ବାପାଙ୍କ ସ୍ବପ୍ନ ମୋର ବାସ୍ତବତା, ବିଜେଡିର ପିପିଲି ବିଧାନସଭା ପ୍ରାର୍ଥୀ ରୁଦ୍ରପ୍ରତାପ

ପିପିଲି: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପୂର୍ବତନ ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ହେବେ ପ୍ରାର୍ଥୀ। ପୂର୍ବରୁ ଏହି ଆସନ ପାଇଁ ଉଭୟ ପତ୍ନୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ରପ୍ରତାପ ମହାରଥୀ ଆଶାୟୀ ଥିଲେ। କିଏ ଲଢିବ ସେ ନେଇ ଅନେକ ବିଚାର ବିମର୍ଷ ଲାଗି ରହିଥିଲା। ସେତେବେଳେ ପ୍ରତିଭା କହିଥିଲେ, ଯଦି ଟିକଟ ମିଳେ ସେ ନିର୍ବାଚନ ଲଢ଼ିବେ। କିନ୍ତୁ ଆଜି ଦଳ ପକ୍ଷରୁ ରୁଦ୍ରଙ୍କ ନାଁ ଘୋଷଣା କରାଯାଇଛି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ।

ମାର୍ଚ୍ଚ ୧୩ରେ ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ସାରା ଦେଶରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିର୍ବାଚନ କମିଶନ ଯେଉଁ ସବୁ ସ୍ଥାନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ଯୋଗୁ କିମ୍ବା ଅନ୍ୟ କାରଣ ଯୋଗୁ ଆସନ ଫାଙ୍କା ପଡିଛି, ସେହି ସବୁ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ସେହି କ୍ରମରେ ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ଏପ୍ରିଲ ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ଉପନିର୍ବାଚନ ପାଇଁ ଚଳିତ ମାର୍ଚ୍ଚ ୨୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୩ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ତେବେ ମେ’ ମାସ ୨ରେ ଭୋଟ ଗଣତି କରାଯାଇ ସେହିଦିନ ଫଳ ପ୍ରକାଶ ପାଇବ।

ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ସେହି ଆସନ ଖାଲି ପଡିଥିଲା। ଏବେ ସେହି ଆସନ ପାଇଁ ପ୍ରାର୍ଥୀ ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ପିପିଲି ଆସନ ଅକ୍ତିଆର କରିବାକୁ ବିରୋଧୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ବିଜେପିର ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଇତି ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରି ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡିର ରୁଦ୍ର ଆଗାମୀ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ।

ଗତ ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କୁ ୮୮ ହଜାର ୫୧୮ ଭୋଟ, ଆଶ୍ରିତ ପଟ୍ଟନାୟକଙ୍କୁ ୭୨ ହଜାର ୭୩୧ ଓ କଂଗ୍ରେସର ଅଜିତ୍‌ ମଙ୍ଗରାଜଙ୍କୁ ୯ ହଜାର ୮୦୯ ଖଣ୍ଡ ଭୋଟ୍‌ ମିଳିଥିଲା।

ଗେଜେଟ୍‌ ନୋଟିଫିକେସନ୍‌ ତାରିଖ: ୨୩.୦୩.୨୦୨୧(ମଙ୍ଗଳବାର)
ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ: ୩୦.୦୩.୨୦୨୧(ମଙ୍ଗଳବାର)
ପ୍ରାର୍ଥୀପତ୍ର ଯାଞ୍ଚ ତାରିଖ: ୩୧.୦୩.୨୦୨୧(ବୁଧବାର)
ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ: ୦୩.୦୪.୨୦୨୧(ଶନିବାର)
ଭୋଟ ଗ୍ରହଣ ତାରିଖ: ୧୭.୦୪.୨୦୨୧(ଶନିବାର)
ଭୋଟ୍‌ ଗଣତି ତାରିଖ: ୦୨.୦୫.୨୦୨୧(ରବିବାର)

Comments are closed.