ସରିଲା ନିର୍ବାଚନ ପ୍ରଚାର, ୩୦ରେ ମତଦାନ

ପିପିଲି ଉପନିର୍ବାଚନ

ପିପିଲି:ପିପିଲିର ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନରେ ଆସନ୍ତା ୩୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯିବାକୁ ଥିବା ବେଳେ ମତଦାନ ସମାପ୍ତିର ୭୨ଘଣ୍ଟା ପୂର୍ବରୁ ଅର୍ଥାତ ସୋମବାର ସଂନ୍ଧ୍ୟା ୬ଟାରୁ ନିର୍ବାଚନୀ ପ୍ରଚାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ରାଜ୍ୟର ସବୁଠାରୁ ଅଧିକ ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପୁରୀ ଜିଲାର ଏହି ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଶାନ୍ତି ଓ ଶୃଙ୍ଖଳାର ବାତାବରଣ ମଧ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଭୋଟ୍‍ ପ୍ରଚାର ଶେଷ ହେବା ପରେ ନିର୍ବାଚନମଣ୍ଡଳୀ ସାରା ଡେରା ପକାଇଥିବା ନେତାମାନେ ଆଜି ସଂନ୍ଧ୍ୟା ପରଠାରୁ ଘର ବାହୁଡା କରିଛନ୍ତି।
ନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ
ଏହି ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭା ରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନା ରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆ ରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
୩୪୮ ମତଦାନ କେନ୍ଦ୍ର , ୨ଲକ୍ଷ ୨୯ ହଜାର ୯୯୮ ମତଦାତା
ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‍ଏସିର ୧୬ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ ହେଉଛି ସାଧାରଣବର୍ଗର ପ୍ରାର୍ଥିଙ୍କ ପାଇଁ ଉଦ୍ଦିଷ୍ଟ । ଏଠାରେ ମୋଟ୍‍ ୨୭୩ଟି ମତଦାନ କେନ୍ଦ୍ର ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ପିପିଲି ବ୍ଲକ ଓ ଏନ୍‍ଏସିରେ ୧୫୪ଟି ବୁଥ୍‍ ରହିଥିବା ବେଳେ ଅଧିକ ୪୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୧୯ଟି ବୁଥ୍‍ ରହିଥିବା ବେଳେ ଅଧିକ ୩୦ଟି ଅତିରିକ୍ତ ବୁଥ୍‍ କରାଯାଇଛି । ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା ଭୋଟର ଓ ୨ଜଣ ଅନ୍ୟାନ୍ୟ ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ୩୪୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ମତଦାନର ବ୍ୟବସ୍ଥା କରାଯାଇଛି । ୧୭୫ଟି ମତଦାନ କେନ୍ଦ୍ରରେ ୱେବ୍‍କାଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମତଦାନ ତଦାରଖ ନିମନ୍ତେ ୨୩ ଅଣୁ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବ୍‍ଜର୍ଭର) ନିଯୁକ୍ତ କରାଯାଇଛି । ଏହି ଉପନିର୍ବାଚନରେ ୧୫ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ସହ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ ହୁଇଲ ଚେୟାର ଓ ୧୦୨ଟି ଗାଡି ବ୍ୟବସ୍ଥା କରାଯାଇଛି ।
ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ପୁରୀ ଏସ୍‍ପିଙ୍କ ତତ୍ତ୍ୱାବଧାନରେ ୩ଜଣ ଅତିରିକ୍ତ ଏସ୍‍ପି ସମଗ୍ର ନିର୍ବାଚନମଣ୍ଡଳୀକୁ ପରିଚାଳନା କରୁଛନ୍ତି। ନିର୍ବାଚନମଣ୍ଡଳୀକୁ ୩ ଭାଗରେ ବିଭକ୍ତ କରାଯାଇଥିବା ବେଳେ ବଳଙ୍ଗା ଥାନା ଓ ସତ୍ୟବାଦୀ ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍‍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ରହିଥିବା ବେଳେ ଡେଲାଙ୍ଗ ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍‍ପି ମିହିର କୁମାର ପଣ୍ଡା ଓ ପିପିଲି ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀକୁ ୪ଟି ଜୋନ୍‍ରେ ବିଭକ୍ତ କରାଯାଇ ପ୍ରତି ଜୋନ୍‍ ଦାୟିତ୍ୱରେ ଜଣେ ଜଣେ ଡିଏସ୍‍ପି ପାହ୍ୟାର ଅଧିକାରୀଙ୍କୁ ରଖାଯାଇଛି। ସେହିପରି ସମଗ୍ର ନିର୍ବାଚନମଣ୍ଡଳୀକୁ ୧୧ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ପ୍ରତ୍ୟେକ ସେକ୍ଟରରେ ଜଣେ ଲେଖାଏଁ ଇନିସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯାଇଛି। ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପୁଲିସ ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଇଥିବା ସଂପର୍କରେ ଏସ୍‍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି। ନିର୍ବାଚନମଣ୍ଡଳୀର ୨୦୧ଟି ସ୍ଥାନରେ ଥିବା ୩୪୮ଟି ମତଦାନ କେନ୍ଦ୍ରକୁ ଜଗିବା ପାଇଁ ୧୦ପ୍ଲାଟୁନ୍‍ ଫୋର୍ସଙ୍କୁ ନିୟୋଜିତ କରାଯାଇଥିବା ବେଳେ ୩୨ଟି ପୁଲିସ ମୋବାଇଲ ପାର୍ଟି ସମଗ୍ର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି। ୩ କଂପାନୀ ଅର୍ଦ୍ଧସାମରିକ ବାହିନୀ (ବିଏସ୍‍ଏଫ୍‍ ଯବାନ) ଏବେ ପିପିଲିରେ ପହଞ୍ôଚ ସାରିଥିବା ବେଳେ ଭୋଟ୍‍ ବାଧାପ୍ରାପ୍ତ ହେବା ଆଶଙ୍କା ଥିବା ମତଦାନ କେନ୍ଦ୍ର ଓ ଉତ୍ତେଜନାପୂର୍ଣ୍ଣ ମତଦାନ କେନ୍ଦ୍ରରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି। ପିପିଲି ଥାନା ଅଞ୍ଚଳରେ ଏହି ନିର୍ବାଚନମଣ୍ଡଳୀର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‍ଏସି ରହିଥିବା ବେଳେ ଡେଲାଙ୍ଗ ଥାନା ଅଞ୍ଚଳରେ ୧୯ଟି ପଞ୍ଚାୟତ, ସତ୍ୟବାଦୀ ଥାନା ଅଞ୍ଚଳରେ ୨ଟି ପଞ୍ଚାୟତ ଓ ବଳଙ୍ଗା ଥାନା ଅଞ୍ଚଳରେ ୪ଟି ପଞ୍ଚାୟତ ରହିଛି। ସମଗ୍ର ନିର୍ବାଚନମଣ୍ଡଳୀର ସମସ୍ତ ପ୍ରବେଶପଥ ଠାରେ ପୁଲିସ ପକ୍ଷରୁ କଡା ଯାଞ୍ଚ ବ୍ୟବସ୍ଥା କରାଯାଉଛି।
ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଏସ୍‍.ଡି.ପି.ଓ ଦେବଦତ୍ତ ବରାଳ, ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ, ଡେଲାଙ୍ଗ ଥାନାଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚକୁ ଅଧିକ କଡାକଡି କରାଯାଇଥିବା ବେଳେ ବିଭିନ୍ନ ହୋଟେଲ, ଢାବା ସମେତ ମଦଦୋକାନ ଉପରେ ପୁଲିସ କଡା ନଜର ରଖିଛି । ବିଭିନ୍ନ ଗ୍ରାମ୍ୟଛକ, ବଜାରଘାଟରେ ଚାଲିଥିବା ମେଳି ଉପରେ ମଧ୍ୟ ପୁଲିସ ନଜର ରଖିଥିବା ଜଣାଯାଇଛି । ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା, ମଦ ଓ ବିଭିନ୍ନ ଲୋଭନୀୟ ଜିନିଷ ବଣ୍ଟାଯିବାର ସମ୍ଭାବନା ଥିବା ବେଳେ ସେ ଉପରେ ମଧ୍ୟ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ କଡା ନଜର ରଖାଯାଇଛି । ଘନ ଘନ ପୁଲିସ ଗାଡି ଗାଁଗଣ୍ଡାରେ ବୁଲୁଛି । ବିଏସ୍‍ଏଫ୍‍ ଯବାନ ଓ ଓଡିଶା ପୁଲିସ ଫୋର୍ସଙ୍କୁ ସାଙ୍ଗରେ ନେଇ ପୁଲିସ ବିଭିନ୍ନ ଗାଁ ଓ ଛକ ବଜାର ସ୍ଥାନରେ ଫ୍ଲାଗମାର୍ଚ୍ଚ କରୁଛି ଯାହାକି ଅଭ୍ୟାସଗତ ଅପରାଧିଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି ।
ମଙ୍ଗଳବାର ବୁଥ୍‍ରେ ପହଞ୍ôଚବେ ପୋଲିଂ ପାର୍ଟି
ଏହି ନିର୍ବାଚନମଣ୍ଡଳୀର ୩୪୮ଟି ମତଦାନ କେନ୍ଦ୍ରରେ ମଙ୍ଗଳବାର ୧୪ଶହ ପୋଲିଂ ପାର୍ଟି ପହଞ୍ôଚବେ। ପୁରୀ ପେଣ୍ଠକଟା ସ୍ଥିତ ୱେୟାର ହାଉସ୍‍ରୁ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୩ଟି ପର୍ଯ୍ୟାୟରେ ଏହି ପୁଲିଂ ପାର୍ଟିମାନେ ୨୮ ତାରିଖରେ ପିପିଲି ଅଭିମୁଖେ ଯାତ୍ରା କରିବେ। ଏହି ନିର୍ବର୍ାଚନ ପାଇଁ ୧୪ଶହ ପୋଲିଂ ପର୍ସୋନାଲଙ୍କୁ ନିୟୋଜିତ କରାଯାଇଥିବା ବେଳେ ୩୪୦ଜଣଙ୍କୁ ରିଜର୍ଭ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ସକାଳ ୬ଟାରୁ ୧୦ଟା ମଧ୍ୟରେ ୧ରୁ ୧୧୬ ବୁଥ୍‍ ପର୍ଯ୍ୟନ୍ତ ପୋଲିଂ କର୍ମଚାରୀମାନେ ନିଜ ନିଜ ପୋଲିଂ କାଗଜପତ୍ର ସଂଗ୍ରହ କରି ପିପିଲି ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୦ଟାରୁ ଗୋଟାଏ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୧୧୭ରୁ ୨୩୨ ବୁଥ୍‍ ଓ ଅପରାହ୍ନ ଗୋଟାଏରୁ ୩ଟା ମଧ୍ୟରେ ତୃତୀୟ ପର୍ଯ୍ୟାୟରେ ୨୩୩ରୁ ୩୪୮ ବୁଥ୍‍ର ପୋଲିଂ କର୍ମଚାରୀମାନେ ସେଠାରୁ ପିପିଲି ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ଏଥିପାଇଁ କଡା ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନିତୀର ପରିଭାଷା ହେଉଛି ବିକାଶ-ଅପରାଜିତା
ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେପି ରାଷ୍ଟୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୋମବାର ଅପରାହ୍ନରେ ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ପିପିଲି ପୌରାଞ୍ଚଳରେ ଦମଦାର ପ୍ରଚାର କରିଛନ୍ତି। ଅପରାହ୍ନ ସାଢେ ୩ଟାରେ ସେ ପିପିଲିରେ ପହଞ୍ôଚ ସଙ୍କଟମୋଚନ ହନୁମାନଙ୍କୁ ଦର୍ଶନ କରିବା ପରେ ଆଶ୍ରୀତଙ୍କ ସହ ପଦଯାତ୍ରାରେ ସମଗ୍ର ପୌରାଞ୍ଚଳ ବୁଲି ଭୋଟ୍‍ ପ୍ରଚାର କରିଥିଲେ। ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ ସମୟ ବିନା ବିଶ୍ରାମରେ ସେ ପଦଯାତ୍ରାରେ ବୁଲିବା ସମୟରେ ପାଖରେ ଥିବା ଲୋକମାନଙ୍କ ନିକଟକୁ ଯାଇ ପିପିଲିର ବିକାଶ ପାଇଁ ଆଶ୍ରୀତଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ବିଜେପି କେବଳ ବିକାଶର ପ୍ରସଙ୍ଗ ନେଇ ରାଜନିତୀ କରୁଛି ବୋଲି ଅପରାଜିତା ଗଣମାଧ୍ୟମକୁ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ ୍ରମୋଦୀଙ୍କ ରାଜନିତୀର ପରିଭାଷା ହେଉଛି ବିକାଶ। ଏହି ବିକାଶରେ ସମସ୍ତଙ୍କୁ ନେଇ ଆଗକୁ ଚାଲିବାର ଅଛି ବୋଲି ସେ କହିଥିଲେ। ପିପିଲି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ତାଙ୍କ ସହ ବିଧାୟକ ପ୍ରାର୍ଥୀ ଶ୍ରୀପଟ୍ଟନାୟକ, ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ପଦଯାତ୍ରାରେ ବୁଲି ଭୋଟ୍‍ ଭିକ୍ଷା କରିଥିଲେ। ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଶୁଭେଚ୍ଛୁ, ସମର୍ଥକ ଓ କର୍ମମାନେ ସାମିଲ ହୋଇଥିଲେ। ସଙ୍କଟମୋଚନ ହନୁମାନଙ୍କ ମନ୍ଦିର ଠାରୁ ପିପିଲି ମୁଖ୍ୟବଜାର ପରିକ୍ରମା କରି ନିମାପଡା ରାସ୍ତାର ପଣ୍ଡାବଜାର ଦେଇ ହାଟଛକ, ଜୟପୁର ଶାସନ, ଭରସାପୁର, ମଢିଆଳୀ ସାହି ପର୍ଯ୍ୟନ୍ତ ଶ୍ରୀମତୀ ଷଡଙ୍ଗୀ ପଦଯାତ୍ରାରେ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ରୁଦ୍ରଙ୍କ ପ୍ରଚାର ଓ ମହିଳା ପଦଯାତ୍ରା
ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ସୋମବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ସୁଧିର କୁମାର ସାମଲ, ପ୍ରଣବ ବଳବନ୍ତରାୟ, ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳର ବହୁ ବିଧାୟକ ଓ ନେତାମାନେ ପିପିଲିରେ ଜୋରଦାର ପ୍ରଚାର କରିଥିଲେ। ପିପିଲିର ପୁବାଶାସନ, ରଥପୁରୁଷୋତ୍ତମପୁର ଓ ଭାରତୀପୁର ପଞ୍ଚାୟତରେ ଦଳୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ନିଜର କର୍ମୀ ଓ ସମର୍ଥକଙ୍କ ସହ ପିପିଲି ପୌରାଞ୍ଚଳ, ଚନ୍ଦ୍ରାଦେଇପୁର ପଞ୍ଚାୟତ ଓ ନୂଆଶାସନ ପଞ୍ଚାୟତରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‍ ପ୍ରଚାର କରିଥିଲେ। ନିର୍ବାଚନମଣ୍ଡୀରେ ଶାନ୍ତି ଓ ପ୍ରଗତିର ଧାରାକୁ ବଜାୟ ରଖିବା ସହ ବାପା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ନିମନ୍ତେ ସୁଯୋଗ ଦେବାକୁ ସେ ଅଞ୍ଚଳବାସୀଙ୍କୁ ଅନୁରୋଧ କରି ଭୋଟ୍‍ ଭିକ୍ଷା କରିଥିଲେ।
ସେହିପରି ବୀରପୁରୁଷୋତମପୁର ପଞ୍ଚାୟତରେ ସୋମବାର ବିଜେଡିର ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବହୁସଂଖ୍ୟକ ମହିଳା ଏଥିରେ ସାମିଲ ହୋଇ ବୀରପୁରୁଷୋତମପୁରରୁ ବାହାରି ପୁରୋହିତପୁର, ସାତଶଙ୍ଖ ବଜାର ଓ କାର୍ତ୍ତିକପଡା ପରିକ୍ରମା କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ବୀରପୁରୁଷୋତ୍ତମପୁର ପଞ୍ଚାୟତର ଦଳୀୟ ମୁଖ୍ୟ ପର୍ଯ୍ୟବେକ୍ଷକ ରାଜ୍ୟ ସଂପାଦକ ପ୍ରଫୁଲ୍ଲ ସିଂ, ବିଜୁ ମହିଳା ଜନତା ଦଳର ଢେଙ୍କାନାଳ ଜିଲା ସଭାନେତ୍ରୀ ସାଗରୀକା ମିଶ୍ର, ବିଜୁ ଯୁବ ଜନତା ଦଳର କେନ୍ଦୁଝର ଜିଲା ସଭାପତି ରାକେଶ କୁମାର ରାମ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଚିନ୍ମୟ ଦାସ, ମନୋରମା ପାତ୍ର, ସ୍ନିଗ୍ଧା ମହାନ୍ତି, ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ମହିଳା ବିକାଶ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ମଜବୁତ କରିବା ନିମନ୍ତେ ବହୁ ସଂଖ୍ୟାରେ ଭୋଟଦେଇ ରୁଦ୍ରପ୍ରତାପଙ୍କୁ ଜିତାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

 

Comments are closed.