ଦୁର୍ଗମ ଇଲାକାରେ ଲେମ୍ବୁ ବଗିଚା ପାଲଟିଛି ଆଦିବାସୀ ପରିବାରର ରୋଜଗାର

ପାତ୍ରପୁର : ଲେମ୍ବୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହାର ଚାହିଦା ବର୍ଷ ତମାମ ରହିଥାଏ। ପଡୋଶୀ ଆନ୍ଧ୍ରପ୍ରଦେଶ ରୁ ଲେମ୍ୱୁ ଆମଦାନୀ ହୋଇ ବର୍ଷର ଅଧିକାଂଶ ସମୟ  ଚାହିଦା ପୁରୁଣ ହୋଇ ଥାଏ। ଏହାକୁ ଦେଖି ସରକାର ଲେମ୍ୱୁ ବଗିଚା କରି ଚାହିଦା ମେଣ୍ଟାଇବା ପାଇଁ ପ୍ରତିବର୍ଷ ହଜାର ହଜାର ଟଙ୍କା ବ୍ୟୟ କରି ଲୋକକୁ ଚାରା ଦେଇ ବଗିଚା ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି କରିଛନ୍ତି । ତେବେ ଖରା ଦିନରେ ଲେମ୍ବୁର ଚାହିଦା ବୃଦ୍ଧି ପାଉଥିବା ବେଳେ ଗତବର୍ଷ ଏହାର ଅଭାଵ ପରିଲିଖିତ ହେବା ସହ ମିଶନ ଫେଲ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ପାତ୍ରପୁର ବ୍ଲକର ଦୁର୍ଗମ ଅଂଚଳରେ ଜଣେ ଆଦିବାସୀ ଗ୍ରାମ ନିକଟରେ ନିଜ ଉଦ୍ୟମରେ ଏକ ଲେମ୍ବୁ ବଗିଚା ସୃଷ୍ଟି କରି ପରିବାର ପ୍ରତିପୋଷଣ ପାଇଁ ଉଦ୍ୟମ ଜାରି କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପାତ୍ରପୁର ବ୍ଲକ ଦୁର୍ଗମ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମର ଲିମା କାର୍ଜି ।
ଲିମା ନିଜ ଗ୍ରାମ ଠାରୁ ଅନତି ଦୂରରେ ପ୍ରାୟ ଦେଢ଼ ଏକର ଜମିରେ ଏହି ବଗିଚା କରିଛନ୍ତି। ବଗିଚାରେ ୨୫୦ରୁ ଉର୍ଦ୍ଧ୍ବ ଦେଶୀ କାଗେଜି ଲେମ୍ବୁ ଗଛ ସହିତ କିଛି ପଣସ ଗଛ ଲଗାଇଛନ୍ତି । ଗ୍ରାମଟି ଜଙ୍ଗଲ ଘେର ମଧ୍ୟରେ ଥିବା ବେଳେ ଗୋଟିଏ ପାର୍ଶ୍ଵରେ ବାଘଲଟି ଜଳଭଣ୍ଡାର ଥିବା ବେଳେ ଅନ୍ୟ ତିନି ପାର୍ଶ୍ଵରେ ଜଙ୍ଗଲ ରହିଛି । ଗ୍ରାମରୁ ଯିବାକୁ ହେଲେ ଜଳଭଣ୍ଡାର କିମ୍ବା ଦଶ କିଲୋମିଟର ତାଡକା ସାହି ପର୍ଯ୍ୟନ୍ତ ଲେମ୍ବୁ ବୋହି ଆଣି ବିକ୍ରୀ କରିବାକୁ ପଡୁଛି । ଗ୍ରାମ ନିକଟରେ ଗଜପତି ଜିଲ୍ଲାର ଚାରୋଟି ଗ୍ରାମ ରହିଥିଲା । ଏହି ଗ୍ରାମର ଜଣେ ବ୍ୟକ୍ତି ଲିମା କରିଥିବା ସ୍ଥାନରେ ବିଭିନ୍ନ ପ୍ରକାର ଫସଲ କରୁଥିଲେ। ତେବେ ତିତଲି ବାତ୍ୟାରେ ସେ ରହୁଥିବା  ଗ୍ରାମ ସହିତ ଅନ୍ୟ ଆଦିବାସୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇ ଥିଲା। ଏହା ପରେ ଗଜପତି ଜିଲ୍ଲା ପ୍ରଶାସନ ଉଦ୍ୟମ ପରେ ସେହି ଚାରିଗୋଟି ଗ୍ରାମର ଲୋକମାନେ ଗଜପତି ଜିଲ୍ଲା ଜେ. ବଡ଼ଗାଁ ନିକରେ ନିର୍ମିତ ନୂତନ ବସତିକୁ ସ୍ଥାନାନ୍ତରିତ ହୋଇ ଥିଲେ। ଏହା ଦେଖି ଲିମା ସେହି ସ୍ଥାନରେ ଲେମ୍ୱୁ ବଗିଚା କରିବା ପାଇଁ ସ୍ଥିର କରିଥିଲେ। ସେ ପୂର୍ବରୁ ୱାର୍ଡ ସଭ୍ୟ ଥିବା ବେଳେ ଲୋକଙ୍କୁ ଲେମ୍ୱୁ ସହିତ ବିଭିନ୍ନ ଚାରା ଯୋଗାଉ ଥିବା ଦେଖି ନିଜେ ଚାରା ସୃଷ୍ଟି କରି ବଗିଚାଟିଏ କରିବାର ସ୍ବପ୍ନ ଦେଖିଥିଲେ ଯାହାକି ଏବେ ପୂରଣ ହୋଇଛି । ଏହି ବଗିଚା କରିବା କାର୍ଯ୍ୟରେ ପତ୍ନୀ  ଜଟିଆଣି ସାହାଯ୍ୟ କରିଥିଲେ। ଦୁଇ ବର୍ଷ ପରେ ଗଛରେ ଲେମ୍ବୁ ଆସିବାରୁ ସଂଗ୍ରହକରି ବାଘଲଟି ଡ୍ୟାମ ପଠାକୁ କିମ୍ବା ତାଡ଼କା ସାହି ବୋହି ନେଇ ବିକ୍ରି କରୁଛନ୍ତି।ତେବେ ଲେମ୍ୱୁ ୧୦୦କୁ ୮୦ରୁ ୯୦ଟଙ୍କାରେ ବିକ୍ରୀ ହେଉଛି। ସୁବିଧା ନଥିବାରୁ ଦୂର ଦୂରାନ୍ତକୁ ବିକ୍ରୀ ପାଇଁ ନେଇ ପାରୁ ନାହାନ୍ତି।କେବଳ ଏହି ବଗିଚାରେ ବର୍ଷା ଦିନରେ ଲେମ୍ବୁ ଆଦାୟ ହେଉଥିବା ବେଳେ ଗ୍ରୀଷ୍ମପ୍ରବାହ ବେଳେ ଗଛ ଝାଉଁଳି ରହୁଛି। ବଗିଚା ପାର୍ଶ୍ଵରେ ବହୁଦା ନଦୀରେ ବର୍ଷ ତମାମ ପାଣି ରହୁଛି। ହେଲେ ବଗିଚାରେ ପାଣି ମଡାଇବା ପାଇଁ ସୁବିଧା ନାହିଁ। ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବାରୁ ମୋଟରଟିଏ କିଣି ପାରୁ ନାହାନ୍ତି। ମୋଟରଟିଏ ଥିଲେ ଗ୍ରୀଷ୍ମଋତୁରେ ପାଣି ମଡାଇଲେ ଲେମ୍ବୁ ଫଳିବା ସହ ଭଲ ଦି ପଇସା ରୋଜଗାର ଆଶା ରଖିଛନ୍ତି। ତାଙ୍କରି ଛଅ ସନ୍ତାନ ମଧରୁ ଜଣଙ୍କର ବର୍ଷେ ତଳେ ମୃତ୍ୟୁ ହୋଇଥିଲା। ଏବେ କଲେଜ ପଡିଥିବା ପୁଅ ଘରେ ଥିବା ବେଳେ ଅନ୍ୟ ଜଣେ ପୁଅ ମହିନ୍ଦ୍ର ପଞ୍ଚମ ପଢିବା ପରେ ପରିବାରର ଅବସ୍ଥା ଦେଖି  ଦାଦନ ଖଟିବାକୁ ଚେନ୍ନାଇ ଚାଲି ଯାଇଛନ୍ତି। ଅନ୍ୟ ତିନି ପୁଅଙ୍କ ମଧରୁ ଦୁଇ ପୁଅ ଭଲ ପଢିବା ଆଶାରେ ଭ୍ରମର ପୁର ଗ୍ରାମରେ ରହି ଟିୟୁସନ ପଢୁଛନ୍ତି। ସେ ଜଣେ ଗରିବ ବ୍ୟକ୍ତି ହୋଇ ଥିବା ବେଳେ ସରକାରୀ ସ୍ତରରେ ବଗିଚା ପାଇଁ କୌଣସି ସାହାଯ୍ୟ ମିଳି ନଥିବା କହିଛନ୍ତି। ପ୍ରଶାସନ ଏହି ଭଳି ଦୁର୍ଗମ ଅଂଚଳରେ ବଗିଚା କରିଥିବା ଲିମାଙ୍କ ଭଳି ବ୍ୟକ୍ତିଙ୍କୁ ସହାୟତା ଯୋଗାଇଲେ ଅନ୍ୟ ଦିନ ମାନଙ୍କରେ ଲେମ୍ୱୁ ଆଦାୟ ବଢିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବା ଆଶା କରାଯାଏ।

Comments are closed.