MEllora 950×100

ବିଭିନ୍ନ ଦାବି ନେଇ ଦଳିତ ମହାସଂଘର ଧାରଣା ଓ ବିକ୍ଷୋଭ

ପିପିଲି : ଜଣେ ଭାଗଚାଷୀର ଧାନ ଫସଲକୁ ଘାସମରା ଔଷଧ ପକାଇ ନଷ୍ଟ କରି ଦିଆଯିବା ଓ ଏକ ଘରୋଇ ଫାଇନାନ୍ସ ସଂସ୍ଥା ଗରୀବ ଲୋକଙ୍କୁ ଲୁଟୁଥିବା ଅଭିଯୋଗ କରି ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବୁଧବାର ଦିନ ପିପିଲିରେ ଗଣଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ମହାସଂଘର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ରାଜ୍ୟ ଉପସଭାନେତ୍ରୀ ଟିକିନା ମଲ୍ଲିକ, ପୁରୀ ଜିଲା ସଭାନେତ୍ରୀ ଲକ୍ଷ୍ମୀପ୍ରୀୟା ବେହେରା, ନାରୀନେତ୍ରୀ କୁନି ସେଠୀ, ଗୀତାରାଣୀ ମଲ୍ଲିକ, କବିତା ବେହେରା, ମମତା ବେହେରା, ସବିତା ସେଠୀ, ଦଳିତ ନେତା କାଳନ୍ଦୀ ବେହେରାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ବୁଧବାର ପିପିଲି ବଜାର ସ୍ଥିତ ଏକ ଘରୋଇ ଫାଇନାନ୍ସ ସଂସ୍ଥା ସମ୍ମୁଖରେ ଗଣଧାରଣା ଦେଇଥିଲେ। ଶ୍ରୀସେଠୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ସଂସ୍ଥା ପକ୍ଷରୁ ମହିଳାମାନଙ୍କୁ ୫୦ହଜାର ଟଙ୍କା ଋଣ ମଞ୍ଜୁର କରାଯାଇ ଋଣଧାରୀଙ୍କ ଆକାଉଣ୍ଟକୁ ୪୪ହଜାର ଟଙ୍କା ପ୍ରଦାନ କରାଯାଉଥିବା ଓ ଶହେଟି କିସ୍ତିରେ ସେମାନଙ୍କ ଠାରୁ ୫୨ହଜାର ଟଙ୍କା ଆଦାୟ କରାଯାଉଅଛି । ସ୍ଥାନୀୟ ଜଗନ୍ନାଥପୁର ଦଳିତ ସାହିର ସବିତା ସେଠୀ ଆଣିଥିବା ଋଣକୁ ପରିଶୋଧ କରିଥିଲେ। ତେବେ ଗତ ୨୦୨୧ ଅପ୍ରେଲ ୨୬ ତାରିଖରେ ତାଙ୍କୁ ପୁନର୍ବାର ୧୩ହଜାର ୫୦୫ଟଙ୍କା ଉକ୍ତ ସଂସ୍ଥା ପକ୍ଷରୁ ଋଣ ଦିଆଯାଇଥିବା ନେଇ ସଂସ୍ଥା ପକ୍ଷରୁ କୁହାଯାଉଥିବା ବେଳେ ସବିତାଙ୍କୁ ଆକାଉଣ୍ଟକୁ କୌଣସି ଅର୍ଥ ଆସିନଥିବା ଜଣାପଡିଥିଲା । ଉକ୍ତ ଘରୋଇ ଫାଇନାନ୍ସ ସଂସ୍ଥାର ଏହି ଚଞ୍ଚକତା ସଂପର୍କରେ ସବିତା ପିପିଲି ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେହିପରି ପିପିଲି ପୌରାଞ୍ଚଳର ୧୧ନଂ ୱାର୍ଡର ସୁଦର୍ଶନ ବେହେରା ଦୀର୍ଘ ବର୍ଷ ଧରି ଏକ ଜମିରେ ଭାଗଚାଷ କରୁଥିଲେ। ତେବେ ଇତିମଧ୍ୟରେ ଜମିର ମୂଲ୍ୟ ବଢିଯିବାରୁ ସୁଦର୍ଶନ ଓ ତାଙ୍କ ଭାଇ ଦୁଃଶାସନଙ୍କୁ ଧମକପୂର୍ଣ୍ଣ ଭାବେ ଜମି ଛାଡିବାକୁ ତାଗିଦ କରାଯାଇଥିଲା। ତେବେ ସେମାନେ ଗରୀବ ଲୋକ ହୋଇଥିବାରୁ କିଛିଦିନ ଚଳିବା ପାଇଁ ଜମି ମାଲିକଙ୍କୁ କିଛି ପାରିଶ୍ରମିକ ମୂଲ୍ୟ ମାଗିଥିଲେ। ଏ ସଂପର୍କରେ ପିପିଲି ଥାନାରେ ଦୁଇଟି ଲିଖିତ ଅଭିଯୋଗ ହୋଇଥିବା ବେଳେ ମାମଲାର ସମାଧାନ ପାଇଁ ଦୁଇଦିନ ସମୟ ଦିଆଯାଇଥିଲା। କିନ୍ତୁ ଇତିମଧ୍ୟରେ ଉକ୍ତ ଜମିରେ ସୁଦର୍ଶନ କରିଥିବା ଧାନ ଫସଲକୁ ଘାସମରା ଔଷଧ ପକାଇ ନଷ୍ଟ କରି ଦିଆଯାଇଥିବା ସଂପର୍କରେ ଶ୍ରୀ ସେଠୀ ଗୁରୁତର ଅଭିଯୋଗ କରିଥିଲେ। ଏନେଇ ଦୀର୍ଘ ୨ଘଣ୍ଟାକାଳ ଗଣଧାରଣା ଦିଆଯିବା ପରେ ଶ୍ରୀସେଠୀଙ୍କ ସମେତ ସମସ୍ତ ଦଳିତନେତା ଓ ଆନ୍ଦୋଳନରତ ମହିଳାମାନେ ଏକ ଶୋଭାଯାତ୍ରାରେ ପିପିଲି ଥାନାକୁ ଆସିଥିଲେ। ପିପିଲି ଏସ୍‍ଡିପିଓ ଓ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏସ୍‍ପିଙ୍କ ଉଦ୍ଦେଶ୍ୟରେ ସେମାନେ ଦୁଇଟି ଦାବିପତ୍ରକୁ ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କୁ ପ୍ରଦାନ କରିଥିଲେ। ଆଗାମୀ ୧୨ ତାରିଖ ମଧ୍ୟରେ ଉକ୍ତ ୨ଟି ଯାକ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ଓ ଗୁଡିଆପୋଖରୀ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀସେଠୀ ଚେତାବନୀ ଦେଇଛନ୍ତି।

Comments are closed.