୭ ପଂଚାୟତ ଲୋକ ପ୍ରତିନିଧିଙ୍କ ରଣହୁଙ୍କାର ; ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ଚକାପାଦ ବ୍ଲକର ସଦର ମହକୁମା ବସ୍ତିଙ୍ଗିଆରେ ପ୍ରସ୍ତାବିତ କୋର୍ଟ ଖୋଲିବାକୁ ଦାବି କରି ୭ଟି ପଂଚାୟତର ନିବାଚିତ ଲୋକ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପ୍ରଶାସନକୁ ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ସେମାନେ ଦେଇଛନ୍ତି ରଣହୁଙ୍କାର। ୧୫ଦିନ ମଧ୍ୟରେ ଦାବିପୁରଣ ନହେଲେ ,ତେବେ ୭ ଗୋଟି ପଂଚାୟତର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ତଥା ବ୍ଳକ ଅଧ୍ୟକ୍ଷ , ଉପାଧ୍ୟକ୍ଷ ,ସମିତିସଭ୍ୟ /ସଭ୍ୟା , ସରପଂଚ , ନାଏବ ସରପଂଚ ଓ ଅନ୍ୟମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନସନ କରିବା ସହିତ ଆଇନକୁ ହାତକୁ ନେବାକୁ ମଧ୍ୟ ଧମକ ଦେଇଛନ୍ତି। ଏଥିରେ କିଛି ଅସୁବିଧା ଉପୁଜେ ତାହାହେଲେ ଏଥିପାଇଁ ଜିଲା ପ୍ରଶାସନ ଦାୟି ରହିବ ବୋଲି ମଧ୍ୟ ଚେତେଇ ଦେଇଛନ୍ତି।
ବ୍ଳକର ୭ଗୋଟି ପଂଚାୟତ ନିର୍ବର୍ାଚିତ ଲୋକ ପ୍ରତିନିଧିଙ୍କ ଦାବି ପ୍ରକାରେ,ଚକାପାଦ ବ୍ଲକ ଅନ୍ତର୍ଗତ ୧୨ଟି ପଂଚାୟତ ମଧ୍ୟରୁ ୭ଟି ପଂଚାୟତ ଘାଟି ଉପରେ ଥିବା ବେଳେ ୫ଟି ଘାଟି ତଳେ ରହିଛି। ତେଣୁ ଲୋକଙ୍କ ସୁବିଧା ପାଇଁ ବ୍ଲକ କାର୍ଯ୍ୟାଳୟ ବସ୍ତିଙ୍ଗିଆ ଠାରେ ସ୍ଥାପନ ହେଇଛି। ତେବେ ତହସିଲ କାର୍ଯ୍ୟାଳୟ ସମେତ ବ୍ଲକ ଶିକ୍ଷାଧିକାରୀ ଏବଂ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ବ୍ଲକ କାର୍ଯ୍ୟାଳୟ ବସ୍ତିଙ୍ଗିଆ ଠାରୁ ୨୦ କିମି ଦୁର ଚକାପାଦ ଠାରୁ ଆହୁରି ୩ କିମି ଦୁର ରୂପାଗାଁ ଠାରେ କାର୍ଯ୍ୟ କରୁଛି। ଫଳରେ ୭ଟି ପଂଚାୟତର ୪୫ ହଜାର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ନେଇ ୨୦୧୭ ମସିହାରେ ପଂଚାୟତ ସମିତି ବୈଠକରେ ସମସ୍ତ କାର୍ଯ୍ୟାଳୟ ବସ୍ତିଙ୍ଗିଆ ଠାରେ କାର୍ଯ୍ୟ କରିବାକୁ ରିଜଲୁସନ କରି ସରକାରଙ୍କ ଠାରେ ଦାବି କରି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ ଦାବି ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏବେ ପୁଣି ପ୍ରସ୍ତାବିତ ଗ୍ରାମ୍ୟ କୋର୍ଟ ଚକାପାଦ ଠାରେ କରିବାକୁ ପ୍ରୟାସ ଚାଲିଛି। ଏହା ଦ୍ୱାରେ ୪୫ ହଜାର ଜନସାଧାରଣ ହଇରାଣ ହରକତ ହେବେ। ସରକାର ବ୍ଲକ କାର୍ଯ୍ୟାଳୟ ସରକାରଙ୍କ ଏକ ଶାଖା ବୋଲି କହୁଥିବା ବେଳେ ସମସ୍ତ ଜନସାଧାରଣ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ସୁଯୋଗ ପାଇବେ ବୋଲି କହୁଛନ୍ତି। ହେଲେ ଚକାପାଦ ବ୍ଲକରେ ତାହାର ବ୍ୟତିକ୍ରମ ହେଉଛି। ତେଣୁ ପଂଚାୟତ ସମିତିର ସର୍ବାଧିକ ଲୋକେ ଉପକୃତ ହୋଇ ପାରିବା ଭଳି ସ୍ଥାନ ତଥା ବ୍ଲକ କାର୍ଯ୍ୟାଳୟ ଥିବା ବସ୍ତିଙ୍ଗିଆରେ ପ୍ରସ୍ତାବିତ ଗ୍ରାମ୍ୟ କୋର୍ଟ ସମେତ ସମସ୍ତ ବ୍ଲକସ୍ତରୀୟ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ସ୍ଥାପନ କରିବାକୁ ପ୍ରତିନିଧିମାନେ ଦାବି କରିଛନ୍ତି। ଏହି ଦାବି ପତ୍ର ଚକାପାଦ ବ୍ଲକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର, ଉପାଧ୍ୟକ୍ଷ ନିର୍ମଳା ସାହୁ, ବସ୍ତିଙ୍ଗିଆ ଉନ୍ନୟନ ପରିଷଦର ସଭାପତି ବିମଲ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ପରିଷଦ ସଭ୍ୟ ରଂଜନ କୁମାର ମଲିକ , ସରପଂଚ ନିଳିମା ପ୍ରଧାନ , ପ୍ରକାଶ ପ୍ରଧାନ , କିଶୋର ଚନ୍ଦ୍ର ପ୍ରଧାନ , ଶାରଳା କହଁର , ନାରାୟଣ ପ୍ରଧାନ ,ଚିତ୍ରସେନ କହଁର ,ନାଏବ ସରପଂଚ ମମତା ନାୟକ ଓ ସମିତିସଭ୍ୟ ଝିଲିମା ପ୍ରଧାନ ,ଶବ ଶଙ୍କର ପ୍ରଧାନ , ବିଷ୍ଣୁ ଚରଣ ଦିଗାଲ ,ସୁଷମା ପ୍ରଧାନ ଓ ଉନ୍ନୟନ ପରିଷଦ ସଂପଦାକ କୁବେର ମଲିକ , କୋଷାଧ୍ୟକ୍ଷା ପ୍ରେମାନନ୍ଦ ପ୍ରଧାନ ଏବଂ ଚକାପାଦ ବ୍ଳକ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ ଓ ଅନ୍ୟମାନେ ଦସ୍ତଖିତ ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି।