ସଡ଼କ ଦୁର୍ଘଟଣାରେ ଜଣେ ମୃତ- ଦୁଇ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବରଡେଗା ଛକରେ ଏକ ଚାରି ଚକିଆ ଯାନ ଦୁର୍ଘଟଣାଗ୍ରସ୍ତ । ଏହି ଘଟଣାରେ ସନ୍ତୋଷ ତାରେଣିଆ ନାମକ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମଙ୍ଗଳବାର ଅପରାହ୍ନରେ ଏକ ଫର୍ଚ୍ୟୁନର ଗାଡିରେ ଦଶପଲ୍ଲାରୁ ଫୁଲବାଣୀ କୌଣସି କାମରେ ସନ୍ତୋଷ ତାରେଣିଆ, ରାଧାନାଥ ପଟ୍ଟନାୟକ ,ସନ୍ତୋଷ ସାହୁ ଏବଂ ବଗଲା ବେହେରା ଆସୁଥିଲେ।

ଏହି ଚାରିଜଣ ଫର୍ଚ୍ୟୁନର ଗାଡି ଓଡି ୦୨ ଏଜେଡ ୭୦୧୧ ରେ ପ୍ରାୟ ୨ଟା ବେଳେ ଯାଉଥିବା ବେଳେ ଗାଡି ମାଲିକ ସନ୍ତୋଷ ସାହୁ ଗାଡି ଚଲାଉଥିଲେ। ସମ୍ବରଡେଗା ପୋଲ ଡେଇଁବା ପରେ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛକୁ ଗାଡିଟି ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ରାସ୍ତାରେ ଯାଉଥିବା ଏକ ଅଟୋ ଗାଡିରେ କିଛି ଲୋକ ଗୁରୁତର ଆହତ ସନ୍ତୋଷ ସାହୁ ଏବଂ ବଗଲା ବେହେରା ଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲ ପଠାଇଥିଲେ। ରାଧାନାଥ ପଟ୍ଟନାୟକ ସାମାନ୍ୟ ଆହତ ହୋଇ ସୁରକ୍ଷିତ ରହିଥିବା ଦେଖିବାକୁ ମିଳିଛି। ତାଙ୍କର ଡାହାଣ ହାତ ରେ ଆଘାତ ହୋଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପୋଲିସ ଫୁଲବାଣୀ ମେଡିକାଲ ପଠାଇଥିଲେ। ଘଟଣା ସ୍ଥଳରେ ଖଜୁରୀପଡା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଖଜୁରୀପଡା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ, ଏସଆଇ ଦୀନବନ୍ଧୁ ପ୍ରଧାନ ଉଦ୍ଧବ ଯାନୀ ଏଏସଆଇ ବାସୁଦେବ ପଣ୍ଡା ପ୍ରମୁଖ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଫୁଲବାଣୀ ମେଡିକାଲ ପଠାଇବା ସହ ଘଟଣାର ତଦନ୍ତ କରିଛନ୍ତି। ଫୁଲବାଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି ସଦସ୍ୟ ଭି. ଲୋକନାଥ ରାଜୁଙ୍କ ସହ ଏକ ଟିମ୍ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ରେ ସହଯୋଗ କରିବା ସହ ସଂଗଠନର ନିଜସ୍ୱ ଆମ୍ବୁଲାନ୍ସରେ ମୃତ ଦେହ ନେଇ ଫୁଲବାଣୀ ମେଡିକାଲ ଯାଇଥିଲେ।

Comments are closed.