ଫୁଲବାଣୀରେ ଘୋଷଯାତ୍ରା, ଆନନ୍ଦ ଉଲ୍ଲାସର ସହ ଶ୍ରୀଜୀଉଙ୍କ ରଥ ଟାଣିଲେ ଶ୍ରଦ୍ଧାଳୁ

ଫୁଲବାଣୀ: ଆଜି ଫୁଳବାଣୀରେ ପବିତ୍ର ରଥଯାତ୍ରା ଆନନ୍ଦ ଉଲ୍ଳାସର ସହିତ ପାଳିତ ହୋଇଯାଇଛି। ଠାକୁରଙ୍କ ଦର୍ଶନ କରିବା ସହିତ ରଥ ଟାଣିବା ପାଇଁ ଫୁଲବାଣୀ ସମେତ ଆଖ ପାଖର ଶହ ଶହ ଭକ୍ତଙ୍କ ସାମଗମ ହୋଇଥିବା ଦେଖାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସକାଳୁ ସକାଳୁ ମଙ୍ଗଳ ଆଳତି ସହ ମଇଲମ, ରୋଷଘର ହୋମ ଓ ପରେ ସୂର୍ଯ୍ୟଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା ଅନୁଷ୍ଠିତ ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ କରାଯାଇ ରଥକୁ ଅଣାଯାଇଥିଲା। ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଛେରା ପହଁରା କରିଥିଲେ। ଦିନ ଦୁଇଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ଶ୍ରୀଜୀଉଙ୍କ ରଥ ଟାଣିଥିଲେ। ଏହାପରେ ମାଦିକୁନ୍ଦାଛକ ସ୍ଥିତ ମାଉସି ମାଁ ମନ୍ଦିରରେ ପହଞ୍ଚିଥିଲା ରଥ। ଏହି ଅବସରରେ ଜିଲାପାଳ ଆଶିଷ୍ ଈଶ୍ୱର ପାଟିଲ୍ ମଧ୍ୟ ସାମିଲ୍ ହୋଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ନଟରାଜ କଳାମନ୍ଦିରର କଳାକାରମାନେ ରଥ ସମ୍ମୁଖରେ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ରଥ ସମ୍ମୁଖରେ ପରିବେଷିତ ଓଡ଼ିଶୀ ନୃତ୍ୟକୁ ଜିଲାପାଳ ଉପଭୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ୍ ଅଗ୍ରୱାଲା, ଉପଜିଲାପାଳ ଶେଷଦେବ ମିଶ୍ର , ନୟାଗଡ଼ ରାଣି ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଓ ପୌର ପରିଷଦ ଅଧ୍ୟକ୍ଷ ସ୍ମିତାରାଣି ମହାନ୍ତି , ଫୁଲବାଣୀ ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଅତିରିକ୍ତ ଏସପି ବିପିନ ବିହାରୀ ବେହେରା ଓ ଅନ୍ୟମାନେ ସାମିଲ ହୋଇଥିଲେ। ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ।

Comments are closed.