ୍ରହଣ ପାଇଁ ଆଜି ପିପିଲିର ସମସ୍ତ ୧୯୯ଟି ବୁଥ୍‍ରେ ପୋଲିଂ ପାର୍ଟି ସୁରୁଖୁରୁରେ ପହଞ୍ଚିଥିବା ସୂଚନା ମିଳିଛି। ଚଳିତ ଉପନିର୍ବାଚନ ପାଇଁ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୩୪୮ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ପିପିଲି ବ୍ଳକ ଓ ଏନ୍‍ଏସି ଅଞ୍ଚଳରେ ୧୯୯ଟି ଓ ଡେଲାଙ୍ଗ ବ୍ଳକରେ ୧୪୯ଟି ମତଦାନ କେନ୍ଦ୍ର ରହିଛି। ପୁରୀ ପେଣ୍ଠକଟା ସ୍ଥିତ ୱେୟାର ହାଉସ୍‍ରୁ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୩ଟି ପର୍ଯ୍ୟାୟରେ ଆଜି ପୁଲିଂ ପାର୍ଟିମାନେ ପିପିଲି ଅଭିମୁଖେ ଯାତ୍ରା କରିଥିଲେ। ସଂନ୍ଧ୍ୟା ସାଢେ ୮ଟା ସୁଦ୍ଧା ପିପିଲିର ସମସ୍ତ ୧୯୯ଟି ଭୋଟ୍‍ଗ୍ରହଣ କେନ୍ଦ୍ରରେ ପୋଲିଂ ପାର୍ଟି ସୁରୁଖୁରୁରେ ପହଞ୍ôଚଥିବା ସୂଚନା ମଳିଛି। ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‍ଏସିର ୧୬ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ ହେଉଛି ସାଧାରଣବର୍ଗର ପ୍ରାର୍ଥିଙ୍କ ପାଇଁ ଉଦ୍ଦିଷ୍ଟ ।

 

ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା ଭୋଟର ଓ ୨ଜଣ ଅନ୍ୟାନ୍ୟ ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ୩୪୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ । ୧୭୫ଟି ମତଦାନ କେନ୍ଦ୍ରରେ ୱେବ୍‍କାଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମତଦାନ ତଦାରଖ ନିମନ୍ତେ ୨୩ ଅଣୁ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବ୍‍ଜର୍ଭର) ନିଯୁକ୍ତ କରାଯାଇଛି । ଭିନ୍ନକ୍ଷମ ମତଦାତାଙ୍କ ପାଇଁ ୩୪୮ ହୁଇଲ ଚେୟାର ଓ ୧୦୨ଟି ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଉପନିର୍ବାଚନରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ୩୦ ତାରିଖରେ ଭୋଟ୍‍ ଗ୍ରହଣ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ୍‍ ଗଣତି ଓ ଫଳ ପ୍ରକାଶ ହେବ । ୫ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ମତଦାନ ସମାପ୍ତିର ୭୨ଘଣ୍ଟା ପୂର୍ବରୁ ଅର୍ଥାତ ୨୭ ତାରିଖ ସଂନ୍ଧ୍ୟା ୬ଟାରୁ ନିର୍ବାଚନୀ ପ୍ରଚାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।

Comments are closed.