ପିପିଲି ଉପନିର୍ବାଚନ ତାତି ; ପ୍ରଚାର ସରଗରମ, ନେତା ଏବେ ଗାଁ ମୁହାଁ

ପିପିଲି : ପିପିଲି ଉପନିର୍ବାଚନକୁ ଆଉ ୧୪ଦିନ ବାକି ରହିଥିବା ବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ସରଗରମ ହୋଇଛି । ଖରା ତାତି ଠାରୁ ବଳି ଯାଇଛି ଏହି ନିର୍ବାଚନୀ ତାତି । କରୋନା କଟକଣାକୁ ସତେ ଯେପରି ଏଠାରେ ଖାତିର ନାହିଁ । ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ରାଜନୈତିକ ଦଳର ନେତା, ନେତ୍ରୀଙ୍କର ସୁଅ ଏବେ ପିପିଲି ମୁହାଁ । ପ୍ରତି ଗାଁ ଗାଁରେ ଏବେ ମାଳ ମାଳ ନେତା । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବାରେ ଏବେ ସମସ୍ତେ ବ୍ୟସ୍ତ । ଖରାକୁ ଖାତିର ନକରି ପ୍ରାର୍ଥୀମାନେ ଘରକୁ ଘର ବୁଲି ଝାଳବୁହା ପରିଶ୍ରମ କରୁଛନ୍ତି ।

ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ଏନ୍‍ଏସିକୁ ନେଇ ଗଠିତ ପିପିଲି ବିଧାନସଭା ଆସନରେ ୧୭ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା ସରିଛି । ନିର୍ବାଚନୀ ମୈଦାନରେ ଏବେ ମାଳ ମାଳ ନେତା । ନେତାଙ୍କ ସହ ସେଲ୍‍ଫି ନେବାର ମଜା ଉଠାଉଛନ୍ତି ଯୁବଗୋଷ୍ଠୀ । ସମଗ୍ର ନିର୍ବାଚନମଣ୍ଡଳୀ ଏବେ ପୋଷ୍ଟର, ବ୍ୟାନରମୟ ହୋଇଯାଇଛି । କାନ୍ଥବାଡରେ ଲାଗିଛି ଦଳୀୟ ପ୍ରାର୍ଥୀଙ୍କ ଫଟୋ ଓ ପୋଷ୍ଟର । ଶାସକ ବିଜେଡି ଦଳର ଶହେରୁ ଉର୍ଦ୍ଧ୍ବ ନେତା, ମନ୍ତ୍ରୀ ଓ ବିଧାୟକ ଏବେ ପିପିଲି, ଡେଲାଙ୍ଗରେ ଡେରା ପକାଇଥିବା ବେଳେ ବିଜେପିର ମଧ୍ୟ ବହୁ ସଂଖ୍ୟାରେ ନେତା, ନେତ୍ରୀ, ବିଧାୟକ ଏଠାରେ ଡେରା ପକାଇଛନ୍ତି । ଉଭୟ ଦଳ ପକ୍ଷରୁ ପଞ୍ଚାୟତ, ୱାର୍ଡ ଓ ବୁଥ୍‍ସ୍ତରୀୟ କମିଟି ଗଠନ କରାଯାଇ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି । ଦଳର ସଂଗଠନକୁ ମଜ୍‍ବୁତ୍‍ କରି ଭୋଟ୍‍ ବୃଦ୍ଧି କରାଇବା ପାଇଁ ବିଜେଡିର ନେତା ମାନଙ୍କୁ ବିଭିନ୍ନ ପଞ୍ଚାୟତ, ୱାର୍ଡ ଆଦି ଦାୟିତ୍ୱ ବଣ୍ଟନ କରାଯାଇଛି । ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସମେତ ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ବୈଠକ କରି ଭୋଟ୍‍ ବୃଦ୍ଧି କରାଇବା କାମରେ ଦିନରାତି ଲାଗିଛନ୍ତି । ସେହିପରି ବିଜେପି ପକ୍ଷରୁ ମଧ୍ୟ ରାଜ୍ୟସ୍ତରୀୟ ବରିଷ୍ଠ ନେତା, ନେତ୍ରୀ, ବିଧାୟକ ଓ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ଭୋଟ୍‍ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ବିଭିନ୍ନ ଗ୍ରାମରେ ବିଜେପି ନେତ୍ରୀମାନେ ମେହେନ୍ଦୀ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଏକାଠି କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‍ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ଭୋଟ୍‍ ପ୍ରଚାର ଚାଲିଛି । ପ୍ରତିଶୃତିରେ ଭୋଟରଙ୍କୁ ପୋତି ପକାଉଛନ୍ତି ନେତାଏ । ଖରା ତାତି ଠାରୁ ବଳି ପଡିଛି ଉପନିର୍ବାଚନ ତାତି । ଗାଁ ଗାଁରେ ଭୋଜିର ଆସର ଜମିଛି । ବାଇକ୍‌ରେ ମାଗଣା ତେଲ ପକାଇ ଦଳୀୟ ରାଲିରେ ବୁଲୁଛନ୍ତି ଲୋକେ । ଖାଇବା ସାଙ୍ଗକୁ ଦିନକୁ ୫ଶହରୁ ହଜାରେ ଟଙ୍କା ରୋଜଗାର । ପ୍ରତ୍ୟେକ ସକାଳେ ନିର୍ବାଚନୀ ରାଲି ପାଇଁ ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି ।

ଶାସକ ବିଜେଡି ଦଳର ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ଦେଖିବା ଓ ତାଙ୍କ ସହ ମିଶି କଥା ହେବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଇତି ମଧ୍ୟରେ ରୁଦ୍ର ପିପିଲି ବ୍ଲକର ୧୫ଟି ପଞ୍ଚାୟତ ଓ ପିପିଲି ଏନ୍‍ଏସିରେ ନିର୍ବାଚନୀ ପ୍ରଚାର ସାରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ନିଜର ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ଏବେ ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର ଚଳାଇଛନ୍ତି । ଗତ ୨୦୧୯ ନିର୍ବାଚନ ଭଳି ଏହି ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ଏକପ୍ରକାର ନିଶ୍ଚିତ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ନିଜର ଭୋଟ୍‍ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ଆସନ୍ତାକାଲି ପିପିଲି ବ୍ଲକର ୪ଟି ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନୀ ପ୍ରଚାର ସମୟରେ କୌଣସି ଅପ୍ରତିକିର ପରିସ୍ଥିତି ନଉପୁଜିବା ପାଇଁ ସମସ୍ତେ ସତର୍କ ଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଏଥିପ୍ରତି କଡା ନଜର ରଖାଯାଇଥିବା ସୂଚନା ମିଳିଛି । ବିଜେଡିର ଗଡ କୁହାଯାଉଥିବା ଏହି ଆସନରେ ରୁଦ୍ରପ୍ରତାପଙ୍କୁ ବିପୁଳ ଭୋଟ୍‍ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଦଳ ଉଦ୍ୟମ କରୁଛି । ତେବେ ବାଲେଶ୍ୱର ପରାଜୟର ପ୍ରତିଶୋଧ ନେବା ସହ ବିଜେଡି ଗଡକୁ ଦଖଲ କରିବାକୁ ବିଜେପି ଜୋରଦାର ଉଦ୍ୟମ ଚଳାଇଛି । ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଆଦୌ ଭୁଲି ପାରିନଥିବା କଂଗ୍ରେସ ଦଳ ଏଥର ଅସନ୍ତୁଷ୍ଟ କର୍ମୀଙ୍କୁ ଏକାଠି କରି ବିଜୟୀ ହେବା ଲକ୍ଷ୍ୟରେ ଝାଳବୁହା ପରିଶ୍ରମ ଚଳାଇଛି ।

Comments are closed.