ବିଦ୍ୟୁତ ଓଭରଲୋଡ୍‍ରୁ ଟିଭି ଫାଟି ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ଆସବା ପତ୍ର , ଅଳ୍ପକେ ବର୍ତିଲେ ମା’ ଓ ଶିଶୁ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତ ପାଙ୍ଗାଲାମାହା ଗ୍ରାମ ନିକଟ ସମାଡଗା ସାହିରେ ଆଜି ଘଟିଛି ଏକ ଅଭାବନିୟ ଘଟଣା। ବିଦ୍ୟୁୁତ୍‍ ରେ ଅଚାନକ ଭାବେ ଓଭରଲୋଡରୁ ଘରର ଟିଭି ଫାଟି ଅଗ୍ନିକାଣ୍ଡ ଘଟି ପ୍ରାୟ ଲକ୍ଷାଧ୍ଖଳ ଟଙ୍କାର ଆସବାସ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ଅଳ୍ପକେ ମା ଓ ୧୨ ମାସର ଶିଶୁ ବର୍ତ୍ତି ଥିବାର ଜଣାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ରବିବାର ଅପରାହ୍ନ ସାଢ଼େ ୧ଟା ସମୟରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ବଖରା ଆଜବେଷ୍ଟ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରର ଜଣକ ହେଲେ ସମାଡଗାର ମାନସ ଦିଗାଲ। ନିଆଁ ଲାଗିବା ଫଳରେ ମାନସଙ୍କ ଘରେ ଥିବା ନଗଦ ୪୦ହଜାର ଟଙ୍କା ସହିତ ଧାନ,ଚାଉଳ, ଲୁଗା ପଟା, କଂସା ବାସନ ଇତ୍ୟାଦି ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷୟକ୍ଷତି ହୋଇଥିବା ମାନସଙ୍କ ପିତା ଗିନାପତି ଦିଗାଲ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ସମୟରେ ମାନସ ନିଜ ବାପା ଗିନାପତି ଙ୍କ ସାଥିରେ ପାଖ ନଦୀକୁ ମାଛଧରିବାକୁ ଯାଇଥିବା ବେଳେ ଘରେ ବୋହୁ ମେରୀ ପ୍ରଧାନ ନିଜର ୧୨ମାସର ଶିଶୁ ପୁତ୍ର ସହିତ ଘରେ ଥିଲେ। ମେରୀ ଘରେଥିବା ବେଳେ ସାହି ପଡ଼ିଶାର କିଛି ଛୋଟପିଲାଙ୍କ ସହିତ ଘରେ ଟିଭି ଦେଖୁଥିବା ବେଳେ ମାନସଙ୍କ ଭାଇ ଏଲିଅ ଦିଗାଲ ଘରେ ଥିଲେ। ତେବେ ଛୋଟଛୋଟ ପିଲାମାନଙ୍କ ସହିତ ମେରୀ ଘରେ ଟିଭି ଦେଖୁଥିବା ବେଳେ ଅଚାନକ ବିଦ୍ୟୁତ ଭୋଲଟେଜ ଅଧିକା ଆସିଯିବାରୁ ଟିଭି ଭିତରୁ ଧୁଆଁବାହାରିଥିଲା। ଏହାଦେଖି ମେରୀ ଭୟଭୀତ ହୋଇ ଘରେ ଥିବା ବିଦ୍ୟୁତ ତାର ଗୁଡ଼ିକୁ ବିଚ୍ଛିନ୍ନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେହି ସମୟରେ ଘରେଥିବା ବିଦ୍ୟୁତ ତାର ଗୁଡ଼ିକ ଜଳିବା ଆରମ୍ଭ ହୋଇ ଘରେ ଥିବା ଟିଭିରେ ନିଆଁ ଲାଗି ଟିଭି ଟି ବିସ୍ଫୋରଣ ରେ ଫାଟି ଯାଇଥିଲା। ଯାହାଫଳରେ ଘରେ ନିଆଁ ଲାଗି ଯାଇ ଘର ସାରା ବ୍ୟାପିବାକୁ ଲାଗିଥିଲା। ଭୟରେ ମେରୀ ଘରୁ ନିଜ ଛୋଟଛୁଆକୁ ନେଇ ଦୌଡ଼ି ପଳାଇଥିବା ବେଳେ ଅନ୍ୟମାନେ ମଧ୍ୟ ପ୍ରାଣ ବିକଳରେ ଏଣେତେଣେ ଧାଇଁଥିଲେ। ସାହିପଡ଼ିଶା ଲୋକମାନେ ମଧ୍ୟ ନିଆଁ ଲାଗିବା ଦେଖି ନିଆଁକୁ ଆୟତ କରିବା ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇନଥିବା ବେଳେ ଘର ଭିତରେ ଏକ ଗ୍ୟାସ ସିଲିଣ୍ଡର ଥିବା ମେରୀ କହିବାରୁ ଗ୍ରାମବାସୀମାନେ ଅଧିକ ଭୟଭୀତ ହୋଇ ନିଆଁ ଲାଗିବା ସ୍ଥାନ ଠାରୁ ପ୍ରାୟ ୧କିଲୋମିଟର ଦୂରରେ ରହିଥିଲେ। ତେବେ ଘଟଣା ସମ୍ପର୍କରେ ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗର ହାବିଲଦାର ନିରୋଜ କୁମାର ବିଶ୍ୱାଳ, ସନ୍ତୋଷ କୁମାର ଲେଙ୍କା, ଚିତରଞ୍ଜନ ମହାନ୍ତି, ନିରଞ୍ଜନ ବରାଳ,ସୁନୀଲ ଜାନୀ ଲକ୍ଷ୍ମଣ ବାରିକ ,ଅଜିତ କୁମାର ଭୋଇ କାର୍ତିକ ଚନ୍ଦ୍ର ଗୁରୁ ପ୍ରମୁଖ ସାମିଲ ହୋଇ ୨ଟି ଟିମ୍‍ରେ ତୁରନ୍ତ ପାଙ୍ଗାଲମାହା ଠାରେ ପହଞ୍ଚିଥିଲେ। ପାଙ୍ଗାଲମାହା ଠାରୁ ସମାଡଗା ଅଞ୍ଚଳକୁ ରାସ୍ତା ଖରାପ ଥିଲେ ମଧ୍ୟ ଅଗ୍ନିସଭ ବିଭାଗର କର୍ମଚାରୀ ମାନେ ସେଠାରେ କୌଣସି ପ୍ରକାର ପହଞ୍ଚି ନିଆଁ କୁ ଆୟତ କରିବା ସହିତ ଘରଭିତରୁ ଗ୍ୟାସ ସିଲିଣ୍ଡରକୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ନିଆଁଲାଗି ଘରର ସମସ୍ତ ଆସବାବ ପତ୍ର ସମେତ ପିଲାମାନଙ୍କ ସ୍କୁଲ ପ୍ରମାଣପତ୍ର ଇତ୍ୟାଦି ପୋଡ଼ି ଛାରଖାର ହୋଇଯାଇଥିଲା। ପାଖାପାଖି ୧ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କାର କ୍ଷତି ହୋଇଥିବା ଜଣା ପଡ଼ିଛି।ତେବେ ଅଚାନକ ଭାବେ ବିଦ୍ୟୁତ ହାଇଭୋଲଟେଜ ଆସିବା ଯୋଗୁଁ ଟିଭି ଫାଟି ଘରେ ନିଆଁ ଲାଗିଥିବା ଘରେ ଥିବା ମେରୀ ପ୍ରଧାନ ଅଭିଯୋଗ ଆଣୀଥିବା ବେଳେ ଏହିଭଳି ଭାବରେ ବିଦ୍ୟୁତ ହାଇଭୋଲଟେଜ ଆସିବା ଯୋଗୁଁ ପାଙ୍ଗାଲମାହା ଗ୍ରାମର ପାଉଲ ଦିଗାଲଙ୍କ ଟିଭିରୁ ନିଆଁ ବାହରି ପୋଡ଼ି ଯାଇଥିବା ବେଳେ ଗ୍ରାମର ପୀତବାସ ଦିଗାଳଙ୍କ ସେଟ-ଅପ୍‍ ବକ୍ସ ମଧ୍ୟ ପୋଡ଼ି ଯାଇଛି। ସେହିଭଳି ଗ୍ରାମର ଅନେକ ଲୋକଙ୍କ ଘରର ବଲବ ଫାଟିଯାଇଥିବା ଅଭିଯୋଗ କରିଛନ୍ତି।ଖବର ପାଇ ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ତହସିଲଦାର ନୀତିଶ କୁମାର ତ୍ରୀପାଠୀ ନିର୍ଦ୍ଦେଶକ୍ରମେ ସିମନବାଡ଼ି ରାଜସ୍ୱ ନିରିକ୍ଷକ ବିଜୟ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।

Comments are closed.