ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ମରଣାତ୍ମକ ଆକ୍ରମଣ

ପିପିଲି :ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ନିକଟରେ ଥିବା ବିମଳା ଫିଲିଙ୍ଗ ଷ୍ଟେସନ ନାମକ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଗୁରୁବାର ସନ୍ଧ୍ୟାରେ ମରଣାତ୍ମକ ଆକ୍ରମଣ ହୋଇଛି। ଉକ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ତଥା ରାସ୍ତା କଡରେ ଥିବା ଏକ କ୍ୟାବିନ୍‍ ଉଠାଇବାକୁ କେନ୍ଦ୍ର କରି ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ପେଟ୍ରୋଲ ପମ୍ପର ମ୍ୟାନେଜର ମକରଧର ମହାନ୍ତି ଓରଫ ମକରା ଆଜି ସଂନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଡ୍ୟୁଟିରେ ବ୍ୟସ୍ତ ଥିବା ବେଳେ ଜନୈକ ବିଭୂତି ନାମକ ଯୁବକ ହଠାତ୍‍ ପେଟ୍ରୋଲ ଟାଙ୍କି ଠାରେ ପହଞ୍ଚି ମାରଣାସ୍ତ୍ର ଦ୍ୱାରା ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀମହାନ୍ତିଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା କେତେକ ଲୋକେ ଆକ୍ରମଣକାରୀ ଯୁବକକୁ ନିସ୍ତୁକ ମାଡ ମାରିବାରୁ ସେ ମଧ୍ୟ ଆହତ ହୋଇଥିଲା। ଖବର ପାଇ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନିର୍ଦ୍ଦେଶରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ମନୋଜ କୁମାର ଦାସ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଉଭୟ ମକରଧର ଓ ବିଭୂତିକୁ ଉଦ୍ଧାର କରି ବାଳକଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେଠାରୁ ଉଭୟଙ୍କୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଆଇଆଇସି ପୃଷ୍ଟି ସୂଚନା ଦେଇଛନ୍ତି।

Comments are closed.