ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍‍ ଦେବା ପାଇଁ ମୁଁ କାମ କରୁଛି ଓ କରିଚାଲିବି: ମୁଖ୍ୟମନ୍ତ୍ରୀ

ନିର୍ବାଚନମଣ୍ଡଳୀବାସୀଙ୍କ ସୁଖ, ଦୁଃଖର ସାଥି ଥିଲେ ମହାରଥୀ

ପିପିଲି :ଗ୍ରାମାଞ୍ଚଳର ବିକାଶ ଓ ମହିଳାଙ୍କ ବିକାଶ ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇଆସିଛି। କୃଷି ଓ କୃଷକର ଉନ୍ନତି ପାଇଁ କାମ କରିଚାଲିଛି। ଗରୀବଲୋକଙ୍କ କଲ୍ୟାଣ ସହ ସେମାନଙ୍କ ମୁହଁରେ ହସ ମୋତେ ସବୁଠାରୁ ଅଧିକ ଶାନ୍ତି ଦେଇଥାଏ। ଗରୀବଲୋକଙ୍କୁ ସେମାନଙ୍କ ଅଧିକାର ଦେବା ସହ ସମସ୍ତଙ୍କ ନିକଟରେ ବିକାଶ ପହଞ୍ଚାଇବା ମୋର ଲକ୍ଷ୍ୟ। ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍‍ ଦେବା ପାଇଁ ମୁଁ କାମ କରୁଛି ଓ କରିଚାଲିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଓ ଡେଲାଙ୍ଗର ସାମଗ୍ରିକ ବିକାଶ ପାଇଁ ମଙ୍ଗଳବାର ଭର୍ଚୁଆଲ ସଭାରେ ୬୭.୬୮ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ପ୍ରକାଶ କରିଛନ୍ତି। ପିପିଲିର ଦାଣ୍ଡମୁକୁନ୍ଦପୁର ଓ ଡେଲାଙ୍ଗ ବ୍ଳକର ରେଞ୍ଚ ଠାରେ ଆଜି ପୂର୍ବାହ୍ନରେ ଆୟୋଜିତ ଦୁଇଟି ଭର୍ଚୁଆଲ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିପିଲି ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୬ କୋଟି ୮୫ଲକ୍ଷ, ପିପିଲି ବ୍ଲକର ସାମଗ୍ରିକ ବିକାଶ ପାଇଁ ୨୪ କୋଟି ୪୧ଲକ୍ଷ ଓ ଡେଲାଙ୍ଗ ବ୍ଳକର ସାମଗ୍ରିକ ବିକାଶ ପାଇଁ ୨୬କୋଟି ୪୨ଲକ୍ଷ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସ୍ମତିଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାରଥୀ ସବୁବେଳେ ପିପିଲି-ଡେଲାଙ୍ଗର ବିକାଶ ସହ ଯୋଡିହୋଇ ରହିଥିଲେ। ଏହି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସାରା ଜୀବନ କାମ କରିଥିବା ସ୍ୱର୍ଗତ ମହାରଥୀ ଅଞ୍ଚଳବାସୀଙ୍କ ସୁଖ ଓ ଦୁଃଖର ସାଥୀ ଥିଲେ। କୃଷକଙ୍କ ପରିଶ୍ରମ ଯୋଗୁଁ ଦେଶର ଅର୍ଥନୀତି ଆଜି ବଞ୍ଚିରହିଛି।

କରୋନାକୁ ଭୟ ନକରି ଚାଷୀଭାଇମାନେ ନିଜର ଚାଷକାର୍ଯ୍ୟ ଜାରି ରଖିଥିଲେ। କରୋନା ଲକ୍‍ଡାଉନ ସମୟରେ ମିଶନଶକ୍ତିର ମାଆମାନେ ସବୁଠାରୁ ଭଲ କାମ କରିଛନ୍ତି। ସେଥିପାଇଁ ମାତୃଶକ୍ତି ଓ ଚାଷୀଭାଇ, ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ କୋଭିଡ୍‍ ଗାଇଡ୍‍ଲାଇନକୁ ଠିକ୍‍ଭାବେ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ପିପିଲି-ଡେଲାଙ୍ଗର ବିକାଶ ପାଇଁ ମଞ୍ଜୁର ହୋଇଥିବା ଅର୍ଥରେ ଅଞ୍ଚଳର ରାସ୍ତାଘାଟ ଠାରୁ ଆରମ୍ଭ କରି ଜଳସେଚନ, ସେତୁ, ବସ୍‍ଷ୍ଟାଣ୍ଡ, ପାର୍କ, ବିଦ୍ୟାଳୟ ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶକୁ ଏହା ଆହୁରି ଆଗକୁ ନେବ। ୧୯୨୧ ମାର୍ଚ୍ଚରେ ଜାତୀର ପିତା ମହାତ୍ମାଗାନ୍ଧୀ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ବେଳେ ଗାନ୍ଧୀଜୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଚଳିତ ବର୍ଷ ରାଜ୍ୟସରକାରଙ୍କ ପକ୍ଷରୁ ପାଳନ କରାଯାଉଛି। ୧୯୩୮ମସିହାରେ ସେ ଡେଲାଙ୍ଗର ବେରବୋଇକୁ ଆସିଥିଲେ ଏବଂ ସେହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ସେ ଯୋଗଦେଇଥିଲେ। ଗାନ୍ଧିଜୀଙ୍କ ସ୍ମୃତିରେ ବେରବୋଇ ପବିତ୍ର ହୋଇଥିବା ବେଳେ ବେରବୋଇ ସ୍ମୃତି ପୀଠର ଉନ୍ନତି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବେରବୋଇ ଠାରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।


୫ଟି ସଚିବ ଭି.କେ ପାଣ୍ଡିଆନ ଏହି ଭର୍ଚୁଆଲ ସଭାକୁ ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସହ ପିପିଲି-ଡେଲାଙ୍ଗରେ ହୋଇଥିବା ବିଭିନ୍ନ ବିକାଶ ସଂପର୍କରେ ଆଲୋକପାତ କରିଥିଲେ । ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ଓ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ନିଜନିଜର ଅଭିଭାଷଣ ରଖିଥିଲେ। ପିପିଲି ସଭାରେ ପୁରୀ ଜିଲାପାଳ ସମର୍ଥ ବର୍ମା ଓ ଡେଲାଙ୍ଗ ସଭାରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପିଡି ଡିଆର୍‍ଡିଏ ନୀତିରଞ୍ଜନ ସେନ, ଉପଜିଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରତାପ କେଶରୀ ଦେବ, ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଏହି ଅବସରରେ କେତେକ ଭିନ୍ନକ୍ଷମଙ୍କୁ ଭତ୍ତା ସହ ହୁଇଲ୍‍ଚେୟାର ଓ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବାଭତ୍ତା ପ୍ରଦାନ କରାଯାଇଥିଲା।


ପିପିଲି ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗି ଜେନା, ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ଯୁବନେତା ସୁକାନ୍ତ କୁମାର ପଣ୍ଡା, ଆର୍ତ୍ତବନ୍ଧୁ ସାମନ୍ତରାୟଙ୍କ ସମେତ ଜିଲାପରିଷଦ ସଭ୍ୟ,ସଭ୍ୟା, ସରପଞ୍ଚ, ନୋମିନ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ସପନ କୁମାର ନନ୍ଦ, ଡେଲାଙ୍ଗ ବିଡିଓ କ୍ଷିରୋଦର ପ୍ରଧାନ, ତହସିଲଦାର ରାଜେନ୍ଦ୍ର କୁମାର ଆଚାର୍ଯ୍ୟା, ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.