MEllora 950×100

ହାତୀପଲର ଦୌରାତ୍ମ୍ୟରେ ଧାନବିଲ ନଷ୍ଟ, ଗ୍ରାମବାସୀ କୋକୁଆଭୟ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡା ଗ୍ରାମପଞ୍ଚାୟତ ନେଡ୍ରିଖୋଲ ଗ୍ରାମରେ ହାତୀପଲଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଧନବିଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ନେଡ୍ରିଖୋଲ ସମେତ ଆଖପାଖରେ ଥିବା ଛଅଖଣ୍ଡ ଗ୍ରାମବାସୀ ଚାରିଦିନ ହେଲା ଭୟଭୀତ ହୋଇ ରହୁଥିବା ଦେଖିବାକୁ ମିଳୁଛି । ଗାଁ ଗାଁରେ ପୁରୁଷ ମହିଳା ରାତ୍ରି ଉଜାଗର ରହି ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରହୁଥିବା ବେଳେ ହାତୀପଲକୁ ଘଉଡାଇବା ପାଇଁ ଘଣ୍ଟ ବାଜାବାଦ୍ୟ ବାଣ ମାଧ୍ୟମରେ ଶବ୍ଦ କରି ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି ।

ଏନେଇ ସ୍ଥାନୀୟ ବନପାଳ ଅଜିତ୍ କୁମାର ସାହାଣୀଙ୍କୁ ଗ୍ରାମବାସୀଙ୍କ ତରଫରୁ ନେଡ୍ରିଖୋଲ ୱାର୍ଡସଭ୍ୟ ପ୍ରକାଶ ଦେହୁରୀ ପୂର୍ବତନ ୱାର୍ଡସଭ୍ୟ ଅଗସ୍ତି ବେହେରା, ସମାଜସେବୀ ଅନନ୍ତ କୁମାର ଦିଗାଲ ପ୍ରମୁଖ ହାତୀପଲକୁ ଘଉଡାଇବା ପାଇଁ ସୂଚନା ପ୍ରଦାନ କରିଥିବା ବେଳେ ବନପାଳ ଶ୍ରୀ ସାହାଣୀଙ୍କ ସହ ବନ କର୍ମଚାରୀ ମାନେ ବାରମ୍ବାର ଉକ୍ତ ଗ୍ରାମଗୁଡ଼ିକ ବୁଲିବା ସହ ହାତୀପଲର ଆଡାସ୍ଥଳି ପର‌୍ୟ୍ୟନ୍ତ ପହଞ୍ଚି ପରିସ୍ଥିତି ଉପରେ ନଜର ରଖୁଥିବା ଜଣାପଡିଛି । ସେହିଭଳି ଆଜି ରାତିରେ ଏହି ହାତୀପଲ ନେଡ୍ରିଖୋଲ ଗ୍ରାମର ଶ୍ରୀହରି ମଲିକଙ୍କ ତିନୋଟି ଧାନଚାଷ କରିଥିବା ବିଲକୁ ସମ୍ପୂର୍ଣ୍ଣ ଭାବେ ଖାଇବା ସହ ଦଳିମକଚି ମାଟିରେ ମିଶେଇ ଦେଇଥିବା ଦେଖିବାକୁ ମିଳିଛି ।

ବର୍ଷସାରା ପାଇଁ ବହୁ ପରିଶ୍ରମ କରି ଚାଷ କରିଥିବା ଶ୍ରୀହରି ବର୍ତ୍ତମାନ ନଷ୍ଟ ହୋଇଥିବା ଧାନବିଲ ଦେଖି ହତାଶ ହୋଇ ପଡିଥିବା ସହ ତୁରନ୍ତ ତାଙ୍କୁ ସରକାର ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାପାଇଁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଅନ୍ୟ ଧାନବିଲର ଚାଷୀଏବଂ ନେଡ୍ରିଖୋଲ ସମେତ ଘୋଡାସାହି, କୁମ୍ଭେଇଗୁଡା, ଡିମିରିଖୋଲ, ଇର୍ପିଗୁଡା, ପିପଲପଡା,ଦରଡା, ସୁଲୁକୁଡି ଆଦି ଗ୍ରାମବାସୀମାନେ ହାତୀପଲର ଦୌରାତ୍ମ୍ୟରେ ଭୟଭୀତ ହୋଇ ରହିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେଣୁ ବନବିଭାଗ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଅନୁଧ୍ୟାନ କରି ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.