ପିପିଲି ଉପନିର୍ବାଚନ : ଭୋଟ୍‍ ପ୍ରଚାର ପୂର୍ବରୁ ବିଭିନ୍ନ ଦଳର ରଣନିତୀ ପ୍ରସ୍ତୁତି

ପିପିଲି :ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ପିପିଲି ଉପନିର୍ବାଚନ ପାଇଁ ୨୦ ତାରିଖରୁ ଭୋଟ୍‍ ପ୍ରଚାର ଆରମ୍ଭ ହେବାକୁ ଥିବା ବେଳେ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ନିର୍ବାଚନୀ ରଣନିତୀ ପ୍ରସ୍ତୁତି ଚାଲିଛି। ବିଭିନ୍ନ ଜିଲାପରିଷଦ ଜୋନ୍‍, ପଞ୍ଚାୟତ ଓ ୱାର୍ଡ ସ୍ତରରେ କାର୍ଯ୍ୟକାରିଣୀ ବୈଠକ ସାଙ୍ଗକୁ ନିର୍ବାଚନୀ ପ୍ରସ୍ତୁତି ବୈଠକ କରି ଦଳୀୟ ପ୍ରାର୍ଥୀମାନେ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ସହ ପିପିଲିକୁ ଦଖଲ କରିବା ପାଇଁ ବିଭିନ୍ନ ରଣନିତୀ ପ୍ରସ୍ତୁତି ଚଳାଇଛନ୍ତି। ବିଶେଷ କରି ଏଠାକାର ୩ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବୈଠକ ମାଧ୍ୟମରେ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଉପନିର୍ବାଚନ ପରିଚାଳନା ସଂକ୍ରାନ୍ତୀୟ ବିଭିନ୍ନ ଗୁରୁମନ୍ତ୍ର ପ୍ରଦାନ କରାଯାଉଥିବା ସୂଚନା ମିଳିଛି।
ପିପିଲି ପୌରାଞ୍ଚଳ ସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରେ ଗତ ଦୁଇଦିନ ଧରି ୨୩ ଓ ୨୪ ନମ୍ବର ଜିଲାପରିଷଦ ଜୋନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପିପିଲି ବ୍ଲକ ଦାୟିତ୍ୱରେ ଥିବା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ମୁଦୁଲି, ଶ୍ରୀକାନ୍ତ ସାହୁ, ପିପିଲିର ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିବା ସହିତ ତୃଣ ମୂଳସ୍ତରରୁ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗଦାଧର ଦାଶ, ବରିଷ୍ଠନେତା ଇଶ୍ୱର ପ୍ରଶାଦ ଦାଶ, କିଶୋର ଛୋଟରାୟ, ଆର୍ତ୍ତବନ୍ଧୁ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ଆଗାମୀ ଉପନିର୍ବାଚନକୁ ସଫଳତାର ସହ ପରିଚାଳନା ନେଇ ଦଳ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି।

 

ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଏହି ଉପନିର୍ବାଚନରେ ବିଜୟୀ କରାଇବା ପାଇଁ ଦଳୀୟ ନେତା ଓ କର୍ମୀମାନେ ଜୋରଦାର ଉଦ୍ୟମ ଜାରି ରଖିଥିବା ବେଳେ ମଣ୍ଡଳ ସଭାପତି ସୁକାନ୍ତ ଭଟ୍ଟଙ୍କ ସଭାପତିତ୍ୱରେ ସ୍ଥାନୀୟ ଏକ କଲ୍ୟାଣମଣ୍ଡପ ଠାରେ ପିପିଲି ନଗର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲା ବିଜେପିର ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର, ବରିଷ୍ଠ ନେତା ରମେଶ ପଣ୍ଡା, ସୁରେଶ୍ୱର ପ୍ରସାଦ ଗିରି, ସରପଞ୍ଚ ଶୁଭାଶିଷ ରଥ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ଯୁବନେତା ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ ବିଜେପି ଦଳର ନିତୀ ଓ ଆଦର୍ଶ ସଂପର୍କରେ ଆଲୋକପାତ କରିବା ସହ କେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କିତ ବାର୍ତ୍ତାକୁ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉପନିର୍ବାଚନକୁ ପରିଚାଳନା କରିବା କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଦଳର ସାଙ୍ଗଠନିକ ଶକ୍ତିକୁ ଅଧିକ ମଜବୁତ କରିବା ଉପରେ ନେତାମାନେ କର୍ମୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।
ସେହିପରି କଂଗ୍ରେସ ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ପିପିଲିର ମଙ୍ଗଳପୁର, ରୂପଦେଇପୁର, ସହଜପୁର ଓ ଯଶୁଆପୁର ଆଦି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ପୁରୁଖା ଓ ଯୁବ ନେତାଙ୍କ ସମେତ କର୍ମୀମାନେ ଯୋଗଦେଇଥିଲେ। ପିପିଲି ବ୍ଳକ କଂଗ୍ରେସ କମିଟିର ସଭାପତି ଜିତୁପ୍ରକାଶ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ଗୁଡିକରେ ବିଧାୟକ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ବ୍ରହ୍ମଗିରି କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାକାନ୍ତ ବରାଳ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳର ନିତୀ ଓ ଆଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଦଳର ସମସ୍ତ ପୁରୁଖା କର୍ମୀମାନଙ୍କୁ ଏକଜୁଟ ହୋଇ ନିର୍ବାଚନ ଲଢିବାକୁ ପରାମର୍ଶ ଦେଇଥିଲେ।

Comments are closed.