ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଓ ଅଟଳ ପେନ୍‍ସନ୍‍ ଯୋଜନା ସମ୍ପର୍କିତ କର୍ମଶାଳା

କେନ୍ଦୁଝର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ଘଟଗାଁ ବ୍ଲକର ଗଦାଧରପୁର ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ଅଟଳ ପେନସନ୍‍ ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଦାଧରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଜନକ କିଷାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ କୁମାର ଦାସ, ବିପିଏଲଏଫ ସେକ୍ରେଟେରୀ ଅଞ୍ଜଳୀ ବାରିକ୍‍ ଓ ସ୍ଥାନୀୟ ୱାର୍ଡମେମ୍ବର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ବିଷୟବସ୍ତୁ ‘ଅଟଳ ପେନସନ୍‍ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ସମ୍ପର୍କରେ ବକ୍ତାମାନେ ବହୁ ମୂଲ୍ୟବାନ୍‍ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଘଟଗାଁ ସ୍ଥିତ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧିକାରୀ ପ୍ରକାଶ କୁମାର ନାୟକ ମୁଖ୍ୟ ବକ୍ତା ହିସାବରେ ଯୋଗଦେଇ ଅଟଳ ପେନସନ୍‍ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବେଶ୍‍ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀମତୀ କିଷାନ ସରକାରଙ୍କର ବିଭିନ୍ନ ଯୋଜନା ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅଟଳ ପେନସନ୍‍ ଯୋଜନାର ଲାଭ ଲୋକମାନେ ଅନାୟାସରେ ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଗ୍ରାମର ମହିଳା, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଗ୍ରାମ ପରିକ୍ରମା କରିଥିଲା।

ଗତକାଲି ଏହି କାର୍ଯ୍ୟକ୍ରମର ପ୍ରାକ୍‍ ସଚେତନତା ଅବସରରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ଏବଂ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ୍‍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି ଏକାଧିକ ମାଆମାନଙ୍କୁ ନେଇ ଏକ ଶଙ୍ଖଧ୍ୱନୀ ପ୍ରତିଯୋଗିତା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର କ୍ଷେତ୍ରପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକ୍‍ ଓ ସହକାରୀ ଅଧିକାରୀ ଶ୍ରୀ ଜୀବନକୁମାର ସାମନ୍ତସିଂହାର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗଦାଧରପୁର ଗ୍ରାମପଞ୍ଚାୟତର ଗ୍ରାମବାସୀ, ବୁଦ୍ଧିଜୀବୀ ଓ ବିଶେଷକରି ପ୍ରତାପ ଚନ୍ଦ୍ର ବେହେରା ବେଶ୍‍ ସହଯୋଗ କରିଥିଲେ।

Comments are closed.