ବାଇକ ଦୁର୍ଘଟଣା, ତିନି ଗୁରୁତର

ଫୁଲବାଣୀ:ସୋମବାର ସଦର ଥାନା ଅନ୍ତର୍ଗତ ପୁତୁଡି ଛକଠାରେ ଏକା ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ତିନିଜଣ ଯୁବକ ଗୁରୁତର ହୋଇଛନ୍ତି। ଆହତ ମାନେ ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଗ୍ଲଟ ଗ୍ରାମର ବେବସା କହଁର, କୁଳମଣି କହଁର ଓ ଧନେଶ୍ୱର କହଁର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଆଜି ଏହି ତିନି ଜଣ ବ୍ୟାଙ୍କ କାମ ଥିବାରୁ ଏକ ବାଇକ ଯୋଗେ ଫୁଲବାଣୀ ଆସିଥିଲେ। ବ୍ୟାଙ୍କ କାମ ସାରି ଗ୍ରାମକୁ ଫେରୁଥିବା ବେଳେ ସଦର ଥାନା ଅନ୍ତର୍ଗତ ପୁତୁଡି ଛକଠାରେ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ତିନି ବାଇକ ଆରୋହୀ ଗାଡିରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନସ ସହ ଯୋଗାଯୋଗ କରିଥିଲେ ବି ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହୋଇ ନ ଥିଲା । ଫଳରେ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା। ଅଗ୍ନୀଶମ କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଜିଲା ମୂଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ତେବେ ଆହତ ମାନଙ୍କ ମଧ୍ୟରୁ ବେବସା ଓ କୁଳମଣୀଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Comments are closed.