ସ୍ଥାୟୀ ନିଯୁକ୍ତି ଦାବିରେ ନବୀନ ନିବାସ ଅଭିମୁଖେ ପଦଯାତ୍ରା, ରାସ୍ତା କଡରେ ରାତି କଟାଇଲେ ଛଟେଇ ସ୍ୱାସ୍ଥ୍ୟକର୍ମୀ

ପିପିଲି: କୋଭିଡ୍‍ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ସେବା ଯୋଗାଇ ଆସିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ‘ଜୟ ଜଗନ୍ନାଥ କୋଭିଡ୍‍-୧୯ ପାରାମେଡିକ୍ସ ସଂଘ, ଓଡିଶା’ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀରୁ ନବୀନ ନିବାସ ଅଭିମୁଖେ ବାହାରିଥିବା ପଦଯାତ୍ରା ଶନିବାର ରାତିରେ ମଙ୍ଗଳପୁର ଠାରେ ପହଞ୍ଚିଛି। ସେଠାରେ ଆନ୍ଦୋଳନକାରୀ ସ୍ୱାସ୍ଥ୍ୟକର୍ମୀମାନେ ରାସ୍ତା କଡରେ ବସିରହି ରାତି କଟାଉଥିବା ସୂଚନା ମିଳିଛି। କୋଭିଡ୍‍-୧୯ର ପ୍ରଥମ ଲହର କମିବା ପରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସରକାର ଛଟେଇ କରି ଦେଇଥିବା ବେଳେ ବାରମ୍ବାର ଦାବି ଓ ଆନ୍ଦୋଳନ କରାଯିବା ପରେ ଦ୍ୱିତୀୟ ଲହର ବେଳକୁ ପୁନର୍ବାର ସେମାନଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଇଥିଲେ।

ତେବେ କରୋନାରେ ପ୍ରକୋପ କମିବା ପରେ ସେମାନଙ୍କୁ ପୁନର୍ବାର ଛଟେଇ କରାଯାଇଥିବା ବେଳେ ଏହାର ବିରୋଧ କରି ପାରାମେଡିକ୍ସ ସଂଘର ରାଜ୍ୟ ସଭାପତି ଅଧିର କୁମାର ଜେନା, ଉପସଭାପତି ଆଶିଷ ସିଂହ, ସଂପାଦକ ଅରୁଣ ବାରିକ, ସୁବାଶିଷ ବେହେରା, ସାଧାରଣ ସଂପାଦିକା ସୁନମତୀ ଦୁତିଚାନ୍ଦ, ଆଦିତ୍ୟ ବିଶ୍ୱାଳ, ସୁଧାଂଶୁ ଶେଖର ସାମଲ, କ୍ଷମାମୟୀ ରଥଙ୍କ ନେତୃତ୍ୱରେ ଛଟେଇ ସ୍ୱାସ୍ଥ୍ୟକର୍ମୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ପୁରୀରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ଗତକାଲି ସେମାନେ ସାକ୍ଷୀଗୋପାଳ ଠାରେ ରାତ୍ରିଯାପନ କରିଥିବା ବେଳେ ଆଜି ସକାଳୁ ସେଠାରୁ ପଦଯାତ୍ରାରେ ବାହାରି ରାତି ୧୧ଟାରେ ମଙ୍ଗଳପୁର ପେଟ୍ରୋଲ ଟାଙ୍କି ନିକଟରେ ପହଞ୍ଚିବା ସହ ରାସ୍ତାକଡରେ ରାତ୍ରିଯାପନ କରିଥିବା ସୂଚନା ମିଳିଛି।

Comments are closed.