ପିପିଲି ଉପନିର୍ବାଚନ ପାଇଁ ଜମିଲା ପ୍ରଚାର

ପିପିଲି:ପୂର୍ବତନ ମନ୍ତ୍ରୀ ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନରେ ଆସନ୍ତା ୩୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀଙ୍କ ସହ ନେତାମାନେ। ମାତ୍ର ୮ଦିନ ପାଇଁ ଭୋଟ୍‍ ପ୍ରଚାର ନିମନ୍ତେ ପ୍ରାର୍ଥୀମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ମତଦାନ ସମାପ୍ତିର ୭୨ଘଣ୍ଟା ପୂର୍ବରୁ ଅର୍ଥାତ ୨୭ ତାରିଖରେ ଭୋଟ୍‍ ପ୍ରଚାର ଶେଷ ହେବ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ଓ ଫଳ ପ୍ରକାଶ ହେବ। ପିପିଲି ଉପନିର୍ବାଚନକୁ ମଝିରେ ଆଉ ୯ଦିନ ବାକି ରହିଥିବା ବେଳେ ଏବେ ଠାରୁ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍କତା ବୃଦ୍ଧି ପାଇବାରେ ଲାଗିଛି।
ଭୋଟ୍‍ ପ୍ରଚାରର ପ୍ରଥମ ଦିନରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଅଧିକାଂଶ ପ୍ରାର୍ଥୀମାନେ ସୋମବାର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଛନା କରିବା ପରେ ଭୋଟ୍‍ ପ୍ରଚାରକୁ ବାହାରିଥିଲେ। ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ଠାରୁ ଆଶିଷ ନେଇ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଳାଇଥିଲେ। ବରିଷ୍ଠନେତା ସୁରେନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁଙ୍କ ସହ ଶ୍ରୀପଟ୍ଟନାୟକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଗଡିଉପର ସାହିରୁ ଭୋଟ୍‍ ପ୍ରଚାର ଆରମ୍ଭ କରି ବାଇଟାଙ୍ଗି, ବାସୁଦେଇପୁର, କୋଠବାଡ, ପଦ୍ମକଇଁରୀ, ଖଟସାରଙ୍ଗ, ମୁର୍ଦ୍ଧନୀପୁର ଓ ସିଂହାରପୁର ଆଦି ଗ୍ରାମମାନଙ୍କରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ପରେ ଉକ୍ତ ଦାଣ୍ଡମୁକୁନ୍ଦପୁର ଓ ତେଇସିପୁର ପଞ୍ଚାୟତର ନିର୍ମଳା ଠାରେ ଆୟୋଜିତ ଦୁଇଟି ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକରେ ଶ୍ରୀପଟ୍ଟନାୟକ ଯୋଗ ଦେଇଥିଲେ।


ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଆଜି ନିଜର ପୈତୃକ ଗ୍ରାମ ପାଣିଦୋଳ ପଞ୍ଚାୟତରୁ ଭୋଟ୍‍ପ୍ରଚାର ଆରମ୍ଭ କରିଥିଲେ। ପିପିଲି ସ୍ଥିତ ପ୍ରଭୁ ଶ୍ରୀବାଟମହାବୀରଙ୍କ ମନ୍ଦିରରେ ପୂଜାର୍ଚ୍ଛନା କରିବା ପରେ ସେ ତୋଟାପଡା, ପ୍ରଭାକରନଡୁଆ, ଅନନ୍ତପୁର, ମଠସାହି, କେରୁଣ୍ଡେଇ ଓ ପାଣିଦୋଳ ଗ୍ରାମରେ ଘରକୁ ଘର ବୁଲି କୋଭିଡ୍‍ ଗାଇଡ୍‍ଲାଇନ ଅନୁପାଳନପୂର୍ବକ ଭୋଟ୍‍ ଭିକ୍ଷା କରିଥିଲେ। ତାଙ୍କ ସହ ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, କଣ୍ଟି ସରପଞ୍ଚ ପ୍ରକାଶ କୁମାର ଧଳ, ପିପିଲି ବ୍ଲକ ଯୁବ ବିଜେଡିର ଉପସଭାପତି ତପନ କୁମାର ନାୟକ ପ୍ରମୁଖ ବୁଲିବା ସହ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିକାଶର ଧାରାକୁ ଆଗେଇ ନେବା ପାଇଁ ରୁଦ୍ରଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ। ଅପରାହ୍ନରେ ଶ୍ରୀମହାରଥୀ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଭୋଟ୍‍ ଭିକ୍ଷା କରିଥିଲେ। କଣ୍ଟି ଠାରେ ଅପରାହ୍ନରେ ବିଜେଡି ଦଳ ପକ୍ଷରୁ ଆୟୋଜିତ ଏକ ସାଙ୍ଗଠନିକ ସଭାରେ ଦଳର ବହୁ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।
ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଆଜି ଓରକଳ ପଞ୍ଚାୟତର ଶ୍ରୀଗତିଶ୍ୱର ଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜର ଭୋଟ୍‍ ପ୍ରଚାର ଆରମ୍ଭ କରିଥିଲେ। ପିପିଲି ବ୍ଳକ କଂଗ୍ରେସ କମିଟିର ସଭାପତି ଜିତୁପ୍ରକାଶ ପରିଡାଙ୍କ ଅଧ୍ୟକ୍ଷତାରେ ଉକ୍ତ ମନ୍ଦିର ପରିସରରେ ଅନୁଷ୍ଠିତ ଦଳର ଏକ ସାଙ୍ଗଠନିକ ବୈଠକରେ ଶ୍ରୀମହାପାତ୍ର ଯୋଗଦେଇ କଂଗ୍ରେସ ଅମଳରେ କରାଯାଇଥିବା ବିଭିନ୍ନ ଯୋଜନା ସମେତ ଅଞ୍ଚଳର ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ କଂଗ୍ରେସ ଦଳର ନିତି ଓ ଆଦର୍ଶ ସଂପର୍କରେ କହିଥିଲେ। ପରେ ସେ ଓରକଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଭୋଟ୍‍ ଭିକ୍ଷା କରିଥିଲେ। ଅପରାହ୍ନରେ ସେ ତେଇସିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମରେ ଭୋଟ୍‍ ପ୍ରଚାର କରିଥିଲେ।
ବିଜେପିର ବରିଷ୍ଠନେତା ଐର ଖାରବେଳ ସ୍ୱାଇଁ ଆଜି ପୂର୍ବାହ୍ନରେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ତିଗିରିଆ-ଦେଉଳି ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିରରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପୂଜାପାଠ କରିବା ପରେ ସେହି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରିଥିଲେ। ତାଙ୍କ ସହ ଦଳର ପ୍ରଭାରୀ ପ୍ରକାଶ ମଙ୍ଗରାଜ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସରପଞ୍ଚ ଶୁବାଶିଷ ରଥ, ପୂର୍ବତନ ସରପଞ୍ଚ ସୁବୋଧ ମହାନ୍ତି ପ୍ରମୁଖ ଭୋଟ୍‍ ପ୍ରଚାରରେ ସାମିଲ ରହିଥିଲେ। ସେହିପରି ସିପିଆଇ(ଏମ୍‍ଏଲ୍‍) ପ୍ରାର୍ଥୀ ଅଶୋକ କୁମାର ପ୍ରଧାନ ଆଜି ଡେଲାଙ୍ଗରୁ ନିଜର ଭୋଟ୍‍ ପ୍ରଚାର ଆରମ୍ଭ କରି ଅପରାହ୍ନରେ ଗୁଡିଆପୋଖରୀ ଠାରେ ସାଙ୍ଗଠନିକ ସଭା କରିଥିବା ସୂଚନା ମିଳିଛି।
ପିପିଲି ଏନ୍‍ଏସିର ୧୬ଟି ୱାର୍ଡ, ପିପିଲି ବ୍ଲକର ୨୫ ପଞ୍ଚାୟତ ଓ ଡେଲାଙ୍ଗ ବ୍ଲକ୍‍ର ୨୧ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୨୭୩ଟି ବୁଥ୍‍ ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ପିପିଲି ବ୍ଲକ ଓ ଏନ୍‍ଏସିରେ ୧୫୪ଟି ବୁଥ୍‍ ରହିଥିବା ବେଳେ ଅଧିକ ୪୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୧୯ଟି ବୁଥ୍‍ ରହିଥିବା ବେଳେ ଅଧିକ ୩୦ଟି ଅତିରିକ୍ତ ବୁଥ୍‍ କରାଯାଇଛି । ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା ଭୋଟର ଓ ୨ଜଣ ଟି.ଜି ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ୩୪୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ ।

Comments are closed.