ପିପିଲିରେ ମଦ ବିରୋଧି ଆନ୍ଦୋଳନ : ମଦ ଦୋକାନ ସ୍ଥାନାନ୍ତର ଦାବିରେ ଦଳିତ ମହାସଂଘର ରାସ୍ତାରୋକ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଅକ୍‍ଟ୍ରାଇ ଛକ ନିକଟରେ ରାସ୍ତା କଡରେ ଖୋଲାଯାଇଥିବା ଏକ ଠିପି ଖୋଲା ଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବିରେ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଶୁକ୍ରବାର ୨ଘଣ୍ଟା କାଳ ଧାରଣା ଦିଆଯିବା ସହ ପିପିଲି-ଜଟଣୀ ରାଜପଥକୁ ଅବରୋଧ କରାଯାଇଥିଲା।
ସୂଚନା ଅନୁଯାଇ, ପିପିଲି ପୌରାଞ୍ଚଳର ଅକ୍‍ଟ୍ରାଇ ଛକ ନିକଟରେ ପିପିଲି-ଜଟଣୀ ମୁଖ୍ୟରାସ୍ତା ପାର୍ଶ୍ବ ଠାରୁ ମାତ୍ର ୨୦ମିଟର ବ୍ୟବଧାନ ମଧ୍ୟରେ ଏକ ନୂତନ ଠିପି ଖୋଲା ଦେଶୀ ମଦ ଦୋକାନ ଖୋଲାଯାଇଛି। ଉକ୍ତ ମଦ ଦୋକାନର ଅତି ନିକଟରେ ଡାକ୍ତରଙ୍କ କ୍ଲିନିକ୍‍, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ଘରୋଇ ଡାକ୍ତରଖାନା ଆଦି ରହିଥିବା ବେଳେ ଏହା ସରକାରଙ୍କର ସମସ୍ତ ଗାଇଡ୍‍ଲାଇନକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ସମ୍ପର୍କର୍ରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଗୁରୁତର ଅଭିଯୋଗ କରିଛନ୍ତି । ମଦ ଦୋକାନକୁ ସେଠାରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଶ୍ରୀସେଠୀଙ୍କ ନେତୃତ୍ୱରେ ମହାସଂଘର ଶତାଧିକ ମହିଳା ଓ ନାରୀନେତ୍ରୀମାନେ ଆଜି ପୂର୍ବାହ୍ନ ୧୦ଟାରୁ ଉକ୍ତ ମଦ ଦୋକାନ ସମ୍ମୁଖ ରାସ୍ତାକଡରେ ଗଣଧାରଣାରେ ବସିଥିଲେ। ସେଠାକୁ ପ୍ରଶାସନର କୌଣସି ଅଧିକାରୀ ନଆସିବାରୁ ଆନ୍ଦୋଳନକାରୀ ମାନେ ଅପରାହ୍ନ ସାଢେ ୧୨ଟାରେ ସେହି ସ୍ଥାନରେ ପିପିଲି-ଜଟଣୀ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ସେହିରାସ୍ତା ଦେଇ ଗାଡିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନ ଗୋଟାଏରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ମହାସଂଘ ପକ୍ଷରୁ ଏ ସମ୍ପର୍କିତ ଏକ ଦାବିପତ୍ରକୁ ଆଇଆଇସିଙ୍କ ଜରିଆରେ ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ୭ ଦିନ ମଧ୍ୟରେ ଉକ୍ତ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ଓ ଯାହା ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀସେଠୀ ଚେତାବନୀ ଦେଇଛନ୍ତି। ଏହି ଗଣଧାରଣାରେ ମହାସଂଘର ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ସୁଜାତା ଭୋଇ, ମିନାକ୍ଷୀ ସେଠୀ, ପ୍ରଭାତୀ ମଲ୍ଲିକ, ସବିତା ନାୟକ, ଦଳିତ ନେତା ପ୍ରକାଶ ଭୋଇ, ଶରତ ବେହେରା, ରବୀନ୍ଦ୍ର ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

Comments are closed.