ପିପିଲି ଉପନିର୍ବାଚନ; ପୁଲିସର ଫ୍ଲାଗମାର୍ଚ୍ଚ

ପିପିଲି:ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ପିପିଲି ପୁଲିସ ପକ୍ଷରୁ ସୋମବାର ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ଲୋକଙ୍କ ମନରେ ନିର୍ଭୟତା ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନି ଓ ଓଡିଶା ପୋଲିସ ଫୋର୍ସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।
ପୁରୀର ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, ଏସ୍‍ଆଇ ଅଶୋକ କୁମାର ଗୋଛାୟତ ପ୍ରମୁଖ ଆଜି ପୂର୍ବାହ୍ନରେ ବିଏସ୍‍ଏଫ୍‍ ଜୱାନ ଓ ଓଡିଶା ପୁଲିସ ଫୋର୍ସଙ୍କୁ ନେଇ ପିପିଲି ବଜାର ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଥିଲେ । ଅବାଧ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‍ଡିପିଓ ଶ୍ରୀବରାଳ ପ୍ରକାଶ କରିଛନ୍ତି । ପିପିଲି ଥାନା ଅଞ୍ଚଳର ସମସ୍ତ ୨୧ଟି ପଞ୍ଚାୟତ ଓ ପୌରାଞ୍ଚଳରେ ଏହି ଫ୍ଲାଗମାର୍ଚ୍ଚ କରାଯିବାକୁ ଥିବା ବେଳେ ଫ୍ଲାଗମାର୍ଚ୍ଚ ସମୟରେ ବିଭିନ୍ନ ସନ୍ଦିହାନ ସ୍ଥାନ ଉପରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି । ଇତିମଧ୍ୟରେ ପୁଲିସ ପକ୍ଷରୁ ଅଞ୍ଚଳର ପେଷାଦାର ଅପରାଧିଙ୍କ ସଂପର୍କରେ ଏକ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୱାରେଣ୍ଟି ଗିରଫ ଅଭିଯାନ ଓ ଅବକାରି ଚଢାଉକୁ ଜୋରଦାର କରାଯାଇଛି । ନିର୍ବାଚନ ସମୟରେ ଅଭ୍ୟାସଗତ ଅପରାଧିଙ୍କୁ ଦେଖିବାମାତ୍ରେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ପୁରୀ ଏସ୍‍ପି ଡକ୍ଟର ସିଂହ ଆଜି ପିପିଲି ଥାନା ପରିସରରେ ନିର୍ବାଚନ ପରିଚାଳନା ନେଇ ସମୀକ୍ଷା କରିଥିଲେ । ପୁଲିସ ସେକ୍ଟର ଅଫିସର ଓ ପୁଲିସ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ । ଭୋଟ୍‍ ପ୍ରଚାର ସମୟରେ କୋଭିଡ୍‍ ଗାଇଡ୍‍ଲାଇନ ପାଳନ ସହ ନିର୍ବାଚନ ଆଚରଣ ବିଧିକୁ କଡାକଡି ଭାବେ ପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କୋଭିଡ କଟକଣା ପାଳନ ଅନୁଧ୍ୟାନ କରିବା ପାଇଁ କୋଭିଡ ଅଡିଟ ଟିମ ଗଠନ କରାଯାଇଥିବା ସଂପର୍କରେ ଏସ୍‍ପି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଇନଶୃଙ୍ଖଳା ଦୃଷ୍ଟିରୁ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଗୁଡିକରେ ଅଧିକ ପୁଲିସ ବ୍ୟବସ୍ଥା କରାଯାଇଥିବା ଓ ଆବଶ୍ୟକ ସ୍ଥଳେ ସେଠାରେ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନିୟୋଜିତ କରାଯିବ ବୋଲି ସେ ସୂଚନା ଦେଇଥିଲେ । ପିପିଲି ଟୋଲ୍‍ଗେଟ୍‍ ଠାରେ ପୁଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସରପ୍ରାଇଜ ଚେକିଂ ଆଧାରରେ ଗାଡିମୋଟର ଯାଞ୍ଚ କରାଯାଉଥିବା ସଂପର୍କରେ ଏସପି ସୂଚନା ଦେଇଛନ୍ତି । ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଏହି ଉପନିର୍ବାଚନ ପାଇଁ ୩ କଂପାନୀ ଅର୍ଦ୍ଧସାମରିକ ବାହିନୀ ଓ ୨କଂପାନୀ ଓଡିଶା ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।

Comments are closed.