ଓଡିଆ ଲୋକକଳାକୁ ପେଟେଣ୍ଟ କରାଯିବ: ସଂସ୍କୃତି ମନ୍ତ୍ରୀ

ପିପିଲି:ଆମ ରାଜ୍ୟରେ ୪୭୧ ପ୍ରକାର ଲୋକକଳା ରହିଛି। ଲୋକକଳାର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଓଡିଆ ପାଲା, କେନ୍ଦେରା, ଝାଞ୍ଜ ଭଳି ଲୋକକଳାକୁ ପେଟେଣ୍ଟ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଖୁବ୍‍ଶିଘ୍ର ଉଦ୍ୟମ କରାଯିବ। ପିପିଲିର ପାଣିଦୋଳ ଗ୍ରାମ ଠାରେ ଗାଆଁ ଲୋକକଳା ମହୋତ୍ସବ-୨୦୧୯କୁ ଉଦଘାଟନ କରିବା ଅବସରରେ ଓଡିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପିପିଲି ବ୍ଲକ କଳା ସଂସ୍କୃତି ସଂଘ ଓ ପାଣିଦୋଳ ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ପାଣିଦୋଳ ଗ୍ରାମ ଠାରେ ଆୟୋଜିତ ଗାଆଁ ଲୋକକଳା ମହୋତ୍ସବ-୨୦୧୯କୁ ମନ୍ତ୍ରୀ ପାଣିଗ୍ରାହୀ ଶୁକ୍ରବାର ସନ୍ଧ୍ୟାରେ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍‍ ରାସ ବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯୋଗଦେଇ ମନ୍ତ୍ରୀ  ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କଳା ସଂପର୍କରେ ଆଲୋକପାତ କରିଥିଲେ। ଓଡିଆ କଳାର ବିକାଶ ସହ କଳାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ ସେ ଆଲୋକପାତ କରିଥିଲେ। ଲୋକକଳାର ବିକାଶ ପାଇଁ ପ୍ରତ୍ୟେକ ବ୍ଳକରେ ଖୁବଶିଘ୍ର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଗ୍ରାମରେ ନାଟ୍ୟମଣ୍ଡପ ନିର୍ମାଣ ସହ ସେଠାରେ ପ୍ରତ୍ୟହ ସଂନ୍ଧ୍ୟାରେ ବିଭିନ୍ନ ଲୋକକଳା ପ୍ରଦର୍ଶନ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବା ସଂପର୍କରେ ମନ୍ତ୍ରୀ ସୂଚନା ଦେବା ସହ କଳାକାରଙ୍କ ରହଣୀ ପାଇଁ ଭୁବନେଶ୍ୱରରେ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ବେଳେ କଳାକାର ଭବନ ସଂପର୍କରେ ସୂଚନା ଦେଇଥିଲେ। ପାଣିଦୋଳ ଗ୍ରାମରେ ଏକ ରାଜ୍ୟସ୍ତରୀୟ ବାଦୀପାଲା ସମାରୋହର ଆୟୋଜନ କରାଯିବା ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ, ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ସିନେତାରକା ସତ୍ୟବ୍ରତ ତ୍ରିପାଠୀ(କୁନା), ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ପ୍ରମୁଖ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ପରମ୍ପରାର ସୁରକ୍ଷା ଉପରେ ଆଲୋକପାତ କରିବା ସହ ଲୋକକଳାର ବିକାଶ ଓ କଳାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ପ୍ରକାଶ କରିଥିଲେ।

Comments are closed.