ସିଫା ପକ୍ଷରୁ କୃଷିରତ ମହିଳା ଦିବସ ପାଳିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଓ କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଆନୁକୂଲ୍ୟରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଖମଙ୍ଗଶାସନ ଗ୍ରାମ ଠାରେ କୃଷିରତ ମହିଳା ଦିବସ ବୁଧବାର ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ସଭାରେ ସିଫାର ନିର୍ଦ୍ଦେଶିକା ଡ଼ଃ ବିନ୍ଦୁ ଆର୍‍ ପିଲାଇ ଅଧ୍ୟକ୍ଷତା କରିଥିଲେ। ମହିଳାମାନେ ସର୍ବଦା କୃଷିକାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଥିବା ବେଳେ ପୁରୁଷପ୍ରଧାନ ସମାଜରେ ସେମାନଙ୍କର ଶ୍ରମକୁ ଗୁରୁତ୍ୱ ଦିଆଯାଉନାହିଁ। ତେଣୁ କୃଷି କାର୍ଯ୍ୟରେ କର୍ତ୍ତବ୍ୟରତ ମହିଳାମାନଙ୍କୁ ସଶକ୍ତିକରଣ କରିବା ସହ କୃଷିରେ ସେମାନଙ୍କର ଅବଦାନକୁ ସ୍ୱୀକାର କରି ସେମାନଙ୍କ ଶ୍ରମକୁ ସମ୍ମାନ ଜଣାଇବା ହିଁ ଏହି ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ବୋଲି ଡ଼ଃ ପିଲାଇ କହିଥିଲେ। ଭାରତରେ ଜୀବିକା ନିର୍ବାହ ପାଇଁ ଗ୍ରାମାଞ୍ଚଳର ଶତକଡ଼ା ୮୦ ଭାଗ ମହିଳା କୃଷି ଉପରେ ନିର୍ଭର କରିଥାନ୍ତି। ସମୁଦାୟ କୃଷକ ସମାଜରେ ୩୦ ପ୍ରତିଶତ ମହିଳା ସ୍ୱୟଂ କୃଷକ ହୋଇଥିବା ବେଳେ ୪୫ପ୍ରତିଶତ ମହିଳା କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଯାହାକି କୃଷି ଉତ୍ପାଦନ କ୍ଷେତ୍ରରେ ମହିଳାମାନଙ୍କର ସିଂହଭାଗ ଅବଦାନ ରହିଥିବାର ପ୍ରମାଣିତ କରୁଥିବାର ସେ କହିବା ସହ ମହିଳା କୃଷକଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ପାରିଲେ କୃଷି ଉତ୍ପାଦନ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇ ପାରିବ ଓ କ୍ଷୁଧାମୁକ୍ତ ବିଶ୍ୱ ଗଠନ ସମ୍ଭବ ହୋଇପାରିବ ବୋଲି ସେ ଦୃଢକ୍ତି ପ୍ରକାଶ କରିଥିଲେ। ସିଫା ଠାରେ ମହିଳାମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ଓ ଅନ୍ୟାନ୍ୟ ଜଳକୃଷି କରିବାପାଇଁ ପ୍ରେତ୍ସାହନ ଯୋଗାଇ ଦିଆଯାଉଅଛି। ଏହା କେବଳ ଜୀବିକା ଉତ୍ପାଦନର ମାଧ୍ୟମ ନହୋଇ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି ବୋଲି ଡ଼ଃ ପିଲାଇ ପ୍ରକାଶ କରିଥିଲେ।

ସିଫାର ପ୍ରମୁଖ ବୈଜ୍ଞାନିକ ଡ଼ଃ କାନ୍ତା ଦାସ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ କରାଇବା ସହ ମହିଳା କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇଁ ସିଫା ପକ୍ଷରୁ ଯୋଗାଇ ଦିଆଯାଉଥିବା ବୈଜ୍ଞାନିକ ଜ୍ଞାନକୌଶଳ ସଂପର୍କରେ ଆଲୋକପାତ କରିଥିଲେ। ଖୋର୍ଦ୍ଧା ୧୮ନଂ ଜୋନ୍‍ର ଜିଲ୍ଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ଗଠନରେ ମହିଳାଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ପ୍ରମୁଖ ବୈଜ୍ଞାନିକ ଡ଼ଃ ପ୍ରଭାତି କୁମାରୀ ସାହୁ ମତ୍ସ୍ୟଚାଷ, ଜାଆଁଳ ଉତ୍ପାଦନ, ଭାଲ୍ୟୁଆଡିସନ୍‍, ସମନ୍ୱୀତ କୃଷି, ମୁକ୍ତାଚାଷ ପ୍ରଭୃତି ବ୍ୟବସାୟୀକ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ମହିଳାମାନଙ୍କୁ ପରାମର୍ଶ ଦେଇଥିବା ବେଳେ କାକରୁଦ୍ରପୁର ନାଏବ ସରପଞ୍ଚ ସରସ୍ୱତୀ ବାରିକ ସରକାରଙ୍କ କୃଷିନୀତିରେ କିପରି ମହିଳାମାନଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଉଛି ସେ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବୈଜ୍ଞାନିକ ଓ ମହିଳା କୃଷକମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୬ ଜଣ ଅଗ୍ରଣୀ ମହିଳା ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଫାର୍ମର ଫାଷ୍ଟ ପରିଯୋଜନାର ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧାର ଡଃ ଅଜୟ କୁମାର ଦାଶ, ସୁକାନ୍ତୀ ବେହେରା ଓ ସିଫାର ବୈଜ୍ଞାନିକ ଶ୍ୱେତା ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ଡଃ ଉତ୍କଳଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଚାଷୀ ଯୋଗ ଦେଇଥିଲେ।

Comments are closed.