ଫେବୃଆରୀ ୫ରେ ଭୁବନେଶ୍ୱରରେ ପାଳନ ହେବ ଭକ୍ତ ଦାସିଆଙ୍କ ରାଜ୍ୟସ୍ତରୀୟ ତିରୋଧାନ ଦିବସ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ତିରୋଧାନ ଦିବସ ଆସନ୍ତା ମାଘ ଶୁକ୍ଳ ପକ୍ଷ ଏକାଦଶୀ ତିଥି ତଥା ଫେବୃଆରୀ ୫ ତାରିଖରେ ଭୁବନେଶ୍ୱରସ୍ଥ ଜୟଦେବ ଭବନ ନିକଟସ୍ଥ ଗୀତଗୋବିନ୍ଦ ସଦନ ଠାରେ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ଏହି ରାଜ୍ୟସ୍ତରୀୟ ଉତ୍ସବ ଭକ୍ତ ଦାସିଆଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠରେ ପାଳିତ ହେଉଥିବା ବେଳେ ଏବର୍ଷ ଏହାକୁ ଭୁବନେଶ୍ୱରରେ ପାଳନ କରାଯିବାକୁ ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ଏମ୍‍ସ୍‍ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ନିର୍ମାଣ ସୌଧ ଠାରେ ଅନୁଷ୍ଠିତ ବୈଠକରେ ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ପାଳନ ସଂପର୍କରେ ଚୁଡାନ୍ତ ଆଲୋଚନା ହୋଇଥିଲା। ଫେବୃଆରୀ ୫ ତାରିଖ ପ୍ରତ୍ୟୁଷରୁ ଭକ୍ତଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠରେ ଥିବା ଭକ୍ତଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ସେଠାରେ ବେଦ, ଗୀତା ପାଠ, ହୋମ ଯଜ୍ଞ, ନଗର ସଂକୀର୍ତ୍ତନ କରାଯିବ। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରୀୟ ଜାଉ ଓ ଶାଗ ଭୋଗ ସମେତ ପ୍ରସାଦକୁ ଭକ୍ତଙ୍କୁ ବିତରଣ କରାଯିବ। ଏହି ଅବସରରେ ସେଠାରେ ମାଗଣା ହୋମିଓପ୍ୟାଥିକ ଚିକିତ୍ସା ସହ ରୋଗୀଙ୍କୁ ଔଷଧ ବଣ୍ଟନ କରାଯିବ। ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟସ୍ତରୀୟ ସ୍ମୃତି ସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଅବସରରେ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟ’ର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରାଯିବ। ଓଡିଆ, ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ଭାଷାରେ ଭକ୍ତଙ୍କ ପୀଠର ସୂଚନା ପତ୍ରକୁ ଉନ୍ମୋଚନ ସହ ପୀଠର ୱେବ୍‍ସାଇଟ୍‍ ର ନୂତନ କଳେବରକୁ ଲୋକାର୍ପିତ କରାଯିବ। ଏହି ଆଲୋଚନାଚକ୍ରରେ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ସଦସ୍ୟ ଡ଼ ପୀତବାସ ରାଉତରାୟ, ଡ଼ ଭାସ୍କର ମିଶ୍ର, ପ୍ରଦୀପ୍ତ କୁମାର ସାହୁ, ପ୍ରେମଲତା ଦେବୀ, ଡାକ୍ତର ରାଜେନ୍ଦ୍ର ଶତପଥୀ, ଅର୍ଜ୍ଜୁନ ଚରଣ ସାମଲ, ଅବନିକାନ୍ତ ପାଟ୍ଟଯୋଶୀ, ଡ଼ ଉଦୟନାଥ ତ୍ରିପାଠୀ, ବିଜୟ କୁମାର ଦାଶ, ହୃଶିକେଶ ଜେନା, ପରେଶ ନାୟକ, ଜୟପ୍ରକାଶ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରୋଟାରିଆନ୍‍ ରୋହିତ କାକର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲେଜଛାତ୍ର ସମ୍ବିତ ମୋହନ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ସ୍ୱୃତିଚାରଣ କରିଥିବା ବେଳେ ହୃଦାନନ୍ଦ ନନ୍ଦ, ସିନ୍ଧୁବାଳା ଚୌଧୁରୀ ଶ୍ରୀଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ।

Comments are closed.