ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ 

ପିପିଲି:ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ବଜାରରେ ସୋମବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ତେଜରାତି ଦୋକାନ ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ଅନ୍ୟ ୬ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ଅନୁଯାଇ ଅପରାହ୍ନ ୫ଟା ସମୟରେ ଉକ୍ତ ବଜାରରେ ଥିବା ସଂଜୀବ ଘୋଷଙ୍କ ତେଜରାତି ଦୋକାନରୁ ହଠାତ୍‍ ନିଆଁ ବାହାରିଥିଲା। ନିଆଁକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେବା ସହ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ମାତ୍ର କିଛି ସମୟ ମଧ୍ୟରେ ସଂପୂର୍ଣ୍ଣ ଦୋକାନଟି ହୁତୁହୁତୁ ହୋଇ ଜଳିଥିଲା। ପିପିଲି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଦେଢ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେବେ ସେତେବେଳକୁ ଉକ୍ତ ତେଜରାତି ଦୋକାନଟି ସଂପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା। ଏଥିରେ ଉକ୍ତ ଦୋକାନ ମଧ୍ୟରେ ଥିବା ୫ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ତେଜରାତି ସାମଗ୍ରୀ ସଂପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ନିକଟରେ ଥିବା ୨ଟି ପରିବା ଦୋକାନ ୫୦ପ୍ରତିଶତ ଜଳି ଯାଇଥିବା ବେଳେ ଅନ୍ୟ ୪ଟି କ୍ୟାବିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ବିଦ୍ୟୁତ୍‍ ସଟ୍‍ସର୍କିଟ୍‍ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି।

Comments are closed.