ମାରଣାସ୍ତ୍ର ଦେଖାଇ ୩ଲକ୍ଷ ଟଙ୍କା ଲୁଟ୍‍ ଅଭିଯୋଗ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ମଧୁବନ ଛକ ନିକଟରେ ଗାଡିରେ ଯାଉଥିବା ଏକ ବିତରଣକାରୀ ସଂସ୍ଥାର ୨ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୩ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‍କୁ ୩ଜଣ ଦୁର୍ବୁତ୍ତ ଲୁଟି ନେଇଥିବା ସଂପର୍କରେ ପିପିଲି ପୁଲିସରେ ଅଭିଯୋଗ ହୋଇଛି। ପୁଲିସ ଏନେଇ ଉକ୍ତ ବିତରଣକାରୀ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ପଚରାଉଚୁରା ଚଳାଇବା ସହ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପୁରୀର ଏକ ତେଜରାତି ବିତରଣକାରୀ ସଂସ୍ଥା ପକ୍ଷରୁ ପିପିଲି ଓ ମଙ୍ଗଳପୁର ଅଞ୍ଚଳରେ ଥିବା କେତେକ ଗ୍ରସରୀ ଦୋକାନରେ ସାମଗ୍ରୀ ଦିଆଯାଉଥିବା ବେଳେ ଆଜି ଉକ୍ତ ସଂସ୍ଥାର ଦୁଇଜଣ କର୍ମଚାରୀ ଏକ ଟାଟାଏସି ଗାଡିରେ ଗ୍ରସରୀ ସାମଗ୍ରୀ ତଥା ତେଲ , ବିସ୍କୁଟ ଓ ମସଲା ଆଦି ବିଭିନ୍ନ ଦୋକାନରେ ଦେଇଥିଲେ। ଦୋକାନୀଙ୍କ ଠାରୁ ଟଙ୍କା ଆଦାୟ କରି ଉକ୍ତ ଦୁଇ କର୍ମଚାରୀ ଟାଟାଏସି ଗାଡିରେ ପୁରୀ ଫେରୁଥିବା ବେଳେ ୩ଜଣ ଦୁର୍ବୁତ୍ତ ଏକ ବାଇକ୍‍ରେ ତାଙ୍କୁ ପଛରୁ ଅନୁସରଣ କରି ମଧୁବନ ଛକ ଠାରେ ଗାଡିକୁ ଅଟକାଇଥିଲେ। ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ୍‍ ସମେତ ଗାଡିର ଚାବିକୁ ନେଇ ଦୁର୍ବୁତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏସଂପର୍କରେ ଖବର ପାଇ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଲୁଟ୍‍ର ଶିକାର ହୋଇଥିବା ଗାଡିର ଡ୍ରାଇଭର ସମେତ ଉକ୍ତ ସଂସ୍ଥାର ଅନ୍ୟ କର୍ମଚାରୀଙ୍କୁ ପୁଲିସ ଘଟଣା ସଂପର୍କରେ ପଚରାଉଚୁରା କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି। ତେବେ ଏହି ଲୁଟ୍‍କୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.