ଗଛରେ ପିଟି ହେଲା ପିକଅପ୍‌ – ୧୧ ଆହତ, ୮ ଗୁରୁତର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିନ ୨୨୦ନମ୍ୱର ଜାତୀୟ ରାଜପଥ ମାକିଡି ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ୍‌ ଭ୍ୟାନ ଗଛରେ ପିଟି ହେବା ଫଳରେ ୧୧ ଜଣ ଆହତ ହୋଇଛନ୍ତି। ଡ୍ୟାନ୍ସ ଗ୍ରୁପକୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ୪ ଜଣ ଝିଅ ଥିବାବେଳେ ୭ ଜଣ ଯୁବକ ରହିଥିବା ଜଣାପଡିଛି। ଗତକାଲି ଝାଡ଼ଖଣ୍ଡର କରଣ୍ଡିଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ପିକଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ତେବେ ଆହତ ଝିଅମାନଙ୍କ ମଧ୍ୟରେ ୨ଜଣ ବାଲେଶ୍ୱରର ହୋଇଥିବା ବେଳେ ୨ ଜଣ ବାରିପଦାର ଅଟନ୍ତି। ସେହିପରି ରାଇରଙ୍ଗପୁର ମଇଁଷାଲାଦା ଗାଁର ୪ଜଣ ଯୁବକ ଥିବାବେଳେ ୩ ଜଣଙ୍କ ପରିଚୟ ମିଳିପାରିନାହିଁ।

ସ୍ଥାନୀୟ ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେବାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ୩ ଜଣଙ୍କୁ ଉଦ୍ଧାର କରାଯାଇ ବହଳଦା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଗୁରୁତରଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ସମସ୍ତ ଗୁରୁତର ରାଇରଙ୍ଗପୁର ଟାଉନ ଥାନା ଅଧିନ ମଇଁଶାଲାଦା ଗାଁର ଗଣପତି ଡ୍ୟାନ୍ସ ଗ୍ରୁପର ଏକ ଟିମ୍ ବୋଲି ଜଣାପଡିଛି। ତିରିଂ ପୋଲିସ ଦୁର୍ଘଟଣାଗ୍ରସ୍ତ ଟାଟା ମ୍ୟାଜିକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.