ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ; ପିପିଲି ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ପିପିଲି : ପିପିଲି ପୁଲିସର ମାଡରେ ୫ଜଣ ଅଭିଯୁକ୍ତ ଗୁରୁତର ଭାବେ ଆହତ ହେବା ଘଟଣା ରାଜ୍ୟବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି କରିଥିବାବେଳେ ପୁଲିସ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ପକ୍ଷରୁ ଶନିବାର ସଂନ୍ଧ୍ୟାରେ ପିପିଲି ଥାନା ସମ୍ମୁଖରେ ଧାରଣା ଦିଆଯାଇଛି । ମାଡ ମାରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଶନିବାର ସଂନ୍ଧ୍ୟାରେ ପିପିଲି ଥାନା ମୁଖ୍ୟଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି । ଅପରାଧିଙ୍କୁ ମାଡ ମାରିବାର କ୍ଷମତା ପୁଲିସର ନଥିବା ବେଳେ ପୁଲିସ ଆଇନକୁ ହାତକୁ ନେଇ ଯେଭଳି ଅମାନୁଷିକ ଭାବେ ଅଭିଯୁକ୍ତଙ୍କୁ ମାଡ ମାରିଛି ତାହା ସମ୍ବିଧାନର ବିରୋଧି ବୋଲି ଶ୍ରୀମତୀ ପାତ୍ର ଅଭିଯୋଗ କରିବା ସହ ମାଡ ମାରିଥିବା ପୁଲିସ ଅଫିସର ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରିବର୍ତ୍ତେ ତାଙ୍କୁ ନିର୍ମମ ଭାବେ ମାଡ ମାରିବାକୁ ପୁଲିସକୁ କିଏ କ୍ଷମତା ଦେଲା ବୋଲି ଶ୍ରୀମତୀ ପାତ୍ର ପ୍ରଶ୍ନ କରିବା ସହ ଆଇନର ରକ୍ଷକ ହୋଇ ପୁଲିସ ନିଜେ ଅପରାଧି ତଥା ହତ୍ୟାକାରୀ ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି । ପିପିଲି ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ପିପିଲି ପୁଲିସ ଦ୍ୱାରା ଗିରଫ ହୋଇ ଗୁରୁତର ଅସୁସ୍ଥ ଥିବା ଅଭିଯୁକ୍ତ ପ୍ରତାପ ବେହେରାଙ୍କ ପରିବାର ଲୋକେ ମଧ୍ୟ ଏହି ଧାରଣାରେ ବସିଛନ୍ତି । ପୁଲିସ ସେମାନଙ୍କ ପୁଅକୁ କିଛିଦିନ ତଳୁ ଉଠାଇ ନେଇଥିବା ବେଳେ ଏପର୍ଯ୍ୟନ୍ତ ପରିବାର ଲୋକେ ପ୍ରତାପଙ୍କ ଖୋଜ ଖବର ପାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଆମ ପୁଅ ସହ ଆମକୁ ତୁରନ୍ତ ସାକ୍ଷାତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଅଭିଯୁକ୍ତଙ୍କୁ ପିପିଲି ପୁଲିସ ନିର୍ମମ ଭାବେ ମାଡ ମାରିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ପିପିଲି ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ ହୋଇନଥିବା ସୂଚନା ମିଳିଛି ।

Comments are closed.