ପିପିଲି ଉପନିର୍ବାଚନ ପୂର୍ବରୁ ବିଡିଓଙ୍କ ସୂଚନା, ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତି ଘରେ ରହି ଭୋଟ୍‍ ଦେଇପାରିବେ

ପିପିଲି: ଆଗାମୀ ପିପିଲି ଉପନିର୍ବାଚନରେ ନିର୍ବାଚନମଣ୍ଡଳୀର ୮୦ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ବ୍ୟକ୍ତି ଓ କୋଭିଡ୍‍ ଆକ୍ରାନ୍ତଙ୍କ ସମେତ କୋଭିଡ୍‍ ଲକ୍ଷଣ ଥିବା ଭୋଟରମାନେ ଘରେ ରହି ପୋଷ୍ଟାଲ ବାଲାଟ୍‍ ମାଧ୍ୟମରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିପାରିବେ। ଘରେ ରହି ମତଦାନ କରିବାକୁ ଇଚ୍ଛୁକ ଥିବା ଉପରୋକ୍ତ ସ୍ୱତନ୍ତ୍ର ଭୋଟରମାନଙ୍କୁ ଏଥିପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ୫ଦିନ ମଧ୍ୟରେ ବିଏଲ୍‍ଓଙ୍କ ଜରିଆରେ ସ୍ୱତନ୍ତ୍ର ୧୨-ଡି ଫର୍ମ ଯୋଗାଇ ଦିଆଯିବ। ଉକ୍ତ ୧୨-ଡି ଫର୍ମରେ ଉପରୋକ୍ତ ଭୋଟର ମାନେ ସେମାନଙ୍କ ସ୍ୱିକୃତି ପ୍ରଦାନ କରିବାକୁ ପଡିବ। ଏହାପରେ ସେମାନଙ୍କ ଠାରୁ ଉକ୍ତ ସ୍ୱିକୃତି ୧୨-ଡି ଫର୍ମକୁ ସଂଗ୍ରହ କରାଯିବ। ଉକ୍ତ ଫର୍ମ ସହ ୮୦ବର୍ଷରୁ ଉର୍ଦ୍ଧ ବୟସ୍କ ଭୋଟରମାନେ ସେମାନଙ୍କ ବୟସ ପ୍ରମାଣପତ୍ର ଦେବାକୁ ଥିବା ବେଳେ ଦିବ୍ୟାଙ୍ଗ ମାନେ ମଧ୍ୟ ସେମାନଙ୍କ ପ୍ରମାଣପତ୍ରକୁ ଦାଖଲ କରିବେ । କୋଭିଡ୍‍ ଆକ୍ରାନ୍ତ ବ୍ୟକ୍ତି ଓ କୋଭିଡ୍‍ ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିମାନେ ମଧ୍ୟ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିବେ। ଏହାକୁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯିବା ପରେ ନିର୍ବାଚନ ତାରିଖ ପୂର୍ବରୁ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କୁ ପୋଷ୍ଟାଲ ବାଲାଟ୍‍ ପେପର ପ୍ରଦାନ କରାଯିବ ଓ ନିର୍ବାଚନ ତାରିଖ ପୂର୍ବରୁ ତାହାକୁ ସଂଗ୍ରହ ମଧ୍ୟ କରାଯିବ ବୋଲି ପିପିଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି।

ଉପନିର୍ବାଚନ ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି ସଂପର୍କରେ ବିଡିଓ ଶ୍ରୀମତୀ ନାଥ ପ୍ରକାଶ କରିଥିଲେ ଯେ, କୋଭିଡ୍‍ ଆକ୍ରାନ୍ତ ଯେଉଁ ବ୍ୟକ୍ତି ଚାହିଁବେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ। ନିର୍ବାଚନ ସମୟରେ କୌଣସି ଭୋଟର କୋଭିଡ୍‍ ଆକ୍ରାନ୍ତ ହୋଇ ରାଜ୍ୟର କୌଣସି ହସ୍‍ପିଟାଲ୍‍ କିମ୍ବା ଅନୁଷ୍ଠାନ ଅଥବା ଘରେ ହୋମ ଆଇସୋଲେସନରେ ରହିଥିବେ ଓ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ୍‍ ଦେବାକୁ ଇଚ୍ଛା ପ୍ରକାଶ କରିବେ ସେ କ୍ଷେତ୍ରରେ ରିଟର୍ଣ୍ଣଂ ଅଫିସର କୋଭିଡ୍‍ ଗାଇଡ୍‍ ଲାଇନ ଅନୁଯାଇ ଉକ୍ତ ଭୋଟରଙ୍କୁ ପୋଷ୍ଟାଲ ବାଲାଟ ପେପର ପ୍ରଦାନ କରିବା ସହ ନିର୍ବାଚନ ତାରିଖ ପୂର୍ବରୁ ତାହାକୁ ସଂଗ୍ରହ କରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାଇ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ଦ୍ୱାରା କୋଭିଡ୍‍-୧୯ ପାଇଁ ନିଯୁକ୍ତ ସ୍ୱତନ୍ତ୍ର ନୋଡାଲ ଅଫିସରଙ୍କ ସହ ସମନ୍ୱୟ ରଖି ବ୍ୟବସ୍ଥା କରାଯିବ। ଏଥିପାଇଁ କୋଭିଡ୍‍ ଆକ୍ରାନ୍ତ ଭୋଟରଙ୍କ ସ୍ୱାସ୍ଥ୍ୟ ସଂପର୍କିତ ପ୍ରମାଣପତ୍ରକୁ ଆବଶ୍ୟକ ଯାଞ୍ଚ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ପୂର୍ବ ପ୍ରସ୍ତୁତି ମାର୍ଗ ଅନୁଯାୟୀ ଉପରୋକ୍ତ ସ୍ୱତନ୍ତ୍ର ଭୋଟରଙ୍କ ଠାରୁ ଭୋଟ ଗ୍ରହଣ ପାଇଁ କଡା ସୁରକ୍ଷା ମଧ୍ୟରେ ପ୍ରିଜାଇଡ଼ିଂ ଅଫିସର ଓ ପୁଲିଙ୍ଗ ଅଫିସର ଏହି ଭୋଟ ଗ୍ରହଣ କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସେ କହିଛନ୍ତି । ଆଗାମୀ ପିପିଲି ଉପନିର୍ବାଚନକୁ ସଂପୂର୍ଣ୍ଣ ଅବାଧ ଓ ନିରପେକ୍ଷ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିବା ସେ ସୂଚନା ଦେଇଥିଲେ।
ପିପିଲି ବିଧାନସଭା ଉପନିର୍ବାଚନ ସମୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିବା ସହ ବ୍ଲକର ଉନ୍ନୟନ କାର୍ଯ୍ୟ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଗ୍ରାମୀଣ ପାର୍କ, ଗ୍ରାମୀଣ ଲାଇବ୍ରେରୀ ଓ ଖେଳ ପଡିଆ ନିର୍ମାଣ ଆଦି ସଂପର୍କରେ ବିଡିଓ ସୂଚନା ଦେଇଥିଲେ।

Comments are closed.