ଫାଷ୍ଟାଗ୍ ବ୍ୟବସ୍ଥା ପରେ ସଚେତନ ହେଉନାହାନ୍ତି ଗାଡିଚାଳକ: ଟୋଲ୍ ପ୍ଲାଜାରେ ଲାଗୁଛି ଭିଡ

ପିପିଲି: ପିପିଲି ଟୋଲ୍ ପ୍ଲାଜା ଠାରେ ରବିବାର ଠାରୁ ଫାଷ୍ଟାଗ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଟୋଲ୍ ପ୍ଲାଜାର ଉଭୟ ପାର୍ଶ୍ବରେ ଥିବା ୪ଟି ଲେଖାଏଁ ଲେନ୍ ମଧ୍ୟରୁ ୨ଟିକୁ ଫାଷ୍ଟାଗ୍ ଓ ୨ଟି କ୍ୟାସ୍ ଲେନ୍ କରାଯାଇଥିବା ବେଳେ ନିକଟ ଭବିଷ୍ୟତରେ ସେଥିମଧ୍ୟରୁ ୩ଟି ଫାଷ୍ଟାଗ୍ ଓ ଗୋଟିଏ କ୍ୟାସ୍ ଲେନ୍ କରାଯିବ ବୋଲି ଟୋଲ୍ ପ୍ଲାଜାର ମ୍ୟାନେଜର ନକୁଳ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଟୋଲ୍ ପ୍ଲାଜାର ଉଭୟ ପାର୍ଶ୍ବରେ ଥିବା ୪ଟି ଯାକ ଲେନରେ ଟୋଲଫି ଆଦାୟ କରାଯାଉଥିବା ବେଳେ ଆଜି ଫାଷ୍ଟାଗ୍ ବ୍ୟବସ୍ଥା ଲାଗୁ ହେବା ପରେ ମାତ୍ର ୨ଟି ଲେନରେ ଟୋଲଫି ଆଦାୟ କରାଯିବା ଫଳରେ ଟୋଲ୍ ପ୍ଲାଜାର ଉଭୟ ପାର୍ଶ୍ବରେ ସକାଳୁ ମଧ୍ୟାହ୍ନ ପର୍ୟ୍ୟନ୍ତ ବିନା ଫାଷ୍ଟାଗ୍ ଗାଡିମୋଟର ଗୁଡିକର ଲମ୍ବା ଲାଇନ ଲାଗିଥିବା ପରିଲକ୍ଷିତ ହୋଇଥିଲା। ଛୁଟିଦିନ ଥିବାରୁ ପୁରୀରେ ପର୍ୟ୍ୟଟକଙ୍କ ଭିଡ ଲାଗୁଥିବାରୁ ଏହି ଟୋଲ୍ ପ୍ଲାଜା ଠାରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଗାଡିମୋଟର ଲମ୍ବା ଲାଇନରେ ଠିଆ ହେବା ଫଳରେ ଗାଡିଚାଳକ ଓ ମାଲିକ ତଥା ପର୍ୟ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ରବିବାର ପୂର୍ବାହ୍ନରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ଥିବା ପିପିଲି ଟୋଲ୍ ପ୍ଲାଜା ଠାରେ ୫ଶହ ମିଟରରୁ ଅଧିକ ଦୂରତା ପର୍ୟ୍ୟନ୍ତ ବିନା ଫାଷ୍ଟାଗ୍ ଗାଡିଗୁଡିକର ଲମ୍ବା ଲାଇନ ଲାଗିଥିବା ପରିଲକ୍ଷିତ ହୋଇଥିଲା। ଏହି ଟୋଲ୍ ପ୍ଲାଜାର ଉଭୟ ପାର୍ଶ୍ବରେ ଥିବା ୪ଟି ଲେଖାଏଁ ଲେନ୍ ମଧ୍ୟରୁ ୨ଟି ଫାଷ୍ଟାଗ୍ ଲେନ୍ ଓ ୨ଟି କ୍ୟାସ୍ ଲେନ୍ ବ୍ୟବସ୍ଥା କରାଯାଇଥିଲା। ଫଳରେ ଫାଷ୍ଟାଗ୍ ବ୍ୟବସ୍ଥିତ ଗାଡି ଗୁଡିକ ଫାଷ୍ଟାଗ୍ ଲେନ୍ରେନ ଯାତାୟତ କରିଥିବା ବେଳେ ବିନା ଫାଷ୍ଟାଗ୍ ଗାଡିମୋଟର ଗୁଡିକ କ୍ୟାସ୍ ଲେନ୍ ଦେଇ ଯାତାୟତ କରିଥିଲେ। ତେବେ ଏହି ରାସ୍ତାରେ ଯାତାୟତ କରୁଥିବା ୭୦ ପ୍ରତିଶତରୁ ଉର୍ଦ୍ଧ ଗାଡିମୋଟର ଗୁଡିକ ଫାଷ୍ଟାଗ୍ ବ୍ୟବସ୍ଥା କରିନଥିବା ଯୋଗୁଁ କ୍ୟାସ୍ ଲେନରେ ଲମ୍ବା ଲାଇନ ଲାଗିଥିଲା। ଅତି ଜରୁରୀ କାର୍ୟ୍ୟରେ ଯାଉଥିବା ଅଳ୍ପ ସଂଖ୍ୟକ ବିନା ଫାଷ୍ଟାଗ୍ ଗାଡି ଫାଷ୍ଟାଗ୍ ଲେନରେ ଦୁଇଗୁଣା ଟିକସ ଦେଇ ଯାଇଥିବା ସଂପର୍କରେ ଟୋଲ୍ ପ୍ଲାଜାର ମ୍ୟାନେଜର ଶ୍ରୀଦାସ ସୂଚନା ଦେଇଛନ୍ତି। ଖୁବ୍ ଶିଘ୍ର ୪ଟି ଲେନ୍ ମଧ୍ୟରୁ ୩ଟି ଫାଷ୍ଟାଗ୍ ଲେନ୍ ଓ ଗୋଟିଏ କ୍ୟାସ୍ ଲେନ୍ ରହିବ ବୋଲି ସେ କହିବା ସହ ଟୋଲ୍ ପ୍ଲାଜା ଠାରେ ସମସ୍ତ ଗାଡି ମୋଟରକୁ ଫାଷ୍ଟାଗ୍ ବ୍ୟବସ୍ଥା କରାଇନେବା ପାଇଁ ଗାଡି ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଆଜି ଟୋଲ୍ ପ୍ଲାଜା ଠାରେ ଦୀର୍ଘ ସମୟ ଧରି କ୍ୟାସ୍ ଲେନରେ ଗାଡିମୋଟର ଗୁଡିକ ଲମ୍ବା ଲାଇନରେ ରହିବା ଫଳରେ ଗାଡିଚାଳକ ଓ ଯାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲେ ମଧ୍ୟ ସେପରି କୌଣସି ପ୍ରତିକ୍ରୀୟା ପ୍ରକାଶ ପାଇନଥିବା ଜଣାଯାଇଛି। ଫାଷ୍ଟାଗ୍ ନିୟମ କଡାକଡି ହେଲେ ଟୋଲଗେଟରେ ଅଯଥା ବିଳମ୍ବ ହେବନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଫାଷ୍ଟାଗ୍ ବ୍ୟବସ୍ଥା ଆଗରୁ ଥିଲା ଓ ଫାଷ୍ଟାଗ୍ କରିନଥିବା ଗାଡିଗୁଡିକ ଫାଷ୍ଟାଗ୍ କରାଇନେବା ପାଇଁ ମାଲିକଙ୍କୁ ସଚେତନ କରାଯାଉଛି ବୋଲି ଟୋଲପ୍ଲାଜାର ମ୍ୟାନେଜର ଶ୍ରୀଦାସ କହିବା ସହ କ୍ୟାସଲେସ ବ୍ୟବସ୍ଥା ସହ ଟୋଲପ୍ଲାଜାରେ ଅଯଥା ବିଳମ୍ବ ଓ ଭିଡକୁ ଏହା କମାଇବାରେ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟ ଛୁଟିଦିନ ଭଳି ଆଜି ମଧ୍ୟ ପୁରୀକୁ ଅଧିକ ସଂଖ୍ୟକ ଯାନବାହନ ଚଳାଚଳ ଯୋଗୁଁ ଟୋଲଗେଟ ଠାରେ ଭିଡ ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଥାଉକି, ଟୋଲପ୍ଲାଜା ନିକଟରେ ଫାଷ୍ଟାଗ୍ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇଛି।

Comments are closed.