ପ୍ରଦୀପ ମହାରଥୀଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ପିପିଲି: ପିପିଲିର ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ହିନ୍ଦୁ ପରମ୍ପରା ଓ ରିତିନିତୀ ଅନୁଯାଇ କୋଭିଡ୍‍ କଟକଣା ମଧ୍ୟରେ ସଂପନ୍ନ ହୋଇଛି। ସ୍ୱର୍ଗତ ମହାରଥୀଙ୍କ ପୁତ୍ର ତଥା ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ କର୍ତ୍ତା ଭାବେ ସମସ୍ତ କାର୍ଯ୍ୟ ତୁଳାଇଥିଲେ। କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମରେ କେବଳ ରୁଦ୍ରଙ୍କ ମାଆ ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ, ପତ୍ନୀ ଜାଗୃତି, ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁଙ୍କ ସମେତ ପରିବାର ସଦସ୍ୟ ଓ ସ୍ୱଳ୍ପ ସଂଖ୍ୟାରେ ବନ୍ଧୁମାନେ ଉପସ୍ଥିତ ଥିଲେ।

ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମ ସାରି ରୁଦ୍ର ଆଜି ପିପିଲି ବ୍ଲକର ପୁବାଶାସନ ପଞ୍ଚାୟତ, ରୂପଦେଇପୁର ପଞ୍ଚାୟତ ଓ ପିପିଲି ପୌରାଞ୍ଚଳରେ ଆୟୋଜିତ ସମାବେଶ ଓ ଦଳୀୟ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ସେହିପରି ବିଭିନ୍ନ ପଞ୍ଚାୟତରେ ମଧ୍ୟ ସ୍ୱର୍ଗତ ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। କୋଭିଡ୍‍ ପରବର୍ତ୍ତି ଅସୁସ୍ଥତା କାରଣରୁ ଗତବର୍ଷ ଅକ୍ଟୋବର ମାସ ୩ ତାରିଖ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶ୍ରୀମହାରଥୀଙ୍କ ପରଲୋକ ଘଟିଥିଲା। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀମହାରଥୀ ୧୯୮୫ ମସିହାରେ ପ୍ରଥମଥର ପାଇଁ କଂଗ୍ରେସର ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନମଣ୍ଡଳୀରୁ ଜନତା ଦଳର ପ୍ରାର୍ଥି ଭାବେ ବିଜୟୀ ହୋଇଥିଲେ। ପରେ ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ। ବିଧାନସଭାରେ ମୁଖ୍ୟ ସଚେତକ ପଦବୀ ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଦୁଇ ଥର କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ସେ ସ୍ଥାନ ପାଇଥିଲେ।

Comments are closed.