MEllora 950×100

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସେସ୍କା ଯୋଡ଼ି ଗାଁ ନିକଟରେ ଥିବା ରୁଗୁଡ଼ି ପଦା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଫିରିଙ୍ଗିଆ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ କୁତିବାରୀ ଗାଁ ର ସୁଜିତ କୁମାର ନାଏକ ଓରଫ୍‌ ଟୁଟୁ (୩୭) ବୋଲି ପୁଲିସ୍‌ ତାହାର ପ୍ରାଥମିକ ତଦନ୍ତରୁ ଜାଣି ପାରିଛି ।

ସୂଚନା ଅନୁସାରେ ଗତକାଲି ସକାଳୁ କିଛି ଲୋକ ଜଙ୍ଗଲ ରାସ୍ତାରେ ଆସୁଥିବା ବେଳେ ଶବ ପଡ଼ିଥିବା ଦେଖି ମୃତ ଯୁବଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ତରଫରୁ ଫିରିଙ୍ଗିଆ ଥାନରେ ଖବର ଦେବା ପରେ ଘଟଣାସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଓ ତାଙ୍କ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର ତରଫରୁ ଫିରିଙ୍ଗିଆ ଥାନରେ ହତ୍ୟା ଅଭିଯୋଗ ଆଣିବା ସହ ମୃତ ଯୁବକଙ୍କ ବଡଭାଇ ମଣ୍ଟୁ ନାଏକ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ମୃତ ଯୁବକ ସୁଜିତ୍ ଗତ କାଲି ସନ୍ଧ୍ୟା ସମୟରୁ ଘରୁ ବାହାରିଥିବା ବେଳେ ସକାଳ ଯାଏଁ ଘରକୁ ଫେରି ନଥିଲେ । ତାଙ୍କୁ କିଏ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୁଜିତ୍ ଚାଷ କାମ ସହ ଟେଣ୍ଟ କାମ ଅଧିକାଂଶ ସମୟରେ କରୁଥିଲେ । ରାସ୍ତା ଠାରୁ ବହୁତ୍ ଦୂର୍ ଜଙ୍ଗଲ ଭିତରେ ମୃତଦେହ ପଡ଼ିଥିବା ବେଳେ ମୃତଦେହ ପାଖରେ ଗାଡ଼ି ଚାବି, ମୋବାଇଲ ଓ ଜ୍ୟାକେଟ୍ ପଡ଼ିଥିବା ଦେଖିବାକୁ ମିଳିଛି ।

ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ଭଳି ସାଧାରଣରେ ସନ୍ଦେହ କରାଯାଇଛି । ଘଟଣା ସ୍ଥଳରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ଓ ସାଇନ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଫିରିଙ୍ଗିଆ ଥାନା ତରଫରୁ ମୃତକଙ୍କ ବଡଭାଇଙ୍କ ଏତଲା ଆଧାରରେ ୧୭୪/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ସୂଚନା ଦେଇଛନ୍ତି ।

Comments are closed.