ବନ୍ୟାପାଣିରେ ଉବୁଟୁବୁ ହେଉଛି ଚାନ୍ଦୁଆ ସହର ପିପିଲି; ଦେଖନ୍ତୁ କେମିତି ରହିଛି ସ୍ଥିତି ?

ନଦୀବନ୍ଧ ଉପରେ ଆଶ୍ରୟ ନେଲେ ୧୪ ପରିବାର, କଣ୍ଟି ପଞ୍ଚାୟତର ଦୁଇ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପିପିଲି: ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ନଦୀ ଉପକୂଳବର୍ତ୍ତି ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଆତଙ୍କିତ ହୋଇପଡିଛନ୍ତି। ଦୟାନଦୀର ମାଧିପୁର ଓ କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ଶହ ଶହ ହେକ୍ଟର ଚାଷଜମିକୁ ସଂପୂର୍ଣ୍ଣ ଜଳପ୍ଲାବିତ କରିଥିବା ବେଳେ ଏକାଧିକ ଗ୍ରାମ ଜଳବନ୍ଦୀ ହୋଇରହିଛି।
କଣ୍ଟିକାଜରୁ ନିର୍ଗତ ବନ୍ୟାଜଳ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଗ୍ରାମ ନିକଟରେ ରାସ୍ତା ଉପରେ ଅଢେଇ ଫୁଟ ଉଚ୍ଚତାରେ ପ୍ରବାହିତ ହେବା ଫଳରେ ଉକ୍ତ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ବଡକଣ୍ଟି, ବଡକଣ୍ଟିର ଦଳିତ ସାହି, ମୁଣ୍ଡାସାହି ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିବା ବେଳେ ୧୦ରୁ ଉର୍ଦ୍ଧଗ୍ରାମ ପାଣିଘେରରେ ରହିଛି। ବଡକଣ୍ଟିର ଦଳିତ ସାହି ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥିବା ସୂଚନା ମିଳିଛି। ଦୟାନଦୀର କାକୁଡିଆ ନଦୀପଠାରେ ଥିବା ମୁଣ୍ଡାସାହି ସଂପୂର୍ଣ୍ଣ ପାଣିଘେରରେ ରହିଥିବା ବେଳେ ଅଧିକାଂଶ ଘର ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି। ଉକ୍ତ ମୁଣ୍ଡାସାହିର ଅଧିବାସୀଙ୍କୁ କାକୁଡିଆ ସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। କାକୁଡିଆ ଠାରେ ଥିବା କେତକୀ ବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ କାକୁଡିଆରୁ ନିଜିଗଡକୁରୁଖି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ବେଳେ କାକୁଡିଆ ଗ୍ରାମ ମଧ୍ୟରେ ବନ୍ୟାଜଳ ପଶିବାର ଆଶଙ୍କା ସୃଷ୍ଟି ହୋଇଛି।

ସେହିପରି ମାଧିପୁର କାଜରୁ ନିର୍ଗତ ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମି ସଂପୂର୍ଣ୍ଣ ଜଳପ୍ଲାବିତ ହୋଇଥିବା ବେଳେ ଜମ୍ବିଲା, କେରୁଣ୍ଡେଇ, ହୁଙ୍କେଇପୁର ସମେତ ହାଟସାହି ପଞ୍ଚାୟତର ଭୋଇଗୁଣ, ପୋଡାଗୁଣ, ମିର୍ଜାପୁର, କଣ୍ଠପୁର, କମଳାସାଗରପାଟଣା, ହାଟସାହି ବେହେରାସାହି, ବ୍ରହ୍ମାଳଙ୍ଗ, ଘାସିଆ, ବନ୍ତଳସିଂହଦେଉଳୀ ଦାସସାହି ଆଦି ଗ୍ରାମ ଜଳବନ୍ଦୀ ହୋଇଛି। ବହୁ ଘର ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଛି। ମିର୍ଜାପୁର ପ୍ରାଥମିକ ବିଦ୍ୟାଳୟ, କମଳାସାଗରପାଟଣା ପ୍ରାଥମିକ ବିଦ୍ୟାଳୟ, ପୋଡାଗୁଣ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜମ୍ବିଲା ପ୍ରାଥମିକ ବିଦ୍ୟାଳୟ, ବାଗେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟ, ଅଠରଭାଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଧିପୁର ବିଶ୍ୱନାଥ ହାଇସ୍କୁଲ, ଶାସ୍ତ୍ରୀଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଅନେକ ଗୁଡିଏ ବିଦ୍ୟାଳୟ ଏବେ ବନ୍ୟାଜଳ ଘେରରେ ଥିବା ସୂଚନା ମିଳିଛି । ଦୟାନଦୀର ବାମପାର୍ଶ୍ବରେ ବନ୍ଧର ତଇଲାସାହି, ନିଁପୁର, ତିଗିରିଆ, ନାରଣଖେତା ଓ ଦକ୍ଷିଣପାର୍ଶ୍ବରେ ବନ୍ଧର ପୋପରଙ୍ଗା ଆଦି ସ୍ଥାନରେ ଘଳିଆ ସୃଷ୍ଟି ହୋଇଛି । ଉକ୍ତ ଘଳିଆ ଗୁଡିକୁ ବାଲିବସ୍ତା ପକାଯାଇ ମରାମତି କରାଯାଉଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି। କଣ୍ଟି ନାରଣଖେତା ନିକଟରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ସଂପୂର୍ଣ୍ଣ ବନ୍ୟାଜଳ ମଧ୍ୟରେ ରହିଥିବା ବେଳେ ମନ୍ଦିର ମଧ୍ୟରେ ୫ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଛି।
ସେହିପରି ଭାର୍ଗବୀ ନଦୀରେ ମଧ୍ୟ ବେଳକୁ ବେଳ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଦକ୍ଷିଣପାର୍ଶ୍ବରେ ବନ୍ଧରେ ୫୦ରୁ ଉର୍ଦ୍ଧ ସଂଖ୍ୟାରେ ପାଣିଝର ସୃଷ୍ଟି ହୋଇଛି। ନବାଟିଆ ଓ ସୁନାପଦା ନିକଟରେ ୨ଟି ଘଳିଆ ସୃଷ୍ଟି ହୋଇଥିବା ବେଳେ ସେସବୁକୁ ମରାମତି କରାଯାଇଥିବା ସଂପର୍କରେ ଉତ୍ତରା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜିତୁକୃଷ୍ଣ ନନ୍ଦ ସୂଚନା ଦେଇଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ଘଳିଆର ମରାମତି କରାଯାଇଥିବା ବେଳେ ନଦୀବନ୍ଧ ଉପରେ ୨୪ଘଣ୍ଟିଆ ପେଟ୍ରୋଲିଂ କରାଯାଇ ସତର୍କ ଦୃଷ୍ଟି ରଖାଯାଇଛି। ପୁବାଶାସନ ପଞ୍ଚାୟତର ନଦୀପଠାରେ ଥିବା ଶବରସାହି ସଂପୂର୍ଣ୍ଣ ବନ୍ୟାଜଳରେ ବୁଡିଯାଇଥିବା ବେଳେ ୧୪ଟି ବନ୍ୟା ବିପନ୍ନ ପରିବାରର ସଦସ୍ୟମାନେ ନଦୀବନ୍ଧ ଉପରେ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଥିବା ପରିଲକ୍ଷିତ ହୋଇଛି। ହରିପୁର ଠାରେ ନଦୀପଠାରେ ଥିବା ବିଶେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ମଧ୍ୟରେ ୪ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବେଶ କରିଥିବା ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଓ ଆବଶ୍ୟକ ପ୍ରସ୍ତୁତି କରାଯାଇଥିବା ସଂପର୍କରେ ପିପିଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି। ବ୍ଲକର ସମସ୍ତ ଆଶ୍ରୟସ୍ଥଳୀ ସମେତ ସରକାରୀ ବିଦ୍ୟାଳୟ, କଲ୍ୟାଣମଣ୍ଡପ, ଅଙ୍ଗନୱାଡି କେନ୍ଦ୍ର ଆଦିରେ ବନ୍ୟା ବିପନ୍ନଙ୍କ ଆଶ୍ରୟ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି।

Comments are closed.