ଲଗାଣ ବର୍ଷାରେ ବେହାଲ ପିପିଲି

ଉଜୁଡିଲା ପନିପରିବା ଚାଷ, ଚିନ୍ତାରେ ଚାଷୀ

ପିପିଲି:ଲଘୁଚାପ ଜନିତ ଲଗାଣବର୍ଷା ଫଳରେ ପିପିଲି ଏନ୍‍ଏସି ସମେତ ୨୫ଟି ପଞ୍ଚାୟତର ଅବସ୍ଥା ବେହାଲ ହୋଇପଡିଛି । ଲୋକେ ଘରୁ ପଦାକୁ ବାହାରି ପାରୁନଥିବା ବେଳେ ଚାଷଜମି ଉପରେ ବର୍ଷାଜଳ ଲହଡି ଭାଙ୍ଗୁଛି । ଫଳରେ ଅନେକ ସ୍ଥାନରେ ପନିପରିବା ସାଙ୍ଗକୁ ଫୁଲ ଚାଷ ଉଜୁଡି ଯାଇଥିବା ବେଳେ ଏଥିଯୋଗୁଁ ଚାଷୀଙ୍କ ଚିନ୍ତା ବଢିଯାଇଛି ।

ଶନିବାର ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ପିପିଲି ଏନ୍‍ଏସିର ବିଭିନ୍ନ ୱାର୍ଡରେ ବର୍ଷାଜଳ ଜମିରହିବା ଫଳରେ ନାନା ସମସ୍ୟା ସୃଷ୍ଟି ହୋଇଛି । କେତେକ ୱାର୍ଡରେ ରାସ୍ତାଘାଟ ପାଣିରେ ବୁଡି ଯାଇଥିବା ବେଳେ ଖାଲୁଆ ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି ଓ ବହୁଘର ମଧ୍ୟରେ ପାଣି ପଶିଯାଇଛି । ପିପିଲି ଚର୍ଚ୍ଚରୋଡ୍‍ ଉପରେ ଦେଢଫୁଟ୍‍ ଉଚ୍ଚତାରେ ପାଣି ଜମି ରହିଥିବା ବେଳେ ପିପିଲି ନୋଡାଲ ହାଇସ୍କୁଲର ଖେଳପଡିଆରେ ଅଢେଇ ଫୁଟ୍‍ ଉଚ୍ଚତାରେ ପାଣି ଲହଡି ଭାଙ୍ଗୁଛି । ପିପିଲି ଟିଚର୍ସ କଲୋନୀର ୩ଟି ରାସ୍ତା ଉପରେ ଦେଢରୁ ଦୁଇଫୁଟ୍‍ ଉଚ୍ଚତାରେ ବର୍ଷାଜଳ ଜମିରହିଛି । ଜଳ ନିଷ୍କାସନ ଅଭାବରୁ ସିରିଆପୁର ୧୩ନଂ ୱାର୍ଡର ଅଶୋକ ନଗରରେ ଥିବା ୬ଟି ଘର ମଧ୍ୟରେ ପାଣି ପଶିଥିବା ବେଳେ ପରିବାର ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି । ଦରଜୀସାହି ରାସ୍ତା ସମେତ ମେଳଣପଡିଆ ରାସ୍ତା ଉପରେ ୨ଫୁଟ୍‍ ଉଚ୍ଚତାରେ ବର୍ଷାଜଳ ଲହଡି ଭାଙ୍ଗୁଥିବା ବେଳେ ସେଠାକାର ୧୫ରୁ ଉର୍ଦ୍ଧଘର ସଂପୂର୍ଣ୍ଣ ଜଳଘେରରେ ଥିବା  ସୂଚନା ମିଳିଛି । ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା କେତେକ ରାସ୍ତା ବର୍ଷାଜଳରେ ବୁଡି ଯାଇଥିବା ବେଳେ ଯାତାୟତରେ ଲୋକେ ଘୋର ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେବେ ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଉଥିବା ସଂପର୍କରେ ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ସୂଚନା ଦେଇଛନ୍ତି ।

 

ପିପିଲି ବ୍ଳକର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମ୍ୟରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ଜଳନିଷ୍କାସନ ଅଭାବରୁ କେତେକ ଗ୍ରାମରେ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡିକ ସଂପୂର୍ଣ୍ଣ ଜଳବନ୍ଦି ହୋଇ ରହିଥିବା ବେଳେ କେତେକ ଘରମଧ୍ୟରେ ପାଣି ପଶିଥିବା ସୂଚନା ମିଳିଛି । କଣ୍ଟି ପଞ୍ଚାୟତର ନିଜିଗଡକୁରୁଖି ପାତ୍ରସାହି ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଉପରେ ଦେଢଫୁଟ୍‍ ଉଚ୍ଚତାରେ ବର୍ଷାଜଳ ଜମିରହିଛି । ଫଳରେ ଯାତାୟତରେ ଲୋକେ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଉକ୍ତ ରାସ୍ତାରେ ଗାଡିମୋଟର ଚଳାଚଳ ସଂପୂର୍ଣ୍ଣବନ୍ଦ ହୋଇଯାଇଛି । ପାତ୍ରସାହିର ୩ଟି ଘର ସଂପୂର୍ଣ୍ଣ ଜଳବନ୍ଦି ହୋଇ ରହିଥିବା ସୂଚନା ମିଳିଛି । ସବୁଠାରୁ ବଡକଥା ହେଲା, ଜଳନିଷ୍କାସନ ଅଭାବରୁ ଖାଲୁଆ ଅଞ୍ଚଳରେ ଥିବା ଚାଷଜମିରେ ୩ରୁ ୪ଫୁଟ୍‍ ଉଚ୍ଚତାରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଅନେକ ମାଛପୋଖରୀ ବର୍ଷାରେ ବୁଡି ଯାଇଛି । ଅନେକ ସ୍ଥାନରେ ଚାଷଜମି ଓ ମାଛପୋଖରୀ ପାଣିରେ ବୁଡି ଏକାକାର ହୋଇଯାଇଥିବା ପରିଲକ୍ଷିତ ହୋଇଛି । ଲଗାଣବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିଥିବା ବେଳେ ବଜାରଘାଟ ଖାଁଖାଁ ଲାଗୁଥିଲା । ବର୍ଷାରେ ଲୋକେ ଘରୁ ବାହାରି ପାରିନଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟ ଖାଁ ଖାଁ ଲାଗୁଥିଲା ।  ତେବେ ଲଗାଣ ବର୍ଷା ଯୋଗୁଁ ଅନେକ ଜମିରେ ପାଣି ଜମି ରହିଥିବା ବେଳେ ପନିପରିବା ଚାଷ ଉଜୁଡି ଯାଇଥିବା ସୂଚନା ମିଳିଛି । ଅଧିକାଂଶ ଜମିରେ କରାଯାଇଥିବା ଶାଗ,  କଲରା,  ଝୁଡଙ୍ଗ, ଲଙ୍କା, ଟମାଟୋ, ବାଇଗଣ, ମୁଳା, ପୋଦିନା  ଆଦି ଫସଲ  ଉଜୁଡି ଯାଇଥିବା ବେଳେ ଏହା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବର୍ଷାମାଡରେ ଅନେକ ଜମିରେ ପନିପରିବା ଗଛ ମାଟିରେ ମିଶିଯାଇଥିବା ବେଳେ ଧାନଚାଷ କରାଯାଇଥିବା ଅନେକ ଜମି ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବା ପରିଲକ୍ଷିତ ହୋଇଛି। ଲଗାଣ ବର୍ଷାରେ ଫୁଲଚାଷ ମଧ୍ୟ ଉଜୁଡି ଯାଇଥିବା ବେଳେ ଖୋଲାସ୍ଥାନରେ କରାଯାଇଥିବା ଛତୁଚାଷ ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

ଫଟୋ ଆଟାଚ ଅଛି ।

Comments are closed.