ପିପିଲିରେ ହାଇଭୋଲ୍‍ଟେଜ୍‍ ପ୍ରଚାର

ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୫ଦିନ

ପିପିଲି:ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍‍ ପ୍ରଚାର ଶେଷ ହେବାକୁ ହାତରେ ଆଉମାତ୍ର ୩ଦିନ ବାକି। ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକଙ୍କ ସମେତ ବରିଷ୍ଠନେତା ମାନେ ଭିନ୍ନ ଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମହିଳା ସମାବେଶ ମାଧ୍ୟମରେ ଜୋରଦାର ଭୋଟ୍‍ ପ୍ରଚାର ଚଳାଇଛନ୍ତି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଏହି ନିର୍ବାଚନମଣ୍ଡଳୀକୁ ଦୈନିକ ଶହ ଶହ ସଂଖ୍ୟାରେ ନେତାମାନେ ଧାଉଁଛନ୍ତି। ଗାଁ ଗାଁରେ ଏବେ ମାଳ ମାଳ ନେତା ଘରକୁ ଘର ବୁଲି ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ନେତାମାନେ ବିଭିନ୍ନ ପଞ୍ଚାୟତ ଓ ୱାର୍ଡରେ ରହି ଝାଳବୁହା ପରିଶ୍ରମ ଚଳାଇଛନ୍ତି। ଅସନ୍ତୁଷ୍ଟଙ୍କୁ ଏକାଠି କରି ନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ସମସ୍ତେ ଦିନରାତି ଏକ କରି ଦେଇଛନ୍ତି। ଏହି ନିର୍ବାଚନକୁ ମଝିରେ ଆଉ ମାତ୍ର ୫ଦିନ ବାକି ରହିଥିବା ବେଳେ ଏବେ ଭୋଟ୍‍ ପ୍ରଚାର ସରଗରମ ହେବାରେ ଲାଗିଛି। ଅସହ୍ୟ ଗୁଳୁଗୁଳି ଓ ଖରାତାତି ଠାରୁ ବଳିଯାଇଛି ନିର୍ବାଚନୀ ତାତି। ଏଠାକର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏହି ଉପନିର୍ବାଚନ ଏକ ବଡ ଚାଲେଞ୍ଜ ହୋଇଥିବା ବେଳେ ଆସନ ଅକ୍ତିଆର କରିବାକୁ ସମସ୍ତେ ଚିଚାଚରିତ ଢଙ୍ଗରେ ଲୋକମାନଙ୍କୁ ବିଭିିନ୍ନ ପ୍ରତିଶୃତିରେ ପୋତି ପକାଉଛନ୍ତି।

ଶୁକ୍ରବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କ ପାଇଁ ପିପିଲିର ୪ଟି ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିଥିଲେ। ଉଭୟ ବିଜେଡି ଓ ବିଜେପିକୁ ସେ ମିଛୁଆ ସୌଦାଗର ବୋଲି କହିବା ସହ ଉଭୟ ଦଳ ଲୋକଙ୍କୁ ମିଛ ପ୍ରତିଶୃତି ଦେଉଛନ୍ତି ଓ ପରେ ପ୍ରତାରଣା କରୁଛନ୍ତି ବୋଲି କହିଥିଲେ। ଦେଶର ଅର୍ଥନୈତିକ ପରିସ୍ଥିତି ଭୟାବହ ହୋଇଥିବା ବେଳେ ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ବେକାରୀ ସମସ୍ୟା ଓ ଚାଷୀ ସମସ୍ୟା ଆଦି ଏବେ ଭୟଙ୍କର ହୋଇଛି। ଏଥିପାଇଁ ସମସ୍ତେ ସତର୍କ ହେବାକୁ ସେ ପରାମର୍ଶ ଦେଇଥିଲେ। ଫଣି’ ସହାୟତା ଅଦ୍ୟାବଧି ଲୋକଙ୍କ ପାଖରେ ପହଞ୍ôଚ ପାରିନଥିବାରୁ ଲୋକେ ଅସନ୍ତୁଷ୍ଟ ଅଛନ୍ତି ଓ ସେମାନେ ଭୋଟ୍‍ ମାଧ୍ୟମରେ ତାହାକୁ ଦେଖାଇବେ ବୋଲି ସେ କହିଥିଲେ। ଏଆଇସିସି ସଂପାଦକ ତଥା ରାଜ୍ୟ କଂଗ୍ରେସର ସହପ୍ରଭାରୀ ଜି.ରୁଦ୍ରରାଜୁ, ପୂର୍ବତନ ବିଧାୟକ ତଥା ଜିଲା ପର୍ଯ୍ୟବେକ୍ଷକ ଉମାବଲ୍ଲଭ ରଥ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା କୁସୁମ ପ୍ରଧାନ, ବରିଷ୍ଠନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା, ପ୍ରତିମା ମଲ୍ଲିକ, ବରିଷ୍ଟନେତା ଡାକ୍ତର ନିରଞ୍ଜନ ବିଶ୍ୱାଳ, କିଶୋର ଜେନା, ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡା ଓ ଦଳୀୟ ପ୍ରାର୍ଥୀ ବିଶ୍ୱକେସନଙ୍କ ସହ ଶ୍ରୀପଟ୍ଟନାୟକ ଗୋବିନ୍ଦପୁର ପଞ୍ଚାୟତ, ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ, ପୂବାଶାସନ ପଞ୍ଚାୟତ ଓ ପମସରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବୁଲି ଭୋଟ୍‍ ପ୍ରଚାର କରିଥିଲେ। ଏହା ସହ ତେଇସିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମରେ ଅନୁଷ୍ଠିତ କଂଗ୍ରେସ ଦଳର କର୍ମୀ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ବିଶ୍ୱକେସନ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳର ନିତି ଓ ଆଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‍ ଦେଇ ବିଜୟୀ କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ସାରସକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ ପ୍ରମୁଖ ଆଜି ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ବଜାରସାହି, ରତ୍ନଚିରାସାହି, କରଣସାହି ଆଦି ଅଞ୍ଚଳରେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରିଥିଲେ। ତାଙ୍କ ସହ ବରିଷ୍ଠନେତା ସୁରେନ୍ଦ୍ର ବେହେରା, ପ୍ରସନ୍ନ କୁମାର ସ୍ୱାଇଁ, ରମଣୀ ରଞ୍ଜନ ମହାପାତ୍ର, ପ୍ରସନ୍ନ ଦତ୍ତ, ତ୍ରିନାଥ ପଣ୍ଡା, ବିକାଶ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳରେ ଶାନ୍ତି ଓ ପ୍ରଗତି ପାଇଁ ଆଶ୍ରିତଙ୍କୁ ଭୋଟ୍‍ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଦଳର ବରିଷ୍ଠନେତା ଓ ବିଧାୟକମାନେ ଆଜି ପିପିଲି ଏନ୍‍ଏସି ସମେତ ବିଭିନ୍ନ ପଞ୍ଚାୟତରେ ଆଶ୍ରିତଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ।

ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଆଜି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ପିନାକୀ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବରିଷ୍ଠନେତା ଦେବୀପ୍ରସାଦ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ବ୍ୟୋମକେଶ ରାୟ, ବରିଷ୍ଠନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ସାଗରିକା ମିଶ୍ର, ଏଲିନା ଦାସ, ଭାଗ୍ୟଲକ୍ଷ୍ମୀ ମିଶ୍ର, ଛାତ୍ର ବିଜେଡି ରାଜ୍ୟ ଉପସଭାପତି ଚିନ୍ମୟ କୁମାର ଦାସ ପ୍ରମୁଖ ଦୁର୍ଗାଦାଶପୁର ପଞ୍ଚାୟତ, ଚନ୍ଦ୍ରାଦେଇପୁର ପଞ୍ଚାୟତ, ରଥପୁରୁଷୋତ୍ତମପୁର ପଞ୍ଚାୟତ, ବୀରପୁରୁଷୋତ୍ତମପୁର ପଞ୍ଚାୟତ ଓ ସହଜପୁର ପଞ୍ଚାୟତରେ ଆୟୋଜିତ କର୍ମୀ ସମ୍ମିଳନୀ ଓ ମହିଳା ସମାବେଶରେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ପିପିଲି ନିର୍ବାଚନ ମଣ୍ଡଳୀରେ ଶାନ୍ତି ଓ ପ୍ରଗତିର ଧାରାକୁ ଆଗେଇ ନେବା ପାଇଁ ରୁଦ୍ରଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‍ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ସେହିପରି ସିପିଆଇ(ଏମ୍‍ଏଲ୍‍) ଲିବରସେନ୍‍ ପ୍ରାର୍ଥୀ ଅଶୋକ ପ୍ରଧାନ କୃଷକ ଆନ୍ଦୋଳନ, କର୍ପୋରେଟ୍‍ ବିଲ୍‍, ଦରବୃଦ୍ଧି, ଦୁର୍ନିତୀ, ଭ୍ରଷ୍ଟାଚାର ଓ ସରକାରଙ୍କ ସ୍ଥାଣୁତା, ଉତ୍କଟ ବେକାରୀ ଆଦି ସମସ୍ୟାକୁ ମୁଖ୍ୟ ଆୟୁଧ କରି ଶୁକ୍ରବାର ପିପିଲି ବ୍ଳକର ଗୋବିନ୍ଦପୁର ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‍ ପ୍ରଚାର କରିଥିଲେ।

Comments are closed.