MEllora 950×100

ଜିଦରେ ଅଟଳ ଅଞ୍ଚଳବାସୀ; ଟାୱାର ବସାଅ, ତାଲା ଖୋଲିବ

ଫୁଲବାଣୀ: ଗତ ଦୁଇ ଦିନ  ହେଲା ମୋବାଇଲ ଟାୱାର ସ୍ଥାପନକୁ ନେଇ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଡିମିରିଗୁଡ଼ା ପଞ୍ଚାୟତରେ ତାଲା ପଡ଼ିବା ଘଟଣା ଦିନକୁ ଦିନ ଭିନ୍ନ ରୂପ ଧାରଣ କରୁଛି । ୨ ଦିନ ପରେ ପଞ୍ଚାୟତରେ ଫିରିଙ୍ଗିଆ ତହସିଲଦାର ଏମ୍,ଅନୁରାଧା ଓ ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଡିମିରିଗୁଡା ପଞ୍ଚାୟତରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ମଧ୍ୟ କୌଣସି ପ୍ରକାର ସମସ୍ୟାର ସମାଧାନ ହୋଇପାରିନାହିଁ । ଲୋକେ ମୋବାଇଲ ଟାୱାର ସ୍ଥାପନ କରିବା ଜିଦରେ ଅଟଳ ଥିବା ଯୋଗୁଁ ଦୀର୍ଘ ସମୟ ଯାଏଁ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ ।

ଅଞ୍ଚଳର ଜନସାଧାରଣ ପୂର୍ବରୁ ପ୍ରଶାସନ, ରାଜନେତାଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରତିଶ୍ରୁତିରେ ରହିଯାଇଥିବା ନେଇ  ମୋବାଇଲ୍ ଟାୱାର ଆରମ୍ଭ ନହେବା ପର୍ଯ୍ୟନ୍ତ ପଞ୍ଚାୟତରେ ତାଲା ଝୁଲିବ ବୋଲି ଜିଦ୍ ଧରିଛନ୍ତି । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ହୋଇପାରିନଥିବା ବେଳେ ତହସିଲଦାର ଓ ଥାନା ଅଧିକାରୀ ଫେରିଛନ୍ତି । ତେବେ ଗୋଟାଏ ପଟେ ଅଞ୍ଚଳରେ ୩ବର୍ଷରୁ ଅଧିକ ହେବ ମୋବାଇଲ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଯନ୍ତ୍ରାଂଶ ନ ଲାଗିବା ଏବଂ ତାର କାଗଜ ପତ୍ର ନ ଥିବାକୁ ନେଇ ଅଞ୍ଚଳରେ ସନ୍ଦେହ ଉପୁଜୁଛି ।

ଅନ୍ୟପଟେ ତୁରନ୍ତ ମୋବାଇଲ୍ ଟାୱାର ସ୍ଥାପନ କରାନଗଲେ ଆନ୍ଦୋଳନ ଜୋର୍ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ସମୟରେ ଲୋକଙ୍କ ଦାବି ପ୍ରକାରେ ସେହି ସମୟରେ ତରବରିଆ ଭାବେ ମୋବାଇଲ୍‌ ଟାୱାର ସ୍ଥାପନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଟାୱାରରେ କୌଣସି ପ୍ରକାର ଯନ୍ତ୍ରାଶ ଖଂଜା ଯାଇନଥିବା ଯୋଗୁଁ ଏହା କେବଳ ନିର୍ବାଚନି ଚାଲ ଥିଲା ବୋଲି ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏ ଦିଗରେ ସମାଧାନ କରାଗଲେ ପରବର୍ତ୍ତୀ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟିହେବ ସେଥି ପାଇଁ ନିଜେ ପ୍ରଶାସନ ଦାୟୀ ରହିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

Comments are closed.