MEllora 950×100

ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ; ବହୁ ମାଓ ସାମଗ୍ରୀ ଜବତ

ଫୁଲବାଣୀ: ୨ ଦିନ ତଳେ ପୁଲିସ ବିବାହ କରାଇଥିଲେ ୨ ଜଣ ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀଙ୍କୁ । ହେଲେ ଗତକାଲି କିନ୍ତୁ ସ୍ଥିତି ଓଲଟା ଦେଖିବାକୁ ମିଳିଛି । ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିୟମରେ ଦୁଇଜଣ ମହିଳା ମାଓବାଦୀ ନହିତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସଂପୃକ୍ତ  ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଦୀର୍ଘ ସମୟଧରି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ମଧ୍ୟ ଖବର ହସ୍ତଗତ ହୋଇଛି । ଗୁଳି ବିନିମୟରେ ଏକାଧିକ ମାଓବାଦୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ , ସୁରକ୍ଷା କର୍ମୀମାନେ ମାଓ କ୍ୟମ୍ପକୁ ମଧ୍ୟ ଠାବ କରିବା ସହିତ ବହୁ ସାମଗ୍ରୀ ଜବତ ମଧ୍ୟ କରିଥିବାର ସୂଚନା ମିଳିଛି ।

କେକେବିଏନ ମାଓ ସଂଗଠନ ଉକ୍ତ ଜଙ୍ଗଲରେ ରହିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ମାଓବାଦୀ ମାନେ ପିଏଲ୍‌ଜିଏ ସମାପ୍ତ ପାଳନ କରୁଥିବା ବେଳେ ତାହା ୮ ତାରିଖରେ ଶେବେ ହେବାର ଥିବା ବେଳେ ଆଜି ଏହି ଘଟଣା ଘଟିଥିବାର ଜଣାଯାଇଛି । ଅନ୍ୟପକ୍ଷରେ ସବୁବର୍ଷ ପରି ପିଏଲ୍‌ଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି କନ୍ଧମାଳ ପୁଲିସ୍‌ ପକ୍ଷରୁ ଜିଲାର ବିଭିନ୍ନ ମାଓ ଅଞ୍ଚଳରେ କଡ଼ା ସୁରକ୍ଷା ସହିତ କୁମ୍ବିଂ ଅପରେସନ ଜୋରଦାର କରିଥିବା ବେଳେ ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ପଂଚାୟତର ମାଲାକେରା ନିକଟସ୍ଥ ମାଟାକୁପା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ମାନେ ଆଡ଼ା ଜମାଇଥିବାର କୌଣସି ପ୍ରକାର ଖବର ପାଇ ସୁରକ୍ଷା କର୍ମୀମାନେ ପ୍ରବଳ ଶୀତରେ ମଧ୍ୟ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ କରିଥିବାର ଖବର ମିଳିଛି ।

ଖବର ପ୍ରକାରେ , କନ୍ଧମାଳ ଓ ବୌଦ୍ଧ  ଜିଲ୍ଲା ସୀମାନ୍ତ ଗୋଛାପଡା ଥାନା ଅନ୍ତର୍ଗତ ଲୁଇସିଂ ପଂଚାୟତର ମାଲାକେରା ଗ୍ରାମର ମାଟାକୁପା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କନ୍ଧମାଳ ଜିଲ୍ଲା ପୁଲିସ ଏସଓଜି ପକ୍ଷରୁ କୁମ୍ବିଂ ଅପେରସନ ଚାଲିଥିବା ବେଳେ ଜଂଗଲ ମଧ୍ୟରେ ବହୁ ମାଓବାଦୀ ରହିଥିବା ଦେଖିବାକୁ ମିଳିଥିଲା । ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିବା ପରେ ଯବାନ ମାନେ ପାଲଟା ଗୁଳି ବିନିମୟ କରିଥିଲେ ।  ପାଖାପାଖି ଏକ ଘଂଟା ଧରି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିବା ନେଇ ଖବର ମିଳିଛି । ଗୁଳି ବିନିମୟ ବେଳେ ୨ମହିଳା ମାଓବାଦୀ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି ।

ବହୁ ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଉକ୍ତ ଜଗଂଲରୁ ମାଓକ୍ୟାମ୍ପ ଠାବ ହେବା ସହ ୪ ଫାୟାର ଆର୍ମ ,ଗୋଟିଏ ଇନସାସ୍‌ ବନ୍ଧୁକ , ୧୧ ରାଉଣ୍ଡ ଗୁଳି , ଗୋଟିଏ ଆଇଡି ଓ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ବିଶେଷ ସୁତ୍ରରୁ ଜଣା ପଡିଛି ।  ଗୁଳି ବିନିମୟରେ କେତେ ଜଣ ମାଓବାଦୀ ଆହତ ହୋଇଛନ୍ତି ଏବଂ କେଉଁ କ୍ୟାଡର ମାଓବାଦୀ ମାନେ ସେହି ଜଙ୍ଗଲରେ ଡେରା ପକାଇଥିଲେ ସେ ନେଇ ସଂପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ପିଏଲଜିଏ ସପ୍ତାହ ପାଳନ ଅବସରରେ କୌଣସି ବଡ଼ ଧରଣର ଅଘଟଣ ଘଟେଇବା ପାଇଁ ମାଓବାଦୀ ମାନେ ସେହି ଜଙ୍ଗଲରେ ଡେରା ପକେଇଥିଲେ ବୋଲି ସନ୍ଦେହ କରାଯାଉଛି । ଏନେଇ ଜିଲା ପୁଲିସ୍‌ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇ ନାହିଁ ।

Comments are closed.