ପିପିଲି ଉପନିର୍ବାଚନ, ସୋମବାର ପ୍ରଚାର ଶେଷ ଦିନ

ପିପିଲି:ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍‍ ପ୍ରଚାର ଶେଷ ହେବାକୁ ହାତରେ ରହିଛି ଆଉମାତ୍ର ଗୋଟିଏ ଦିନ। ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକଙ୍କ ସମେତ ବରିଷ୍ଠନେତା ମାନେ ଆଜି ଭିନ୍ନ ଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମହିଳା ସମାବେଶ ମାଧ୍ୟମରେ ଜୋରଦାର ଭୋଟ୍‍ ପ୍ରଚାର ଚଳାଇଛନ୍ତି। ନିର୍ବାଚନମଣ୍ଡଳୀ ସାରା ପ୍ରତ୍ୟେକ ଦଳର ନେତା ଓ ମହିଳାନେତ୍ରୀ ମାନେ ରବିବାର ଲଘୁଚାପଜନିତ ବର୍ଷାକୁ ଖାତିର ନକରି ଘରକୁ ଘର ବୁଲି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଜୋରଦାର ଭୋଟ୍‍ ପ୍ରଚାର କରିଥିଲେ। ବିଭିନ୍ନ ରାଜନୈତିକ ଦଳର ପଞ୍ଚାୟତସ୍ତରୀୟ ନେତାମାନଙ୍କୁ ଅନ୍ୟ ପଞ୍ଚାୟତରେ ମୁଣ୍ଡ ନଖେଳାଇ ନିଜ ଅଞ୍ଚଳରେ ଦଳୀୟ ଭୋଟ୍‍ହାର ବୃଦ୍ଧି ପାଇଁ ପରିଶ୍ରମ କରିବାକୁ ଆଜିଠାରୁ ସବୁ ଦଳ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ସୋମବାର ଭୋଟ୍‍ ପ୍ରଚାରର ଶେଷ ଦିନ ହୋଇଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ନେତାମାନେ ବିଭିନ୍ନ ପଞ୍ଚାୟତ ଓ ୱାର୍ଡରେ ରହି ଝାଳବୁହା ପରିଶ୍ରମ ଚଳାଇଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଏହି ପିପିଲି ଉପନିର୍ବାଚନ ଏବେ ସମସ୍ତ ଦଳ ପାଇଁ ଆତ୍ମସମ୍ମାନର ପ୍ରସଙ୍ଗ ପାଲଟିଛି। ଅସନ୍ତୁଷ୍ଟଙ୍କୁ ଏକାଠି କରି ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରି ନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ସମସ୍ତେ ଦିନରାତି ଏକ କରି ଦେଇଛନ୍ତି। ଏଠାକାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏହି ଉପନିର୍ବାଚନ ଏକ ବଡ ଚାଲେଞ୍ଜ ହୋଇଥିବା ବେଳେ ଆସନ ଅକ୍ତିଆର କରିବାକୁ ସମସ୍ତେ ଚିଚାଚରିତ ଢଙ୍ଗରେ ଲୋକମାନଙ୍କୁ ବିଭିିନ୍ନ ପ୍ରତିଶୃତିରେ ପୋତି ପକାଉଛନ୍ତି। ଏଠାରେ ଏବେ ଦଳ ଡିଆଁ ପର୍ବ ଚାଲିଥିବା ବେଳେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଚାଲିଛି। ୱାର୍ଡ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଚାଲିଛି ଘନ ଘନ ବୈଠକ। ଗାଁ ଗାରେ ଏବେ ଭୋଜିର ଆସର ବେଶ୍‍ ଜମୁଛି।


ଆଶ୍ରିତଙ୍କ ପାଇଁ ପ୍ରଚାର କଲେ ପ୍ରତାପ ଷଡଙ୍ଗୀ ଓ ସମୀର ମହାନ୍ତି
ଶେଷ ପର୍ଯ୍ୟାୟରେ ପହଞ୍ôଚଥିବା ପିପିଲି ଉପନିର୍ବାଚନ ପ୍ରଚାର ମଇଦାନରେ ରବିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପିପିଲିରେ ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ। ଗୋବିନ୍ଦପୁର ପଞ୍ଚାୟତର ଆରୁହା ଗ୍ରାମ ନିକଟ ମା’ ଭଗବତୀ ମନ୍ଦିର ନିକଟରେ ଅନୁଷ୍ଠିତ ବିଜେପିର କାର୍ଯ୍ୟକର୍ତ୍ତା ବୈଠକରେ ଶ୍ରୀମହାନ୍ତି ଯୋଗଦେଇ ସାଧାରଣଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାରେ ଶାସକଦଳର ବିଫଳତାକୁ ଲୋକଙ୍କ ପାଖରେ ଘରେ ଘରେ ପହଞ୍ଚାଇବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବାକୁ ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର, ବରିଷ୍ଠ ନେତା ସୁଜିତ ଦାସ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀ ଆଶ୍ରୀତଙ୍କ ସପକ୍ଷରେ ଭୋଟ୍‍ ପ୍ରଚାର କରିଥିଲେ।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି ନିର୍ବାଚନ ପ୍ରଚାରରେ ଆସି ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ରାଣପୁର, ନୂଆସାହି, ବାଇଟାଙ୍ଗି, ଖରିଜା, ହାତୀଆଳିଗୋଡା ଗ୍ରାମ ସମେତ ସଁପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ଆଶ୍ରିତଙ୍କୁ ଜିତାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ। ତାଙ୍କ ସହ ବରିଷ୍ଠନେତ୍ରୀ ସୌମ୍ୟା ମିଶ୍ର, ବରିଷ୍ଠନେତା ସୁବାସ ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକର୍ତ୍ତା ରାଜକିଶୋର ନାୟକ, ଦାଣ୍ଡମୁକୁନ୍ଦପୁର ମଣ୍ଡଳ ଉପସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ଯୁବ ସଂଗଠକ ପ୍ରସନ୍ନ ଦାସ ପ୍ରମୁଖ ଘରକୁ ଘର ବୁଲି ଦଳ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।


ରୁଦ୍ରଙ୍କ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କ ଭୋଟ୍‍ ପ୍ରଚାର
ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ରବିବାର ଦଳର ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀ ବିଭିନ୍ନ ପଞ୍ଚାୟତରେ ଜୋରଦାର ଭୋଟ୍‍ ପ୍ରଚାର କରିଥିଲେ। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ପ୍ରମୁଖ ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର ଓ ପମସରା ପଞ୍ଚାୟତରେ ଆୟୋଜିତ ମହିଳା ସମାବେଶ ସମେତ ଓରକଳ ଓ ହାଟସାହି ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଇ ରୁଦ୍ରଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ। ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କିତ ବାର୍ତ୍ତା ସହ ନିର୍ବାଚନମଣ୍ଡଳୀରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇ ଦଳକୁ ଅଧିକ ଭୋଟ୍‍ ବ୍ୟବଧାନରେ ଜିତାଇବା ପାଇଁ ଉପସ୍ଥିତ ନେତା ଓ କର୍ମୀଙ୍କୁ ସେମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନ୍ୟ ପ୍ରମୁଖ ଦଳର କେତେକ ଯୁବନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ସେହିପରି ହାଟସାହି ପଞ୍ଚାୟତର ବନ୍ତଳସିଂହଦେଉଳି ଠାରେ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁବ ଓ ଛାତ୍ର ସମାବେଶରେ ମନ୍ତ୍ରୀ ଶ୍ରୀଦାଶ, ବିଧାୟକ ପ୍ରଶାନ୍ତ ମୁଦୁଲି, ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ୍‍ର ଉପସଭାପତି ମହମ୍ମଦ ମୋବିନ, ବରିଷ୍ଠନେତା ଜନ୍ମେଜୟ ଲେଙ୍କା, ରାଜ୍ୟ ଯୁବ ବିଜେଡି ସଂପାଦକ ପ୍ରଦୀପ୍ତ ଭୂୟାଁ, ଯୁବନେତା ଧରଣୀଧର ସାହୁ ପ୍ରମୁଖ ଯୋଗଦେଇ ରୁଦ୍ରଙ୍କୁ ବିପୁଳ ଭୋଟ୍‍ ବ୍ୟବଧାନରେ ବିଜୟୀ କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।


ବିଶ୍ୱକେସନଙ୍କ ପାଇଁ ରୁଦ୍ରରାଜୁ ଓ ପ୍ରଦୀପ ମାଝିଙ୍କ ପ୍ରଚାର
ପିପିଲି ଉପନିର୍ବାଚନରେ ନିଜ ସପକ୍ଷରେ ଜନମତ ସୃଷ୍ଟି କରାଇବାକୁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଦଳର ଅସନ୍ତୁଷ୍ଟ କର୍ମୀ ଓ ନେତାଙ୍କୁ ଏକାଠି କରି ଏହି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛି କଂଗ୍ରେସ। ଆଜି କଂଗ୍ରେସ ଦଳର ତାରକା ପ୍ରଚାରକ ତଥା ଏଆଇସିସି ସଂପାଦକ ଓ ଦଳର ରାଜ୍ୟ ପ୍ରଭାରୀ ଜି. ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ପିପିଲି ବ୍ଲକର ମଙ୍ଗଳପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ। ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡାଙ୍କ ନେତୃତ୍ୱରେ ଅନ୍ୟ ପ୍ରମୁଖ ଦଳର କେତେକ କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ। ସେହିପରି କଂଗ୍ରେସର ବରିଷ୍ଠନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଆଜି ନୂଆଶାସନ ପଞ୍ଚାୟତରେ ବିଶ୍ୱକେସନଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ।

Comments are closed.